ବେଙ୍ଗାଲୁରୁରେ ଭକ୍ତି ଓ ଉତ୍ସାହର ସହିତ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା:ବିବିଧତା ଭିତରେ ଦେଖିବାକୁ ମିଳିଲା ଏକତାର ରୂପ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ (କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ବେଙ୍ଗାଲୁରୁ ସ୍ଥିତ ଆହଦ ସେରେନିଟି ପରିସର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ସ୍ଥାନୀୟ ଓଡ଼ିଆ ଜଗନ୍ନାଥ କମିଟି ପକ୍ଷରୁ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଭାରତର ବିଭିନ୍ନ ପ୍ରାନ୍ତରୁ ଆସି ଆହଦ ସେରେନିଟିରେ ବସବାସ କରୁଥିବା ବିଭିନ୍ନ ଭାଷାଭାଷୀ ପରିବାରର ଯୁବକ-ଯୁବତୀ, ବୟୋଜ୍ୟେଷ୍ଠ ଏବଂ କୁନି କୁନି ପିଲାମାନେ ଏହି ଘୋଷଯାତ୍ରାରେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସମସ୍ତଙ୍କ ମୁଖରେ ଥିଲା “ଜୟ ଜଗନ୍ନାଥ” ଧ୍ୱନି। ଭଜନ, କୀର୍ତ୍ତନ ଏବଂ ଘଣ୍ଟ-ଘଣ୍ଟାର ନାଦ ସହିତ ଭକ୍ତମାନେ ରଥ ଟାଣିବାରେ ଆନନ୍ଦର ସହ ସାମିଲ ହୋଇଥିଲେ। ରଙ୍ଗୀନ ସାଜସଜ୍ଜା, ପାରମ୍ପରିକ ପୋଷାକ ପରିଧାନ ଏବଂ ଆଧ୍ୟାତ୍ମିକ ପରିବେଶ ସମଗ୍ର ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ଏହି ଉତ୍ସବରେ ବିଭିନ୍ନ ରାଜ୍ୟର ଲୋକମାନଙ୍କ ଉପସ୍ଥିତି ଭାରତର “ବିବିଧତାରେ ଏକତା”ର ଅପୂର୍ବ ବାର୍ତ୍ତା ପ୍ରଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତଙ୍କ ମଧ୍ୟରେ ମହାପ୍ରସାଦ ବଣ୍ଟନ କରାଯାଇଥିଲା।ଓଡ଼ିଆ ଜଗନ୍ନାଥ କମିଟିର ସଦସ୍ୟମାନଙ୍କର ସହଯୋଗ ଓ ସୁସଂଗଠିତ ପରିଚାଳନା ଯୋଗୁଁ ଏହି ରଥଯାତ୍ରା ଶାନ୍ତିପୂର୍ଣ୍ଣ ଓ ସ୍ମରଣୀୟ ଭାବେ ସମ୍ପନ୍ନ ହୋଇଛି ବୋଲି ଉପସ୍ଥିତ ଭକ୍ତମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.