ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର; ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ବଡ଼କେନ୍ଦୁଗୁଡା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ଜଣେ ମହିଳାଙ୍କ ଗଳିତ ଶବ ଶନିବାର ସକାଳୁ ଗାଁ ନିକଟସ୍ଥ ଏକ ଚାଷ ଜମିରୁ ପୋଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ଦର୍ଲିପଡା ଗ୍ରାମର ଦୈତାରି ଗୋପାଳଙ୍କ ସ୍ତ୍ରୀ ସସ୍ମିତା ଗୋପାଳ (୩୩)। ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ସକାଳେ ସସ୍ମିତା ଘରୁ ଶୌଚ ପାଇଁ ବାହାରକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଏହାପରେ ବୁଧବାର ଦିନ ସସ୍ମିତାଙ୍କ ବାପଘର ପକ୍ଷରୁ ଆମପାଣି ଥାନାରେ ଏକ ନିଖୋଜ ଏତଲା ଦାୟର କରାଯାଇଥିଲା। ମୃତ ସସ୍ମିତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେ ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ ଏବଂ ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଅସୁସ୍ଥତା କାରଣରୁ ସେ ନିଜ ଦୁଇ ପିଲାଙ୍କୁ ଧରି ବାପଘର ବଡ଼କେନ୍ଦୁଗୁଡା ଗ୍ରାମରେ ରହୁଥିଲେ। ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିବାରୁ ସେ ମାନସିକ ଚାପରେ ରହୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପଟେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କ ସ୍ୱାମୀ ଦୈତାରୀ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଛନ୍ତି। ଶନିବାର ସକାଳୁ ସ୍ଥାନୀୟ ଲୋକେ ଚାଷ ଜମିର ନିକଟରୁ ସସ୍ମିତାଙ୍କ ଗଳିତ ଶବ ଦେଖି ପୋଲିସକୁ ଖବର ଦେଇଥିଲେ। ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ କୋକସରା ଅତିରିକ୍ତ ତହସିଲଦାର ମୋହନ୍ ଚରଣ ଜେନାଙ୍କ ଉପସ୍ଥିତିରେ ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡିଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.