ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜୁନ ୩ରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ସଂଭାଗର ଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି ନର୍ଲା ଶିଶୁ ବିଦ୍ୟା ମନ୍ଦିରରେ। ସ୍ଥାନୀୟ ବିଦ୍ୟା ମନ୍ଦିରର ପରିଚାଳନା ସମିତିର ସମ୍ପାଦକ ଅଜୟ କୁମାର ନାଏକ ଵ୍ୟଵସ୍ଥା ପ୍ରମୁଖ ଓ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ ଵ୍ୟଵସ୍ଥା ସଂଯୋଜକ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ବିଭିନ୍ନ ଦାୟିତ୍ୱରେ ରହି ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ଜୁନ ୩ ରୁ ୧୨ ପର୍ଯ୍ୟନ୍ତ ଚାଲିବ ଏହି ବର୍ଗ। ଏଥିରେ ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗର କଳାହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ପ୍ରଭୃତି ୫ ଗୋଟି ଜିଲ୍ଲାର ୧୩ ଗୋଟି ସଙ୍କୁଳ ର ୧୦୬ ଟି ବିଦ୍ୟାଳୟରୁ ୧୦୦ ରୁ ଉର୍ଦ୍ଧ୍ବ ପ୍ରତିଭାଗୀ ଅଂଶ ଗ୍ରହଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଗ ପ୍ରମୁଖ ସୁକାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିପାଇଁ ଦକ୍ଷିଣ ସମ୍ଭାଗର ପୂର୍ଣ୍ଣ କାଳୀନ ୫ ଜଣ, ପ୍ରାନ୍ତ ପୂର୍ଣ୍ଣ କାଳୀନ ୩ ଜଣ ଓ ୧୨ ଜଣ ଏଭଳି ମୋଟ ୨୦ ଜଣ ପ୍ରଶିକ୍ଷକ ଆସି ପହଞ୍ଚିଛନ୍ତି ଶିବିରାର୍ଥି ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ। ବର୍ଗ ପ୍ରମୁଖ ସୁକାନ୍ତ କୁମାର ବେହେରା, ସୁଶାନ୍ତ ପାଣିଗ୍ରାହୀ, ମାଧବ ଶତପଥି, ବିଷ୍ଣୁ ଚରଣ ଦାସ, ବିପିନ ବିହାରୀ ମିଶ୍ର, କର୍ଣ୍ଣ ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ଗ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଶିବିରାର୍ଥି ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଶାରୀରିକ, ଶୈକ୍ଷିକ, ବୌଦ୍ଧିକ ଓ ଯୋଗ ପ୍ରଭୃତି ଵିଷୟ ଗୁଡ଼ିକ ବିଷୟରେ ୧୦ ଦିନ ବ୍ୟାପି ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବର୍ଗ ପ୍ରମୁଖ ଶ୍ରୀ ବେହେରା। ସୋମବାର ଦିନ ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ବର୍ଗ ପ୍ରମୁଖ। ଦକ୍ଷିଣ ସମ୍ଭାଗର ୫ ଗୋଟି ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଜିଲ୍ଲା ନର୍ଲାର ଶିଶୁ/ବିଦ୍ୟା ମନ୍ଦିରକୁ ବର୍ଗ ସ୍ଥଳ ପାଇଁ ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗର କର୍ତ୍ତୃପକ୍ଷ ଚୟନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବର୍ଗ ଆୟୋଜକ ନର୍ଲା ଶିଶୁ ବିଦ୍ୟା ମନ୍ଦିରର ସଂମ୍ପାଦକ ତଥା ବର୍ଗ ଵ୍ୟଵସ୍ଥା ପ୍ରମୁଖ ଶ୍ରୀ ନାଏକ।





