ଓଡ଼ିଆବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଖମାରହଲଦି ସ୍ଥିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ସାକ୍ଷରତା ସଚେତନତା ରଥ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଚେତନତା ରଥକୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏବଂ ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ ସାଗୁଆ ପତାକା ଦେଖେଇ ଉଦଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ବଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ଗୋଷ୍ଠୀ ଶିକ୍ଷାଅଧିକାରୀ ନବ କିଶୋର ସାହୁ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଲବଣି ନାଏକ, ସରପଞ୍ଚ ରବୀନ୍ଦ୍ର କୁମାର ମୁଣ୍ଡ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ପାଇଲଟ ପ୍ରୋଜେକ୍ଟ ପଢ଼ନା ଲିଖନା ଅଭିଯାନ ବିଷୟରେ ଆଲୋକପାତ କରିଥିଲେ । ୧୫ ବର୍ଷରୁ ଉର୍ଦ୍ଧ୍ବରେ ଥିବା ସମସ୍ତ ଅଣସାକ୍ଷରଙ୍କୁ ସାକ୍ଷର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଉଥିବା ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଗ୍ରାମରେ ନାଚ, ଗୀତ, ଏକାଙ୍କିକା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ବ୍ଲକର ସମସ୍ତ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ ।