ତୁଳାପଡା କସ୍ତୁରବା ବିଦ୍ୟାଳୟରୁ ସାଗୁଆନ ଗଛ କାଟିବା ପ୍ରସଙ୍ଗ: କଟାଗଲା ୩୦ ଖଣ୍ଡ, ଜବତ ହେଲା ୧୬ ଖଣ୍ଡ

ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ???

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୁଳାପଡାରେ ରହିଥିବା କସ୍ତୁରବା ବିଦ୍ୟାଳୟ ପରିସରରୁ ମୂଲ୍ୟବାନ ସାଗୁଆନ ଗଛ କାଟି ଦିଆଯାଇଥିବା ପ୍ରସଙ୍ଗ ଏବେ ନର୍ଲା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଗଛ କଟାର ତିନିଦିନ ପରେ ଜନୈକ ବ୍ୟକ୍ତିଙ୍କ ଠାରୁ ଖବର ପାଇ ବନ ବିଭାଗ ୧୬ ଖଣ୍ଡ ସାବୁଆନ କାଠ ଜବତ କରି ମ.ରାମପୁର ସ୍ଥିତ ନର୍ଲା ରେଞ୍ଜ ଅଫିସରେ ରଖିଛି ସାଗୁଆନ ଗଡି ଗୁଡିକୁ । ବୃକ୍ଷ ରୋପଣ କରି ରାଜ୍ୟ ସରକାର ରାଜ୍ୟରେ ପରିବେଶକୁ ବଞ୍ଚାଇବାର ଉପକ୍ରମ କରୁଥିବା ବେଳେ ସରକାରୀ ବିଦ୍ୟାଳୟ ତୁଳାପଡା କସ୍ତୁରବା ବିଦ୍ୟାଳୟରୁ ମୂଲ୍ୟବାନ ସାଗୁଆନ ଗଛ କାଟି ପକେଇବା କେତେଦୂର ସମିଚୀନ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ତ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ଏଥିର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସ୍ଥାନୀୟ ଜଣେ ସରକାରୀ କର୍ମଚାରୀ ରହିଥିବା ବେଳେ ବିଦ୍ୟାଳୟରୁ କଟାଯାଇଥିବା ସାବୁଆନ ଗଛର ଗଣ୍ଡି ଦୀର୍ଘ ୩ ଦିନ ପରେ ମଇ ମାସ ୬ ତାରିଖ ଦିନ ବନ ବିଭାଗ ଯାଇ କସ୍ତୁରବା ବିଦ୍ୟାଳୟ ୱାଡେନଙ୍କ ଘରୁ ଜବତ କରିଥିବା ଆଲୋଚନା ହେଉଛି । ଏଇଠି ପ୍ରଶ୍ନ ଉଠୁଛି ନିଜ ବାଡି ବଗିଚାରେ ଲଗାଯାଇଥିବା ଗଛ କାଟିବା ପାଇଁ ସରକାରଙ୍କ ଅନୁମତି ଓ ବନ ବିଭାଗର ଜ୍ଞାତସାରରେ କାଟିବାର ନିୟମ ରହିଥିବା ବେଳେ କସ୍ତୁରବା ସ୍କୁଲ କତ୍ତୃପକ୍ଷ ବନ ବିଭାଗର ବିନା ଅନୁମତି କିମ୍ବା ବନ ବିଭାଗ ସ୍ଥାନୀୟ ଅଧିକାରୀଙ୍କୁ ନଜଣେଇ ୩୦ ଗୋଟି ମୂଲ୍ୟବାନ ସାଗୁଆନ ଗଛ ସ୍କୁଲ ହତା ଭିତରୁ କାଟିଲେ କେମିତି? ଏଠାରେ ପ୍ରକାଶ ଯୋଗ୍ୟ ଯେ, ତୁଳାପଡା କସ୍ତୁରବା ବାଳିକା ବିଦ୍ୟାଳୟ ଓ ତୁଳାପଡା ଦଧିବାମନ ସରକାରୀ ହାଇସ୍କୁଲ ଗୋଟିଏ କ୍ୟାମ୍ପସରେ ରହିଛି । ହାଇସ୍କୁଲ ପ୍ରଧାନ ଶିକ୍ଷକ ବୁଡୁ ପାନ ତୁଳାପଡା କସ୍ତୁରବା ବିଦ୍ୟାଳୟର ମଧ୍ୟ ପ୍ରଧାନ ଶିକ୍ଷକ ଦାଇତ୍ୱରେ ରହିଛନ୍ତି । ପ୍ରଧାନ ଶିକ୍ଷକଙ୍କ କୌଣସି ଅନୁମତି ନନେଇ ଏବଂ ତାଙ୍କୁ ସୂଚନା ମଧ୍ୟ ନଦେଇ ଛୁଟି ଦିନ ଦେଖି କେବଳ ଜଣେ ୱାଡେନ ଓ ହଷ୍ଟେଲ ଦାଇତ୍ୱରେ ରହିଥିବା ଶିକ୍ଷୟତ୍ରୀ ସୁଭଦ୍ରା