ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ଆଦର୍ଶ ବିଦ୍ୟାଳୟ, ନର୍ଲାର ଛାତ୍ର ଶ୍ରୀମାନ ସ୍ୱୟଂ ସ୍ୱାଗତ କର, ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ରେ ସର୍ବଭାରତୀୟ ସ୍ତରରେ ୧୧୨୨ ସ୍ଥାନ ଅଧିକାର କରି ନର୍ଲା ପାଇଁ ଗୌରବ ଆଣି ଦେଇଛନ୍ତି।ଏହା ସହ ସେ ଅଣୁଶକ୍ତି ବିଭାଗ, ଭାରତ ସରକାରଙ୍କ ଅଧୀନରେ ପରିଚାଳିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ର ସ୍ନାତକ ପ୍ରବେଶିକା ପରୀକ୍ଷା–୨୦୨୬ ରେ ସର୍ବଭାରତୀୟ ସ୍ତରରେ ୧୩ତମ ସ୍ଥାନ ଓ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୮୬ ତମ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେହିପରି, ଜାତୀୟ ପ୍ରଦ୍ୟୋଗିକ ସଂସ୍ଥା (ନିଟ) ପ୍ରବେଶିକା ପରୀକ୍ଷାରେ ମଧ୍ୟ କୃତିତ୍ୱ ପ୍ରଦର୍ଶନ କରିଛନ୍ତି।ଏହା ପୂର୍ବରୁ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସସି) ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୫.୬% ଅଙ୍କ ରଖି କୃତିତ୍ୱ ଅର୍ଜନ କରିଥିଲେ।ବର୍ତ୍ତମାନ ସେ ଆଇକନିକ ଓଡିଶା ଆଦର୍ଶ ବିଦ୍ୟାଳୟ, ଭୁବନେଶ୍ୱର ରେ ଅଧ୍ୟୟନ ରତ।ସେହିଭଳି ୫୬୯ ମାର୍କ ରଖି ସୁବ୍ରତ ସାହାଣୀ କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଏହି ଦୁଇ ଜଣ ଛାତ୍ର ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲାରୋଡ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ପୁତ୍ର ସ୍ଵୟଂ ସ୍ୱାଗତ କର ହୋଇଥିବା ବେଳେ ଅନ୍ୟ ଜଣେ ଲାଞ୍ଜିଗଡ ବ୍ଲକ ଲକଟାଖମନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶରତ ଚନ୍ଦ୍ର ସାହାଣୀଙ୍କ ପୁତ୍ର ସୁବ୍ରତ ସାହାଣୀ ବୋଲି ଜଣା ପଡିଛି। ଏହି ଖବର ପ୍ରସାରଣ ପରେ ୨ ଜଣ ଛାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ସ୍ୱୟଂଙ୍କର ଏହି କ୍ରମାଗତ ସଫଳତା ପାଇଁ ପରିବାର, ଶିକ୍ଷକ, ଶୁଭେଚ୍ଛୁ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।






