ଓଡ଼ିଆ ବାର୍ତ୍ତା/ କଳାହଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ବସ୍ତିର ମଧ୍ୟସ୍ଥଳୀ ହନୁମାନ ମନ୍ଦିର ସମୀପରେ ରହିଛି ବିଦେଶୀ ମଦ ଦୋକାନ । ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ଏବଂ ଶିବ ମନ୍ଦିରକୁ ଯିବା ରାସ୍ତା ପାଶ୍ୱର୍ରେ ଏହି ବିଦେଶୀ ମଦ ଦୋକାନ ରହିଥିବାରୁ ଅନେକ ସମୟରେ ମଦ୍ୟପମାନଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳୁଛି । ଏଣୁ ସ୍କୁଲ, କଲେଜ, ଦୁର୍ଗା ମଣ୍ଡପ ଏବଂ ମନ୍ଦିର ପରିବେଶରେ ବିଦେଶୀ ମଦ ଦୋକାନଟି ରହିଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଆସୁଛି । ମୁଖ୍ୟ ରାଜପଥ, ସ୍କୁଲ କଲେଜ ଓ ଧାର୍ମିକ ପୀଠସ୍ଥଳୀ ସମୀପରେ ମଦ ଦୋକାନ ରହିବାକଥା ନୁହଁ । ଏନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି ମଧ୍ୟ । ତେବେ ସମସ୍ତ ନିୟମ କାନୁନକୁ ବେଖାତିର କରି ନର୍ଲାରୋଡ ବସ୍ତି ମଝିରେ ହନୁମାନ ମନ୍ଦିର ପାର୍ଶ୍ୱ, ନର୍ଲାରୋଡ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟର ଅନତି ଦୂରରେ ଦୀର୍ଘ ଦିନରୁ ଆସ୍ଥାନ ଜମେଇ ବସି ବିନ୍ଦାସରେ ବ୍ୟବସାୟ କରି ଚାଲିଛନ୍ତି ଏହି ବିଦେଶୀ ମଦ ଦୋକାନୀ । ଦୋକାନର ମ୍ୟାନେଜର ଜଣକ ବେପରୁଆ ଭାବେ ରାତି ୧୨ ପର୍ଯ୍ୟନ୍ତ ଦୋକାନ ଖୋଲା ରଖୁଥିବା ଅଭିଯୋଗ ହେଉଛି । ଗ୍ରାମ ସଭାରେ ରେଜୁଲେସନ କରି ଅଞ୍ଚଳବାସୀଙ୍କ ସମ୍ମତି କ୍ରମେ ମଦ ଦୋକାନ ଖୋଲିବା ନିମନ୍ତ୍ରେ ଆବେଦନ କରିବାର ବିଧି ବିଧାନ ଓ ସରକାରୀ ନିୟମ ରହିଥିବା ବେଳେ କିଛି ମଦ୍ୟପ ବ୍ୟକ୍ତିଙ୍କୁ କରାୟତ କରି ନର୍ଲାରୋଡ ବିଦେଶୀ ମଦ ଦୋକାନର ମ୍ୟାନେଜର ନକଲି ଗ୍ରାମ ସଭା ବିବରଣୀ ତିଆରି କରି ଅନୁମତି ହାତେଇଥିବା ସଚେତନ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି । ହେଲେ ଏଇଠି ପ୍ରଶ୍ନ ଉଠୁଛି ବିନା ରିନ୍ୟୁଆଲରେ ମଦ ଦୋକାନ ଚାଲିଛି କେମିତି ? ଏ ବିଷୟରେ କେସିଙ୍ଗା ଅବକାରୀ ଇନ୍ସପେକ୍ଟରଙ୍କ ମତାମତ ଚାହିଁବାରୁ ତାଙ୍କଠାରୁ ସନ୍ତୋଷ ଜନକ ଉତ୍ତର ମିଳି ନଥିଲା । ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନର୍ଲାରୋଡ ବସ୍ତି ମଧ୍ୟରେ ରହିଥିବା ଏହି ବିଦେଶୀ ମଦ ଦୋକାନ ଉଚ୍ଛେଦ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକଥର ପ୍ରଶାସନକୁ ଲିଖିତ ଭାବରେ ଜଣାଯାଇଛି, ହେଲେ ଫଳ ଶୂନ୍ୟ । ବର୍ତ୍ତମାନ ଏହି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି ଯୋର୍ ଧରିବାରେ ଲାଗିଛି । ଗତ ତିନି ବର୍ଷ ତଳେ ମାର୍ଚ୍ଚ ୨୫ ରେ ଛତିକୁଡା ମଦଭାଟି ଏବଂ ବିଦେଶୀ ମଦ ଦୋକାନକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ନିର୍ବାଚିତ ମହିଳା ପ୍ରତିନିଧ ମାନେ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ଗତ ଦୁଇ ବର୍ଷ ତଳେ ବାଲିପଡା ଛକ ନିକଟରେ ରହିଥିବା ବିଦେଶୀ ମଦ ଦୋକାନକୁ ଭଙ୍ଗାଭଙ୍ଗି ଓ ପୋଡା ଜଳା କରି ତାଲା ବନ୍ଦ କରାଯାଇଥିଲା । ସମାଜରେ ମଦ୍ୟପଙ୍କ ଯୋଗୁଁ ସବୁବେଳେ ଅପ୍ରୀତିକର ପରିସ୍ଥିତି ସାଙ୍ଗକୁ ହିଂସାତ୍ମକ କାର୍ଯ୍ୟକଳାପ ବଢିବାରେ ଲାଗିଛି ବୋଲି ଜନସାଧାରଣ ଓ ମହିଳା ମାନେ ମଧ୍ୟ ହୃଦୟଙ୍ଗମ କରି ସାରିଲେଣି । ଏଣୁ ନିଶା ନିବାରଣ ଓ ମଦ ବନ୍ଦ ନିମନ୍ତେ ମଦଭାଟି ଓ ବିଦେଶୀ ମଦ ଦୋକାନରେ ତାଲା ମାରିବା ପ୍ରକ୍ରୀୟା ନର୍ଲା ଅଞ୍ଚଳରେ ଆରମ୍ଭ ହୋଇ ଯାଇଛି । ନର୍ଲାରୋଡ ବସ୍ତି ମଝିରେ ରହିଥିବା ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ନର୍ଲାରୋଡ ଓ ସର୍ଗିଗୁଡାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଥିପାଇଁ ସଜବାଜ ହେଉଥିବା ଜଣାପଡିଛି । କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ କହିଛନ୍ତି – ରାଜ୍ୟ ସରକାର ଯଦି ଅନୁମତି ଦେଇଛନ୍ତି ତାହେଲେ ମଦ ଦୋକାନଟି ବସ୍ତି ବାହାରେ ଖୋଲୁ ଆମର ଆପତ୍ତି ନାହିଁ । ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ ମଧ୍ୟ ଅନୁରୂପ ମତ ପ୍ରଦାନ କରି କହିଛନ୍ତି ବିଦେଶୀ ମଦ ଦୋକାନ ବସ୍ତି ଭିତରେ ରହିବା ଉଚିତ ନୁହଁ । ଅନ୍ୟପକ୍ଷରେ ବସ୍ତି ମଝିରେ ମଦ ଦୋକାନ ଖୋଲିବାକୁ ଦେବା କଥା ନୁହଁ ବୋଲି ସାଧାରଣରେ ଆଲୋଚନା ହେଉଛି । ନର୍ଲାରୋଡ ଓ ସର୍ଗିଗୁଡାର ଜନସାଧାରଣ ମଧ୍ୟ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ନାରୀ ଜାଗରଣ ମଞ୍ଚ ଅଣ୍ଟା ଭିଡି ସାରିଲେଣି । ଆଗକୁ ମଦ ବ୍ୟବସାୟୀ ଓ ମଦୁଆ ମାନେ ସତର୍କ ହୋଇଯିବା କଥା ବୋଲି ଅଞ୍ଚଳର ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି । ନର୍ଲା ବିଧାୟକ ମହୋଦୟ ଜନ ସାଧରଣଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଦାବିକୁ ସମ୍ମାନ ଜଣାଇ ଦୁର୍ଗାପୂଜା ପୂର୍ବରୁ ନର୍ଲାରୋଡ଼ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।