ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ବର୍ଷ ଧରି ନର୍ଲା ବ୍ଲକରେ ରହି ଆସିଥିବା ଜେଇ ମାନଙ୍କ ବଦଳି କାହିଁକି ହେଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯିଏ ଏଠାରେ ନିଯୁକ୍ତି ପାଉଛନ୍ତି ତାଙ୍କ ବଦଳି ହେବାପରେ ସେ ବାହାରେ କିଛି ବର୍ଷ କଟାଇ ପୁଣି କଳେବଳେ ପୁଣି ଏଠାକୁ ଫେରି ଆସୁଛନ୍ତି। ଏବେ ଏହି ବ୍ଲକର ଶାନ୍ତପୁର, ବଡଧାରପୁର, ନର୍ଲା, ପଲମ, ଟକର୍ଲା, ଘୋଡାବନ୍ଧ, ରୁପ୍ରାରୋଡ, ଘଣ୍ଟମାଲ, ମାଣ୍ଡେଲ, ମୁସ୍କୁଟି, ଉଲିକୁପା ଆଦି ପଞ୍ଚାୟତ ଦାୟିତ୍ଵରେ ଥିବା ଜେଇମାନେ ନର୍ଲା ବ୍ଲକରେ ୩ ରୁ ୫/୭ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ରହି ଆସିଛନ୍ତି। ଏମାନେ ଏଠାରେ ଆଧିପତ୍ୟ ବିସ୍ତାର କରି କାମରେ ଜାଲିଆତି କରି କୋଟିପତି ହୋଇଥିବା ଅଭିଯୋଗ ହେଉଛି। ନିକଟରେ ବ୍ଲକ ଭିତରେ ଜେଇ ମାନଙ୍କ ଅଦଳବଦଳ ହୋଇଛି। ତେବେ ସେମାନେ ଅନେକ ସମୟରେ ଠିକାଦାର ମାନଙ୍କୁ ହଇରାଣ ହରକତ କରୁଥିବା ଦେଖାଯାଇଛି। ବ୍ଲକର ଦୁଇ ଜଣ ସିନିଅର ଯନ୍ତ୍ରୀଙ୍କୁ ଗତ ୪ ମାସ ତଳେ ବରଗଡ ଓ ନବରଙ୍ଗପୁରକୁ ବଦଳି ହୋଇଥିଲା। ହେଲେ ନେତା ମନ୍ତ୍ରୀଙ୍କୁ ଧରି ବଦଳି ବାତିଲ କରେଇବା ସହ କେଉଁ ସ୍ୱାର୍ଥ ନେଇ ପୁଣି ନର୍ଲାରେ ଆସ୍ଥାନ ଜମାଇ ବସିଛନ୍ତି। ବ୍ଲକର ବିଭିନ୍ନ କାମରେ ନାମକୁ ମାତ୍ର ଠିକାଦାର ନିୟୋଜିତ ହେଉଥିବା ବେଳେ ଅସଲ ଠିକାଦାର ସାଜିଛନ୍ତି ଜେଇମାନେ ବୋଲି ଆଲୋଚନାରୁ ଜଣା ପଡିଛି। ଜେଇ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରଥଯାତ୍ରା ସମୟରେ ଠିକାଦାରମାନେ ସେମାନଙ୍କ ପ୍ରାପ୍ୟ ପାଇନଥିବା ଦେଖାଯାଇଛି। ସୂଚନା ଅନୁସାରେ ରଥଯାତ୍ରା ପୂର୍ବଦିନ ୧୦ ରୁ ଉର୍ଦ୍ଧ୍ୱ ସରପଞ୍ଚ ଓ ୨୦ ରୁ ଉର୍ଦ୍ଧ୍ୱ ଠିକାଦାର ବିଲ୍ ପାସ ହୋଇ ନ ପାରିବାରୁ ଏବଂ ପ୍ରାପ୍ୟ ଟଙ୍କା ନମିଳିବାରୁ ନିରାଶ ହୋଇ ଫେରି ଯାଇଥିଲେ। ଠିକାଦାର ମାନେ ଏଥିପାଇଁ ବ୍ଲକ ପ୍ରଶାସନକୁ ଦାୟୀ କରୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ମାନେ ସେକ୍ସନ ଅଫିସରକୁ ଏଥିପାଇଁ ଦାୟୀ କରୁଛନ୍ତି। ସେକ୍ସନ ଅଫିସର (ବଡବାବୁ) କନିଷ୍ଠ ଯନ୍ତ୍ରୀ ଓ କେସିଅରକୁ ଦାୟୀ କରିଛନ୍ତି। ବିଲ ପାସ ହେବା ପାଇଁ ପ୍ରଥମ ସୋପାନ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପ୍ରଦତ୍ତ ଏମବି ବହିରୁ ଆରମ୍ଭ ହୋଇ ପିପିଏମଏସ ଅନଲାଇନ ଦେଇ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଆକାଉଣ୍ଟ ଅଫିସର, ବିଡିଓଙ୍କ ପାଖରେ ପାସ ହେବା ପରେ କେସିଅରଙ୍କ ପାଖକୁ ଯାଇ ସେଠାରେ ଚେକ କଟାଯାଇ ଟ୍ରେଜେରୀକୁ ଯାଇଥାଏ। ପ୍ରଥମ଼ ସୋପାନରୁ ହିଁ କନିଷ୍ଠ ଯନ୍ତ୍ରୀ ମାନେ ଭୁଲ ଭାଲ କରି ଦେଇଥିବା ବିଲ୍ ଓ ମେଜରମେଣ୍ଟ ବୁକ ଫେରିଯିବା ପରେ କନିଷ୍ଠ ଯନ୍ତ୍ରୀମାନେ ଆଉ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗା ଯୋଗ କରି ନାହାନ୍ତି। ଏଣୁ ସମସ୍ୟା ସୃଷ୍ଟି ହୋଇ ବିଲ୍ ଟି ପଡି ରହିଥାଏ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଜେଇମାନେ ନିମ୍ନମାନର କାମ କରାଇ ୧୫ ରୁ ୨୦ ଶତକଡା ପିସି ଖାଇ ଯାଉଥିବା ଅଭିଯୋଗ ହେଉଛି। କେତେକ ଜେଇ ଉନ୍ନୟନ କାମ ମାନଙ୍କରେ ନିଜେ ପଇସା ଲଗାଇ ଉପର ଦେଖାଣିଆ ଭାବେ ଠିକାଦାରଙ୍କ ମାଧ୍ୟମରେ କାମ କରାଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି। ତେଣୁ ଏମାନଙ୍କୁ ବଦଳି କରିବା ଜରୁରୀ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି।