ହରିଜନଙ୍କ ଉପସ୍ଥିତିରେ ଗଛ କଟାଗଲା କେମିତି? ଆଉ ଗଛ କାଟିଲା କିଏ? କାହାର ଅନୁମତିରେ ଗଛ କଟାଗଲା ବୋଲି ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଖବରରୁ ଜଣାପଡିଛି ଯେ ଗତ ମଇ ମାସରେ ୧୦ ମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲୁଥିବା ସମୟରେ କସ୍ତୁରବା ବିଦ୍ୟାଳୟ ପାଇଁ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ସରକାରୀ ଅନୁଦାନକୁ ନେଇ କାମ ଆରମ୍ଭ ପାଇଁ ଗଛକଟା ଯାଇଥିଲା । କର୍ଲାମୁଣ୍ଡାର ଠିକାଦାର ଭୁବନ ବିହାରୀ ସିଂ ବିଦ୍ୟାଳୟ ଶ୍ରେଣୀ ଗୃହ ଭବନ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ବେଳେ ସ୍କୁଲ ପରିସର ମଧ୍ୟସ୍ଥ ସାଗୁଆନ ଗଛ କାଟିବା ପାଇଁ ଯୋଜନା କରିଥିଲେ । ତୁଳାପଡା କଲେଜରେ କାର୍ଯ୍ୟରତ ସରକାରୀ କର୍ମଚାରୀ ବ୍ରଜ ସାହୁ ହଷ୍ଟେଲ ଦାଇତ୍ୱରେ ରହିଥିବା ଶିକ୍ଷୟତ୍ରୀ ଶ୍ରୀମତୀ ସୁଭଦ୍ରା ହରିଜନ ଓ ୱାଡେନ (ବ୍ରଜ ସାହୁଙ୍କ ସ୍ତ୍ରୀ)ଙ୍କ ଉପସ୍ଥିତିରେ ଲୋକ ଲଗାଇ ସାଗୁଆନ ଗଛ ଗୁଡିକ କଟେଇବା ସହିତ ଶ୍ରୀ ସାହୁ ନିଜ ଘରକୁ ଗଛ ଗୁଡିକ ନେଇ ଯାଇଥିଲେ ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ ଖଣ୍ଡନ କରି ଠିକାଦାର ଶ୍ରୀ ସିଂ ଗଛ କାଟିବା ନିମନ୍ତେ ଲୋକ ଠିକ କରିଦେବା ପାଇଁ କହିବାରୁ ମୁଁ କେବଳ ଶ୍ରମିକ ଯୋଗାଡ କରିଦେଇଥିଲି । ହେଲେ ଗଛ କଟା ସହିତ ମୋର କୌଣସି ସମ୍ପର୍କ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ତୁଳାପଡା କଲେଜର କର୍ମଚାରୀ ଶ୍ରୀ ସାହୁ। ଏସବୁ ଦେଖି ତୁଳାପଡା ଗ୍ରାମର ଜନୈକ ବ୍ୟକ୍ତି ଫୋନ ମାଧ୍ୟମରେ ବନ ବିଭାଗ ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲଙ୍କୁ ଜଣାଇବା ପରେ ବିଭାଗ ତରଫରୁ ଶ୍ରୀ ସାହୁଙ୍କ ଘରେ ଚଡାଉ କରାଯାଇ ତାଙ୍କ ଘରୁ ମୂଲ୍ୟବାନ ସାଗୁଆନ କାଠ ଜବତ କରାଯାଇଥିବା ଆଲୋଚନା ହେଉଛି । ଠିକାଦାର ଶ୍ରୀ ସିଂଙ୍କୁ ପଚାରିବାରୁ ସେ କହୁଛନ୍ତି ବିଦ୍ୟାଳୟ କତ୍ତୃପକ୍ଷ ଗଛ କଟାଇଲେ । ମୁଁ ତ ବିଲଡିଂ ନିର୍ମାଣ କରିବା ଲୋକ ମୁଁ କାହିଁକି ଗଛ କଟାଇବି ବୋଲି । ରେଞ୍ଜର ଶ୍ରୀ ପାଲଙ୍କ ମତାମତ ନେବାରୁ ସେ କହୁଛନ୍ତି ବିଦ୍ୟାଳୟ କତ୍ତୃପକ୍ଷ କଛ କାଟିବା ପାଇଁ ରେଜୁଲେସନ କରିଥିଲେ । ସେମାନେ ଗଛ କଟାଇଲେ । ହେଲେ ଆମକୁ ସୂଚନା ଦେବାକଥା ହେଲେ ଦେଇନଥିଲେ। ସେଇ ଗୋଟାକ ଭୁଲ କରିଛନ୍ତି । ଆମେ ବାହାର ବ୍ୟକ୍ତିଙ୍କ ଠାରୁ ଖବର ପାଇ ବିଦ୍ୟାଳୟରେ ଗଛ ଗୁଡିକ ଜବତ କରି ଆଣିଲୁ । ତଦନ୍ତ ଚାଲିଛି କାର୍ଯ୍ୟାୁଷ୍ଠାନ ହେବ ବୋଲି କହିଥିଲେ । ମୂଲ୍ୟବାନ ସାଗୁଆନ କାଠଗଣ୍ଡି ଜବତ କରାଯାଇ ଆଜକୁ ଦୁଇମାସ ବିତି ସାରିଥିବା ବେଳେ ଆଉ କେତେଦିନ ତଦନ୍ତ ଚାଲିବ ଓ କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣକ ଘରୁ ମୂଲ୍ୟବାନ ସାଗୁଆନ କାଠ ଜବତ କରାଗଲା । ହେଲେ କାହିଁକି ଉକ୍ତ ବ୍ୟକ୍ତି ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ? ଦୋଷୀକୁ କାହିଁକି ଘଣ୍ଟ ଘୋଡାଉଛି ବନବିଭାଗ ?ନର୍ଲା ରେଞ୍ଜର ଶ୍ରୀ ପାଲ ପ୍ରଥମେ କହିଲେ କାଠ ଜବତ ବେଳେ ମୁଁ ନିଜେ ଉପସ୍ଥିତ ରହିଥିଲି । ବିଦ୍ୟାଳୟ ପରିସରରୁ କାଠ ଜବତ କରାଗଲା ବୋଲି । ପ୍ରଧାନ ଶିକ୍ଷକଙ୍କ ମତାନୁଯାୟୀ କାଠ ବିଦ୍ୟାଳୟ ୱାଡେନଙ୍କ ଘରୁ ଜବତ କରାଯାଇଥିବା କଥା ପଚାରିବାରୁ ରେଞ୍ଜର ଏବେ ପୁଣି ମତ ପରିବର୍ତ୍ତନ କରି କହୁଛନ୍ତି ଆମ ବେଲଗାଁ ଫରେଷ୍ଟର କାଠ ଜବତ କଲେ ସେହି ସମୟରେ ମୁଁ ନଥିଲି ବୋଲି । କାଠ ସିଜ ବେଳେ ପ୍ରକୃତରେ କୋଉ ଫରେଷ୍ଟର ଉପସ୍ଥିତ ଥିଲେ ? ନର୍ଲା ରେଞ୍ଜର ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଣ୍ଟ ଘୋଡାଉଛନ୍ତି କାହିଁକି ? କାହା ସହିତ କାହା କଥାର ତାଳମେଳ ରହୁନାହିଁ । ରେଞ୍ଜର ଓ କାଠ ରଖିଥିବା କର୍ମଚାରୀଙ୍କ ମଧ୍ୟରେ ବଡ ଧରଣର ଡିଲ ହୋଇ ନାହିଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରେଞ୍ଜର ଶ୍ରୀ ପାଲ କହୁଥିବା ୧୬ ଗୋଟି (୧.୨୫୨୬ ସିଏମ)କାଠ ଗଣ୍ଡି ଜବତ କରାଯାଇଛି ବୋଲି । ହେଲେ ବାସ୍ତବରେ କିନ୍ତୁ ୩୦ ଖଣ୍ଡ ସାଗୁଆନ ଗଛ କଟାଯାଇଥିଲା । ବନ ବିଭାଗ ଓ ବିଦ୍ୟାଳୟ କତ୍ତୃପକ୍ଷଙ୍କ ସଲାସୁତୁରାରେ ମୂଲ୍ୟବାନ ବଡ ଗଣ୍ଡି ଗୁଡିକ ଅନ୍ୟତ୍ର ବ୍ୟବସ୍ଥା କରି ରଖିଦେଇ ଛୋଟ ଛୋଟ ମୂଲ୍ୟହୀନ କାଠ ଗଣ୍ଡି ଗୁଡିକୁ ଜବତ କରିଛି ବନ ବିଭାଗ ଯାହାର ବଜାର ମୂଲ୍ୟ ମାତ୍ର ୨୦ ହଜାର ଟଙ୍କା । ହେଲେ ଲକ୍ଷାଧିକ ଟଙ୍କାର ବାକି କାଠ ଗଲା କୁଆଡେ? ଯାହା ଘରୁ କାଠ ସିଜ କରାଗଲା ତାଙ୍କପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ଏହା ବନ ବିଭାଗ ଓ ବିଦ୍ୟାଳୟ କତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ନୁହେଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଥିପ୍ରତି ଡିଏଫଓ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.