ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପ୍ରତିଷ୍ଠିତ ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନ କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦ ଜୀ ମହାରାଜଙ୍କ ମାର୍ଗଦର୍ଶନରେ ଜୁନାଗଡ ସ୍ଥିତ ଅଗ୍ରସେନ ଭବନଠାରେ ସ୍ୱରାଜ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବଲାଙ୍ଗୀରର ସହଯୋଗରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୪ତମ ଧରାବତରଣ ଅବ୍ୟବହିତ ପୂର୍ବରୁ ଆୟୋଜିତ ଏହି ଶିବିରରେ ସ୍ୱରାଜ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଚାପ, ରକ୍ତଶର୍କରା, ହିମୋଗ୍ଲୋବିନ, ବି ଏମ୍ ଆଇ, ଚକ୍ଷୁ ପରୀକ୍ଷା ଏବଂ ଚିକିତ୍ସା ପରାମର୍ଶ ସହ ଔଷଧ ସମ୍ପୂର୍ଣ୍ଣ ନିଃଶୁଳ୍କରେ ପ୍ରଦାନ କରିଥିଲେ। ଜୁନାଗଡ଼ ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଲୋକ ଏହି ଶିବିରରୁ ଉପକୃତ ହୋଇଥିଲେ। ଏହା ସହିତ ଶ୍ରୀ ଜଗଦାନନ୍ଦଜୀ ଏବଂ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ସହିତ ଗୋଲାମୁଣ୍ଡା ବ୍ଲକ ଚେୟାରମେନ ବିନ୍ଦୁ ମହାନନ୍ଦ, ସମାଜସେବୀ ମନୋଜ ମେହେର, ଯୁବ ସମାଜସେବୀ ବିଜୟ ଦେବ ସାହୁ, ସ୍ବାରାଜ ହସ୍ପିଟାଲର ଡାଇରେକ୍ଟର ହରମୋହନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଗ୍ରସେନ ଭବନ ଜୁନାଗଡ଼, ସ୍ୱରାଜ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବଲାଙ୍ଗୀରର ଚିକିତ୍ସକ ଦଳ ଏବଂ କାଳୀକୃଷ୍ଣ ସଂଘର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





