ସିଙ୍ଗଲ ଟିଚରରେ ଚାଲିଛି ୨୦ ରୁ ଉର୍ଦ୍ଧ୍ୱ ସ୍କୁଲ
ଜଣେ ଏବିଇଓରେ ଚାଲିଛି ଶିକ୍ଷା ଵିଭାଗ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ପିଛା ଛାଡୁନି ଶିକ୍ଷକ ଅଭାବ ସମସ୍ୟା। ଗ୍ରୀଷ୍ମ ଅବକାଶ ସରି ସ୍କୁଲ ଗୁଡିକ ଖୋଲିବା ପରେ ଶିକ୍ଷକ ସମସ୍ୟା ନେଇ ୫ ରୁ ଉର୍ଦ୍ଧ୍ୱ ସ୍କୁଲରେ ଗଣ ଧାରଣା ଦେବା ସହ ବିଦ୍ୟାଳୟକୁ ଛାତ୍ରଛାତ୍ରୀ କୁ ନଛାଡି ଅସହଯୋଗ ଆନ୍ଦୋଳନ କରୁଛନ୍ତି ଅଭିଭାବକ ଓ ଅଭିଭାବିକା ମାନେ। ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ଶିକ୍ଷକ ସମସ୍ୟାକୁ ନେଇ ଅଦ୍ୟାବଧି ଜାରି ରହିଛି ଅସହଯୋଗ ଆନ୍ଦୋଳନ। ଏବିଇଓ ଗୋବର୍ଦ୍ଧନ ମାଝୀ ଜଣେ ଶିକ୍ଷକ ଦେବାରୁ ମଧ୍ୟ ମାନୁ ନାହାନ୍ତି ଅଭିଭାବକ ଓ ଅଭିଭାବିକା ମାନେ। ବିଦ୍ୟାଳୟରେ ୧୩୩ ଛାତ୍ରଛାତ୍ରୀ ରହିଥିବା ବେଳେ ଶିକ୍ଷକ ଥିଲେ ୫ ଜଣ। ପ୍ରଧାନ ଶିକ୍ଷକ ଉଗ୍ରସେନ ପଟ୍ଟନାୟକ ଗତ ମଇ ୩୧ ରେ ଅବସର ନେଲେ। ସହକାରୀ ଶିକ୍ଷକ ଡିସିଲାଲ ପଧାନ ଜୁନ ମାସ ଶେଷରେ ଅବସର ନେବା ପରେ ଆଉ ମାତ୍ର ୩ ଜଣ ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ସେଥି ମଧ୍ୟରୁ ଜଣେ ଶିକ୍ଷକ ବିଏଲଓ ଡ୍ୟୁଟିରେ ଲାଗିଛନ୍ତି। ପ୍ରଧାନ ଶିକ୍ଷକ ପାରିପାର୍ଶ୍ଵିକ ବିଷୟ ଦେଖିବା ବେଳକୁ ବାଟିକା ସହ ୯ ଗୋଟି ଶ୍ରେଣୀ ପାଇଁ ଜଣେ ମାତ୍ର ଶିକ୍ଷକ ରେ ଅସମ୍ଭବ ହୋଇ ପଡିଛି ଶିକ୍ଷାଦାନ। ଏଣୁ ଆଉ ୩ ଜଣ ଶିକ୍ଷକ ଦାବୀରେ ଅଡିବସି ଧାରଣା ଜାରି ରଖିଛନ୍ତି ଅଭିଭାବକ, ଅଭିଭାବିକା ଓ ପରିଚାଳନା ସମିତି ସଦସ୍ୟ। ସେହିଭଳି ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବୁଦେଲପଦର ପ୍ରାଥମିକ ବିଦ୍ୟାଳରେ ଜଣେ ମାତ୍ର ଶିକ୍ଷକ ରହିଥିବା ବେଳେ ତାଙ୍କୁ ବିଏଲଓ ଦାଇତ୍ୱ ଦିଆଯାଇଛି। ସେହି ବିଦ୍ୟାଳୟରେ ଶିକ୍ଷାଦାନ ଠପ ହୋଇ ପଡିଥିବା ଜଣାପଡିଛି। ନର୍ଲା ବ୍ଲକ ଶିକ୍ଷା ବିଭାଗରେ ରହିଛି ୧୨୮ ଗୋଟି ପ୍ରାଥମିକ, ୫୨ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨୯ ଗୋଟି ହାଇସ୍କୁଲ ରହିଛି। ମୋଟ ୧୮୦ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୫୦ ଜଣ ଶିକ୍ଷକ ରହିଥିବା ବେଳେ ସେଥି ମଧ୍ୟରୁ ୧୭ ଜଣ ପିଇଟି ଶିକ୍ଷକ ଓ ୧୭ ଜଣ ଶିକ୍ଷକ ବିଏଲଓ କାର୍ଯ୍ୟରେ ନିୟୋଜିତ। ବାକି ରହିଲେ ୫୧୬ ଜଣ ଶିକ୍ଷକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛନ୍ତି ୧୨,୭୭୬ ଜଣ ଛାତ୍ରଛାତ୍ରୀ । ୧୭ ଗୋଟି ହାଇସ୍କୁଲର ୯ମ ଓ ୧୦ ମ ଶ୍ରେଣୀ ରେ ରହିଛନ୍ତି ମୋଟ ୩୪୯୫ ଜଣ ଛାତ୍ରଛାତ୍ରୀ। ହାଇସ୍କୁଲ ଗୁଡିକୁ ସେତେଟା ଶିକ୍ଷକ ସମସ୍ୟା ହେଉ ନଥିବା ବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ରହିଛି ବାସ୍ତବରେ ଶିକ୍ଷକ ଅଭାବୀ ସମସ୍ୟା। ଗତ ୨୦୨୫ ଅଗଷ୍ଟରେ ୭ ଜଣ ବଦଳି ହୋଇ ଅନ୍ୟତ୍ର ଚାଲି ଯାଇଥିବା ବେଳେ ବ୍ଲକ ଅଞ୍ଚଳକୁ ଆସିଛନ୍ତି ୫ ଜଣ ଶିକ୍ଷକ। ହେଲେ ଗତ ୬ ମାସ ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଦ୍ୟାଳୟରୁ ୧୭ ଜଣ ଶିକ୍ଷକ ଅବସର ନେଇଛନ୍ତି। ୨୦୧୮ ଅପ୍ରେଲ ମାସରେ ନର୍ଲା ବ୍ଲକ ରେ ଜଏନ କରିଥିଲେ ୮୫ ଜଣ ଶିକ୍ଷକ ଓ ୨୦୨୪ ଅକ୍ଟୋବର ରେ ବିଭାଗ ମାଗିଥିଲା ୧୦୪ ଜଣ ଶିକ୍ଷକ ହେଲେ ମିଳିଲା ୬୫। ବର୍ତ୍ତମାନ ନର୍ଲା ବ୍ଲକ ପାଇଁ ୧୧୦ ରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କ ଆବଶ୍ୟକତା ରହିଥିବାରୁ ଶିକ୍ଷକ ଅଭାବୀ ସମସ୍ୟା ଲାଗି ରହିଛି। ଅନ୍ୟ ଜିଲ୍ଲାରୁ ଆସିଥିବା ଶିକ୍ଷକ ମାନେ କିଛି ବଦଳି ହୋଇ ଚାଲି ଯାଇଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ପୂର୍ବ ଓଡିଶାର ୪୦ ଜଣ ଶିକ୍ଷକ ନିଜ ନିଜ ଜିଲ୍ଳାକୁ ବଦଳି ନେଇ ଯିବା ପାଇଁ ଆବେଦନ କରିଥିବା ଜଣାପଡିଛି। ସେମାନେ ଚାଲିଗଲେ କଥା ସରିଲା। ନର୍ଲାରେ ବିଦ୍ୟାଳୟ ଗୁଡ଼ିକରେ ଅଚଳ ପରିସ୍ଥିତି ଦେଖାଦେବ ବୋଲି ସ୍ଥାନୀୟ ଶିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି। ଶିକ୍ଷା ବିଭାଗ କହୁଛି ଅଗଷ୍ଟ ମାସରେ ସରକାର ନୂଆ ଶିକ୍ଷକ ନିଯୁକ୍ତି ଦେବେ। ନୂଆ ଶିକ୍ଷକ ନ ଆସିବା ପର୍ଯ୍ୟନ୍ତ ଏବେ ସ୍ଥିତି ଏମିତି ହିଁ ରହିବ। ଏଥିପାଇଁ ଅଭିଭାବକ, ପରିଚାଳନା ସମିତିଙ୍କୁ ମ୍ୟାନେଜ କରିବାକୁ ପଡିବ। କାରଣ ଏବକାର ପରିସ୍ଥିତିରେ କୌଣସି ବିଦ୍ୟାଳୟରୁ ଶିକ୍ଷକ କାଢିକି ଆଉ କୌଣସି ବିଦ୍ୟାଳୟକୁ ଦେଇ ହେଉନି। ଉକ୍ତ ବିଦ୍ୟାଳୟ ଗୁଡିକର ଅଭିଭାବକ ମାନେ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସକୁ ଆସି ଏହାର ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ନର୍ଲାରେ ସ୍ଥାୟୀ ଶିକ୍ଷାଧିକାରୀ ନାହାନ୍ତି। ଏମ ରାମପୁରର ବିଇଓ ନର୍ଲାର ଅଧିକାରୀ ଦାୟୀତ୍ୱରେ ରହିଛନ୍ତି। ତିନି ଜଣ ଏବିଇଓଙ୍କ ମଧ୍ୟରୁ ଜଣେ ଏବିଇଓ ଅବସର ନେଇ ସାରିଥିବା ବେଳେ ଆଉ ଜଣେ ଭବାନୀପାଟଣା ବଦଳି ହୋଇ ଚାଲିଗଲେ। ଜଣେ ମାତ୍ର ଏବିଇଓରେ ଚାଲିଛି ନର୍ଲା ଶିକ୍ଷା ଵିଭାଗ। ଅଫିସରେ ଅଫିସରର ଅଭାବ। ବିଦ୍ଯାଳୟ ଗୁଡ଼ିକରେ ଶିକ୍ଷକ ଅଭାବ। ସ୍ଥିତି ସମ୍ଭାଳିବା ଭାରି ମୁସ୍କିଲ।ଏଣୁ ଆମେ ଧର୍ମ ସଙ୍କଟରେ ପଡୁଛୁ ବୋଲି ଏବିଇଓ ଗୋବର୍ଦ୍ଧନ ମାଝୀ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।





