ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି। ଗତକାଲି ନିଶାର୍ଦ୍ଧରେ ମନ୍ଦିର ପରିସରରେ ପୋଢ଼ ବଳି ପରେ ଆଜି ସକାଳୁ ସହର ଉପକଣ୍ଠସ୍ଥ ଜେନାଖାଲରୁ ମା’ଙ୍କ ଛତର ମନ୍ଦିରକୁ ଆସିଥିଲା। ଲୋକଗୀତ, ଲୋକନୃତ୍ୟରେ ପ୍ରକମ୍ପିତ ହୋଇଥିଲା ସହରର ରାଜରାସ୍ତା। ଅନ୍ୟ ବର୍ଷ ମାନଙ୍କରେ ଛତର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ପରମ୍ପରା ପାଳନ କରାଯାଇଥିଲା। ତେବେ ଏବର୍ଷର ଦୃଶ୍ୟ ଟିକେ ଅଲଗା ଥିଲା। କୋଭିଡ଼ କଟକଣା ପାଇଁ ଗତକାଲି ଠାରୁ ସହରରେ ୧୪୪ ଧାରା ଜାରି କରାଯାଇଥିଲା।
ସହରରେ ସବୁ ବନ୍ଦ ରହିଥିବା ବେଳେ ସହର ଭିତରକୁ କାହାକୁ ଛଡ଼ାଯାଇ ନଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ସହର ରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। କଟକଣା ସତ୍ତ୍ୱେ ରାସ୍ତା ପାର୍ଶ୍ୱରେ ହଜାର ହଜାର ଶ୍ରଦ୍ଧାଳୁ ଛତର ଦର୍ଶନ କରିଥିଲେ। ତେବେ କଟକଣା ଯୋଗୁଁ ମାନସିକଧାରୀମାନେ ସହର ଭିତରେ ରାଜରାସ୍ତାରେ ବୋଦା, କୁକୁଡ଼ା ଆଦି ବଳି ପକାଇ ନଥିବା ବେଳେ ନିଜ ନିଜ ଘରେ ତଥା ଭବାନୀପାଟଣାକୁ ସଂଯୋଗ କରୁଥିବା ଜିଲ୍ଲାର ବିଭିନ୍ନ ସଡ଼କରେ ହଜାର ହଜାର ବଳି ପକେଇଥିବା ଦେଖିବାକୁ ମିଳିଛି।