ଶାଣିତ ଶବ୍ଦ ଓ ସାଲିସବିହୀନ ଭାବମୂର୍ତ୍ତିର ଦାବାନଳ ପରଶୁରାମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ନିଜ ସାହିତ୍ୟ କୃତି ସହ ସାହିତ୍ୟିକ ଜନଗଣ ହୃଦୟରେ ବଞ୍ଚି ରହେ। ସାଧାରଣ ଜନତାର ସ୍ୱର ପାଲଟିଥାଏ ଜଣେ ପରିପୂର୍ଣ୍ଣ ସାରସ୍ୱତ ଚରିତ୍ର। ଯାହା ଦେଖେ ତାହା ଲେଖେ ବୋଲି ସେ ଲେଖକ। ସାରସ୍ୱତ ସୃଷ୍ଟି ପାଖରେ ସମ୍ପର୍କ-ସ୍ୱାର୍ଥ-ସମୟାଦିର କୌଣସି ମୂଲ୍ୟ ନ ଥିବାରୁ ତାହା ଉତ୍ତର ପିଢ଼ି ପାଇଁ ମୂଲ୍ୟବୋଧର ରୂପ ନେଇଥାଏ। ଏହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ସାହିତ୍ୟିକ ପରଶୁରାମ ମୁଣ୍ଡ ବୋଲି ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦ ତରଫରୁ ଧାରାବାହିକ ୨୩୨ ସଂଖ୍ୟକ ସାରସ୍ୱତ ଆସରକ୍ରମରେ ଆୟୋଜିତ ଜିଲ୍ଲା ସ୍ତରୀୟ ‘ତର୍ପଣ କାର୍ଯ୍ୟକ୍ରମ-ସାହିତ୍ୟିକ ପରଶୁରାମ ବକ୍ତୃତାମାଳା ‘ପାଳନ ଅବସରରେ ମତ ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପରିସରରେ ଅନୁଷ୍ଠିତ ଏଇ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଅଧ୍ୟାପକ-ଗବେଷକ ପରମେଶ୍ୱର ମୁଣ୍ଡ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ। ସଂସଦର ବରିଷ୍ଠ ସଦସ୍ୟ କବି ସ୍ବର୍ଣ୍ଣକାନ୍ତି ବୈକାର ପୌରୋହିତ୍ୟ କରିଥିବାବେଳେ ସମାଜସେବୀ ଶୁଭଲକ୍ଷ୍ମୀ ନାୟକ ଉଦଘାଟନ କରିଥିଲେ। ପ୍ରକାଶ ଥାଉକି, ସାହିତ୍ୟିକ ପରଶୁରାମ ମୁଣ୍ଡ ଷାଠିଏ ଦଶକ ବେଳର ଅନ୍ୟାୟ -ଶୋଷଣ -ଅତ୍ୟାଚାର-ଅବ୍ୟବସ୍ଥା ଉପରେ ନିର୍ଭୀକ ଭାବେ ଶାଣିତ ଶବ୍ଦଦେଇ ଲେଖନୀ ଚାଳନା କରି ତତ୍କାଳୀକ ଶାସକ ଓ ଶାସନକୁ ଦୋହଲାଇ ଦେଉଥିଲେ। ମୂଲିଆ ପିଲା, ବସୁନ୍ଧରାର ମାଟି, ମିଗନିନା, ମକେ ସତେ କେଁ ହେତାସ, ମଦନ ଘୋଗି, ଶତାଧିକ ଘୁମୁରା ଗୀତ ଆଦି ତାଙ୍କରି ବହୁ ଚର୍ଚ୍ଚିତ ସୃଷ୍ଟି । ତାଙ୍କ ସମ୍ପାଦିତ ଓ ପ୍ରକାଶିତ ‘ଦାବାନଳ’ପତ୍ରିକା ଦୁର୍ନୀତିଖୋର ଓ ବ୍ୟବସ୍ଥା ପ୍ରତି ତୀର୍ଯ୍ୟକ ପ୍ରହାର ସକାଶେ ଚହଳ ସୃଷ୍ଟି କରିଥିଲା। ଭବାନୀପାଟଣା ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ହେବା ସହ ଜଣେ ସଫଳ ରାଜନେତା,ଦକ୍ଷ ଶିକ୍ଷକ, ଚତୁର ସଂଗଠକ ଭାବେ ସେ ସୁନାମ ଅର୍ଜନ କରିଥିଲେ। ଏଭଳି ଜଣେ ବହୁମୁଖୀ ପ୍ରତିଭାଙ୍କୁ ପ୍ରଶାସନ ଭୁଲିଯିବା ସମାଜ ପାଇଁ ମଙ୍ଗଳକର ନୁହଁ ବୋଲି ଲେଖକଗଣ ଦୁଃଖ ପ୍ରକାଶ କରିଥିଲେ। ଶ୍ରୀଜଗନ୍ନାଥ ସଙ୍ଗୀତ କଳା ବିଦ୍ୟାଳୟର କଣ୍ଠଶିଳ୍ପୀ ଆଶୁତୋଷ ମିଶ୍ର ପ୍ରାରମ୍ଭିକ ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସାହିତ୍ୟିକ ଅଶୋକ କୁମାର ଖମାରୀ, ଆନନ୍ଦିନୀ ପାତ୍ର,  ସବିତା ଶତପଥୀ, ତିଳକରାମ ନିଆଲ, ଦୀପ୍ତି ମୁଣ୍ଡ, ସାଗର ବୈଠାରୁ, ମକୁନ୍ଦ ନାଏକ, ସଂଜୀବ କୁମାର ପଣ୍ଡା, କିଶୋର ମହାନନ୍ଦ, ଭାଗିରଥି ବେହେରା, ଆଶିଷ ମହାପାତ୍ର, ବାଲ୍ମୀକି କରୁଆଁ, ହିତେଶ ମାଝୀ ପ୍ରମୁଖ ବହୁ ଲେଖକ ଯୋଗଦେଇଥିଲେ। ସଂସଦ ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ,ଚିତ୍ତ ରଞ୍ଜନ କର, ଲୋକନାଥ ମାଝୀ ଓ ଉଦିତ ପାନ ସହଯୋଗ କରିଥିବାବେଳେ ଯୁବ ପ୍ରତିଭା ପ୍ରତାପ ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା ଓ ଯୁବକବି ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.