ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ–୧ ପକ୍ଷରୁ ବାଲେଶ୍ୱରରେ କୃତୀ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

• କେବଳ ଭଲ ମାର୍କ ନୁହେଁ, ବରଂ ଗୁଣାତ୍ମକ ଜ୍ଞାନ, ବିଶ୍ୱ ପରିସ୍ଥିତି ସମ୍ପର୍କରେ ସଚେତନତା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବା ଜରୁରୀ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ–୧, ବାଲେଶ୍ୱରରେ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବାଲେଶ୍ୱରସ୍ଥିତ ପିଏକ୍ସଇ ଡିଫେନ୍ସ କଲୋନୀ କମ୍ୟୁନିଟି ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଡିଆରଡିଓ, ଚାନ୍ଦିପୁରର ନିର୍ଦ୍ଦେଶକ ତଥା ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀ ସୁବୋଧ କୁମାର ନାୟକ, ବୈଜ୍ଞାନିକ (ଏଚ୍)ଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। ଏହାପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ପରିଚାଳନା ସମିତିର ବୈଠକରେ ଶ୍ରୀ ନାୟକ ୨୦୨୫–୨୬ ଶିକ୍ଷାବର୍ଷର ସିବିଏସଇ ପରୀକ୍ଷାଫଳ ସମୀକ୍ଷା କରି ଦଶମ ଶ୍ରେଣୀର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ଦ୍ୱାଦଶ ଶ୍ରେଣୀର ଫଳାଫଳକୁ ଆହୁରି ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ସମସ୍ତ ସଦସ୍ୟଙ୍କ ସହଯୋଗ ଓ ଅଭିଭାବକଙ୍କ ବିଶ୍ୱାସ ଅତୁଟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ସୁବୋଧ କୁମାର ନାୟକ ଛାତ୍ରଛାତ୍ରୀଙ୍କୁ କେବଳ ଭଲ ମାର୍କ ନୁହେଁ, ବରଂ ଗୁଣାତ୍ମକ ଜ୍ଞାନ, ବିଶ୍ୱ ପରିସ୍ଥିତି ସମ୍ପର୍କରେ ସଚେତନତା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ ପାଇଁ ପ୍ରେରିତ କରିଥିଲେ। ସମ୍ମାନିତ ଅତିଥି ଏଆରଡିଇ, ପୁଣେର ବୈଜ୍ଞାନିକ (ଜି) ଶ୍ରୀମତୀ ବିଦ୍ୟାବତୀ ନାୟକ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ମାରକ ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କ ସଫଳତା ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଚଳିତ ବର୍ଷ ଦଶମ ଶ୍ରେଣୀରେ ୧୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ବିଦ୍ୟାଳୟ ୧୦୦ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ୬୬ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ପାଇଥିଲେ। ସେହିପରି ଦ୍ୱାଦଶ ଶ୍ରେଣୀରେ ୧୧୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ବିଦ୍ୟାଳୟ ୯୭.୨୯ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ୧୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ଅର୍ଜନ କରିଛନ୍ତି। ଦଶମ ଶ୍ରେଣୀର ଟପ୍ପର ସ୍ଥିତପ୍ରଜ୍ଞ ପରିଡା, ଦ୍ୱାଦଶ ବିଜ୍ଞାନର ତ୍ରିପର୍ଣ୍ଣା ମହାପାତ୍ର ଏବଂ ଦ୍ୱାଦଶ ବାଣିଜ୍ୟର ଅଞ୍ଜଳି ୟାଦବ ନିଜ ସଫଳତାର ଶ୍ରେୟ ବିଦ୍ୟାଳୟ, ଶିକ୍ଷକ ଓ ଅଭିଭାବକଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଲେଫ୍ଟେନାଣ୍ଟ କର୍ଣ୍ଣେଲ ଶଙ୍କର ଦାସ, ଶ୍ରୀମତୀ ନୀତି ଦାସ, ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟବୃନ୍ଦ, ଅଭିଭାବକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରାଚାର୍ଯ୍ୟ ଡ. ଅଞ୍ଜନ କୁମାର ଖଟୁଆ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.