ଓଭରବ୍ରିଜ ସଡକ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ ପ୍ରସଙ୍ଗ: ଥାନା ସମ୍ମୁଖରେ ଶବ ରଖି କ୍ଷତିପୂରଣ ଦାବି

ରାୟଗଡା, (ଶିବ ନାରାୟଣ ଗୈାଡ): ଗୁରୁବାର ଦିନ ୩୨୬ ନମ୍ବର ଜାତୀୟ ରାଜପଥର ଓଭରବ୍ରିଜରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ରାୟଗଡା ସହର ସ୍ଥିତ ରେଲି ସାହିର ଡି. ମୁନ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଣ୍ଡି ସୁରେଶଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିଲା । ଘଟଣାକୁ ନେଇ ରାୟଗଡା ଥାନା ସମ୍ମୁଖରେ ଆଜି ଉତେଜନା ପ୍ରକାଶ ପାଇଥିଲା । ଘଟଣାକୁ ୧୨ଘଂଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଟ୍ରାକ୍ଟର ମାଲିକ ମୃତ ଡି. ମୁନ୍ନା ଓ ଗୁରୁତର ଆହାତ ହୋଇଥିବା ସୁରେଶଙ୍କ ପରିବାର ବର୍ଗଙ୍କୁ କୈାଣସି ଆର୍ଥିକ ସହାୟତା ତଥା ସହାନୁୂଭତି ମଧ୍ୟ ପ୍ରଦାନ କରିବାରେ ବିଳମ୍ବତା ଦେଖାଇଥିବାରୁ ଆଜି ମଧ୍ୟାହ୍ନରେ ମୃତ ମୁନ୍ନାଙ୍କ ଶବ ବ୍ୟବେଚ୍ଛଦ ପରେ ପରିବାର ବର୍ଗ ଓ ସାହି ବାସିନ୍ଦାମାନେ ରାୟଗଡା ଥାନା ସମ୍ମୁଖର ମୁଖ୍ୟ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରି ପ୍ରତିବାଦ ସ୍ୱରୂପ ଟ୍ରାକ୍ଟର ମାଲିକଙ୍କୁ ଆଲୋଚନା ପାଇଁ ଶୀଘ୍ର ଡକାଇବା ପାଇଁ ପୋଲିସ ପାଖରେ ଦାବି କରିଥିଲେ । ତେବେ ମୃତ ମୁନ୍ନାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଲିଖିତ ଅଭିଯୋଗକୁ ଭିତି କରି ପୋଲିସ ତଦନ୍ତ ଜାରି ରଖିଥିବା ସହ ଟ୍ରାକ୍ଟର ମାଲିକଙ୍କୁ ଥାନାକୁ ଆସବିା ପାଇଁ ଖବର ଦେଇଥିବା ନେଇ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ୟକ୍ତ ଲୋକେ ଉଠିଥିଲେ ।

ପ୍ରକାଶ ଥାଉ କି, ଗୁରୁବାର ଡି. ମୁନ୍ନା ନିଜ ସାଙ୍ଗ ସୁରେଶଙ୍କ ସହ ଫଳ ଆଣିବାକୁ ଓଭରବ୍ରିଜ ଦେଇ ଯାଉଥିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର (ଓଡି୧୮- ଜି ୪୬୦୯)ତାଙ୍କୁ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଦୁହେଁ ରାସ୍ତା ଉପରେ ପଡିରହିଥିଲେ । ଖବର ପାଇ ରାୟଗଡା ଥାନା ପୋଲିସ ପଂହଚି ଉଭୟଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିବା ବେଳେ ଅଧିକ ରକ୍ତସ୍ରାବ ଯୋଗୁଁ ଡି. ମୁନ୍ନାଙ୍କ ମୃତ୍ୟୁ ହୋଇଥିଲା ଏବଂ ସୁରେଶଙ୍କ ଡାହାଣ ଗୋଡରେ ଗୁରୁତର ଭାବେ ଆଘାତ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଚ୍ଚ ଚିକିତ୍ସା ନିମନ୍ତେ ବାହାରକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ମୃତ ଡି. ମୁନ୍ନା ନିଜ ଘରର ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ସୁରେଶଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଆର୍ଥିକ ସାହାର୍ଯ୍ୟ ପାଇଁ ଆଜି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.