କଳାହାଣ୍ଡିରେ ଖୋଲିବ ଦୁଇଟି ନୂତନ ଥାନା: ନର୍ଲା ନିର୍ବାଚନ ମଣ୍ଡଳୀରେ ଶୂନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିଚାଲିଛି। ଏହାସହ ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟରେ ଆଉ ୩୬ଟି ନୂତନ ଥାନା ଖୋଲିବାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହି ତାଲିକାରେ କଳାହାଣ୍ଡି ଜିଲ୍ଲାର କଲମପୁର ଓ କର୍ଲାପାଟ ଥାନା ରହିଛି। ଏହି ଦୁଇଟି ସ୍ଥାନରେ ଥାନା ଖୋଲିବା ଜରୁରୀ ଥିଲା, ଏବଂ ଏଥିପାଇଁ ରାଜ୍ୟ ସରକାର ଧନ୍ୟବାଦର ପାତ୍ର। ତେବେ ନର୍ଲା ନିର୍ବାଚନ ମଣ୍ଡଳୀର ରିଷିଡା କିମ୍ବା କର୍ଲାମୁଣ୍ଡାରେ ମଧ୍ୟ ଗୋଟିଏ ଥାନା ଖୋଲିବ ବୋଲି ଆଶା ରଖିଥିଲେ ଅଂଚଳବାସୀ। କିନ୍ତୁ ସେମାନଙ୍କ ଆଶା ନିରାଶାରେ ପରିଣତ ହୋଇଛି। କର୍ଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକ ପାଇଁ ମ.ରାମପୁରରେ ଗୋଟିଏ ଥାନା ରହିଥିବାରୁ ହୋଇଥିବାରୁ ଅପରାଧିକ ମାମଲା ରୋକିବା ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଦୀର୍ଘ ବର୍ଷରୁ କର୍ଲାମୁଣ୍ଡା କିମ୍ବା ରିଷିଡା ଠାରେ ନୂତନ ଥାନା ଖୋଲିବା ପାଇଁ ଦାବି ହୋଇ ଆସୁଛି। ତେବେ ସ୍ଥାନୀୟ ବିଧାୟକ ଓ କଳାହାଣ୍ଡି ଲୋକସଭା ସାଂସଦ ହଜାର ହଜାର ଜନସାଧାରଣଙ୍କ ଏହି ସମସ୍ୟାକୁ ଅଣଦେଖା କରୁଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ରାଜ୍ୟ ସରକାର ରିଷିଡା କିମ୍ବା କର୍ଲାମୁଣ୍ଡାରେ ଏକ ଥାନା ଖୋଲିବା ଉପରେ ପୁନଃ ବିଚାର କରି କାର୍ଯ୍ୟକାରୀ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ସେହିପରି ଭାବେ ପଲମ ଫାଣ୍ଡିକୁ ଥାନା ଘୋଷଣା ନେଇ ମଧ୍ୟ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ବି ନର୍ଲା ବ୍ଲକର ଏହି ଉପାନ୍ତ ଅଂଚଳ ଉପେକ୍ଷିତ ହୋଇ ରହିଥିବା ଚର୍ଚ୍ଚା ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.