ଅନ୍ୟ କେହି ଦୁର୍ବୃତ୍ତ କରୁଛି ଚାଷୀଙ୍କ ଫସଲ ବୀମା: ନର୍ଲା କୃଷକ ନିରାଶ, ଥାନାର ଦ୍ୱାରସ୍ଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତିବର୍ଷ ଜୁଲାଇ ୩୧ ହୋଇଥାଏ ଫସଲ ବୀମାର ଅନ୍ତିମ ଦିନ । ନର୍ଲାରେ ଗତ ଦୁଇବର୍ଷ ହେଲା ଅଭାବୀ ବର୍ଷା ଯୋଗୁଁ ହେଉଛି ମରୁଡି । ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ବ୍ଲକର ଅଳ୍ପ କିଛି ରହିଛି ଜଳ ସେଚିତ ଅଞ୍ଚଳ । ଯେତିକି ରହିଛି ଜଳ ସେଚିତ ଅଞ୍ଚଳ ତାହା ନଥିବା ସାଙ୍ଗେ ସମାନ । ପ୍ରତିବର୍ଷ ମରୁଡ଼ିର ତାଡନା ସହି ସହି ନର୍ଲା ଅଞ୍ଚଳ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଗଲାଣି । ଗତବର୍ଷ ତ ନର୍ଲା ଅଞ୍ଚଳରେ ଭୟଙ୍କର ମରୁଡି ହୋଇଥିଲା । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କରିଥିବା ଚାଷୀମାନେ ଭଲ ଦୁଇ ପଇସା ପାଇଥିଲେ ବୀମାଟଙ୍କା । ଚଳିତ ବର୍ଷ ମଧ୍ୟ ଅଭାବୀ ବର୍ଷା । ଏସବୁକୁ ଲକ୍ଷ୍ୟ କରି ନର୍ଲା ଅଞ୍ଚଳର କେତେକ ଚାଷୀ ବ୍ୟାଙ୍କକୁ ଯାଇ ଫସଲ ବୀମା କରିବା ସମ୍ବନ୍ଧରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଲେ ଆପଣ ମାନଙ୍କ ଜମିର ଫସଲ ବୀମା ହୋଇ ସାରିଛି । ଆଉଥରେ କାହିଁକି କରୁଛ ବୋଲି ? ଚାଷୀ ଯଦି ନିଜ ଜମିର ଫସଲ ବୀମା ନିଜେ କରିନି ତାହେଲେ ବୀମା କଲା କିଏ ? ଏହା ଆଜିକାର ଘଟଣା ନୁହଁ । ଗତ ତିନିବର୍ଷ ଧରି ସୂତ୍ର ପାଇଥିବା କେହିଜଣେ ଦୁର୍ବୃତ୍ତ ନର୍ଲା ଅଞ୍ଚଳର ଚାଷୀଙ୍କ ଫସଲବୀମା କରି ନିଜ ବ୍ୟାଙ୍କ ଆକାଉଣ୍ଟ ଦେଇ ଭଲ ଟଙ୍କା ରୋଜଗାର କରୁଛି ।

ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ଼ ଗ୍ରାମ ପଞ୍ଚାୟତ ଧରଣୀପଦରର ଚାଷୀ ରଜନୀ ସା ରବିବାର ଏନେଇ ନର୍ଲା ଥାନାରେ ଏକ କେସ ଦାଏର କରିଥିବା ଜଣାପଡିଛି । ସେହିଭଳି ଶ୍ରୀପୁରର ଚାଷୀ ମିତ୍ରସେନ ପଧାନ ପଲମ ଫାଣ୍ଡିରେ ତାଙ୍କ ୧.୮ ଏକର ଜମିର କିଏ ଜଣେ ଅଜଣା ବ୍ୟକ୍ତି ଫସଲବୀମା କରିଥିବା ନେଇ କେସ ଦାଏର କରିଥିବା ଜଣାପଡ଼ିଛି । କେବଳ ବଲବସ୍ପୁର କିମ୍ବା ଶ୍ରୀପୁର ନୁହଁ ଗିଗିନା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶ୍ରୀପୁର ଗ୍ରାମର ୫ ଜଣ, ଘଣ୍ଟମାଳ, ଗାଡେବନ୍ଧ ଗ୍ରାମ ଏଭଳି ନର୍ଲା ବ୍ଲକ ଅଞ୍ଚଳର ୬୦ ରୁ ୭୦ ଜଣ ଚାଷୀଙ୍କ ଜମିର ଫସଲବୀମା କେହି ଜଣେ ଦୁର୍ବୃତ୍ତ କରିସାରିଥିବାରୁ ଚାଷୀ ମହଲରେ ଏବେ ଛନକା ପସିଛି । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ କେସ ଦାଏର ହୋଇଥିବା ଜଣାପଡିଛି । ଏଇଠି ପ୍ରଶ୍ନ ଉଠୁଛି । ଅନ୍ୟ ମାନଙ୍କ ଜମିର ଫସଲ ବୀମା ଟଙ୍କା ପୈଠ କରି କରୁଛି କିଏ ? ଗତ ତିନିବର୍ଷ ଧରି ଏଭଳି ଚାଲି ଆସୁଥିବା ବେଳେ ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଇ ଆସାମୀକୁ ଧରୁନି କାହିଁକି ? ରାଜ୍ୟ ସରକାର ଚାଷୀଙ୍କ ଦରଦୀ ବନ୍ଧୁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏଭଳି ୪୨୦ ଦୁର୍ବୃତ୍ତକୁ ଧରିପାରୁନି କାହିଁକି ? ପ୍ରତିବର୍ଷ ଅନ୍ୟମାନଙ୍କ ଚାଷ ଜମିର ଫସଲ ବୀମା କରି ଲକ୍ଷ ଲକ୍ଷ ଟଙ୍କା ଖାଇଯାଉଛି ଅଜଣା ଦୁର୍ବୃତ୍ତ ? ସକାରଙ୍କ ପାଖରେ ଏହାର ପ୍ରତିକାର କିଛି ନାହିଁକି ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.