ଜଙ୍ଗଲୀ ହାତୀଙ୍କ ଉତ୍ପାତ: ଘର, ଠାକୁରାଣୀ ମନ୍ଦିର ଓ ଧାନ ଫସଲ ନଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜି ପଞ୍ଚାୟତ ସ୍ଥିତ ଗୋଇଚର୍ଚ୍ଚା ଗ୍ରାମ ଓ ଆଖପାଖ ଅଞ୍ଚଳରେ ପୁଣି ଥରେ ଜଙ୍ଗଲ ହାତୀର ଉତ୍ପାତ ଦେଖାଦେଇଛି। ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲରୁ ଏକ ଅଣାୟତ୍ତ ହାତୀ ଗାଁ ଭିତରକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ହାତୀଟି ପ୍ରଥମେ ଗ୍ରାମର ଚାଷୀ ଗୋପୀନାଥ ଦୋରାଙ୍କ ବାସଗୃହକୁ ଭାଙ୍ଗି ଦେଇଛି। ଘରେ ଥିବା ଆସବାବପତ୍ର, ରାସନ ସାମଗ୍ରୀ ସହ ସମସ୍ତ ଜିନିଷ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର କରିଦେଇଛି। ଏହା ପରେ ହାତୀଟି ଗ୍ରାମର ଆରାଧ୍ୟ ଦେବୀ ମାଁ ଠାକୁରାଣୀ ମନ୍ଦିରକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛି। ସେଠାରୁ ସିଧା ଯାଇ ଗୋପୀନାଥଙ୍କ ଚାଷ ଜମିରେ ଥିବା ଧାନ ଚାଷକୁ ଦଳିଚକଟି ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେଇଛି। ଗୋପିନାଥଙ୍କ କଷ୍ଟ ଅର୍ଜିତ ଫସଲ ଆଖି ପିଚୁଲାରେ ନଷ୍ଟ ହୋଇଯିବାରୁ ସେ ଏବେ ସର୍ବଶାନ୍ତ ହୋଇପଡିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସହ ଭୟର ବାତାବରଣ ଦେଖାଦେଇଛି। ଗ୍ରାମବାସୀ ବନ୍ୟବିଭାଗକୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ହାତୀକୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସରକାରୀ ସହାୟତା ଓ କ୍ଷତିପୂରଣଯୋଗାଇ ଦେବାକୁ ଦାବୀ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.