ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ହେରା ପଞ୍ଚମୀ ଅବସରରେ ସୋମବାର ସନ୍ଧ୍ୟାରେ ଇମାମି ଗୁଣ୍ଡିଚା ମନ୍ଦିର ଭକ୍ତି, ପାରମ୍ପରିକତା ଓ ସାଂସ୍କୃତିକ ରଙ୍ଗରେ ରଙ୍ଗୀନ ହୋଇ ଉଠିଥିଲା। ସୁସଜ୍ଜିତ ଆଲୋକମାଳା ଓ ଭଜନ ସଙ୍ଗୀତର ମାଧୁର୍ଯ୍ୟ ମନ୍ଦିର ପରିସରକୁ ଏକ ଅଲୌକିକ ରୂପ ଦେଇଥିଲା। ପୂର୍ବ ନିର୍ଧାରିତ ସମୟାନୁସାରେ ଶ୍ରୀବିଗ୍ରହଙ୍କର ତୁଳସୀ ଅଭିଷେକ କରାଯାଇଥିଲା। ଏହା ପରେ ଇମାମି କଲୋନୀର ପରିବାରବର୍ଗ ଏକତ୍ରିତ ହୋଇ ଶ୍ରଦ୍ଧାର ସହ ‘ଫ୍ୟାମିଲି ଭୋଗ’ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଭଜନ ସନ୍ଧ୍ୟାରେ ଭକ୍ତିମୟ ସଙ୍ଗୀତ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ଏକକ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କ ମନକୁ ଛୁଇଁଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବୃନ୍ଦାବନରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ରାସଲୀଳା। ଭକ୍ତିର ସାଗରରେ ବୁଡ଼ାଇ ଦେଇଥିବା ଏହି ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରିଥିଲେ। ହେରା ପଞ୍ଚମୀର ପାରମ୍ପରିକ ରୀତି ମଧ୍ୟ ଏଠାରେ ବଡ଼ ନିଷ୍ଠାର ସହ ପାଳନ କରାଯାଇଥିଲା। ପରମ୍ପରା ଅନୁଯାୟୀ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଆସିଥିଲେ। ଦର୍ଶନ ନ ପାଇ ଅସନ୍ତୁଷ୍ଟ ହୋଇ ସେ ନାକଚଣା ଦ୍ଵାର ଦେଇ ଫେରି ଯାଇଥିଲେ। ପରେ କ୍ରୋଧାଳୁ ମା’ ଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଅଂଶକୁ ପ୍ରତୀକାତ୍ମକ ଭାବେ ଭାଙ୍ଗିବା ଦୃଶ୍ୟ ସମସ୍ତଙ୍କ ପାଇଁ ଏକ ବିଶେଷ ଆକର୍ଷଣ ପାଲଟିଥିଲା। ଏହି ଅବସରରେ ବାଲେଶ୍ୱର ଭିଜିଲାନ୍ସ ଜଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଭକ୍ତି ଓ ସଂସ୍କୃତିର ଏକ ସୁନ୍ଦର ସମନ୍ୱୟ ଭାବେ ପରିଲକ୍ଷିତ ହୋଇଥିଲା।





