ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ବିୟୋଗରେ ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ କଲଚର ପକ୍ଷରୁ ଶୋକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ଆବର୍ତ୍ତମାନରେ ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ କଲଚର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇବା ସହ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ ହୋଇଥିଲା । ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ କଲଚରର ସଭାପତି ପ୍ରଦୀପ୍ତ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ସ୍ୱର୍ଗତ ଅଶୋକ ମାହାନ୍ତିଙ୍କ ଅକାଳ ବିୟୋଗରେ ଓଡ଼ିଶାର କଳାକ୍ଷେତ୍ରରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଉପରେ ଆଲୋଚନା ହୋଇଥିଲେ । ଦିଲ୍ଲୀପ ମଲିକ, ଅରାୟପ୍ରଜ୍ଞା ବାସବଦତ୍ତ, ଅପରାଜିତା ସାହୁ, ଅର୍ଚ୍ଚନା ଜେନା, ନୃସିଂହ ଓଝା, କିଶୋର ନାୟକ, ପବିତ୍ର ଦତ୍ତ ଏହି ଶୋକସଭାରେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଶେଷରେ ସମ୍ପଦ କାମିନୀ କାନ୍ତ ସ୍ବାଇଁ ଧନ୍ୟବାଦ ଦେଇଥିଲେ ।

ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ଏକାଧାରରେ ଜଣେ ଜାତୀୟ ସ୍ତରର ପ୍ରସିଦ୍ଧ ଚିତ୍ରଶିଳ୍ପୀ, ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍ ଥିଲେ । ଭଦ୍ରକ ଜଗନ୍ନାଥପୁରସ୍ଥିତ ତାଙ୍କ ବାସଭବନରେ ଶୁକ୍ରବାର ସକାଳେ ଅଶୋକ ମହାନ୍ତିଙ୍କ ପରଲୋକ ହୋଇଥିଲା । ୧୯୫୫ରେ ପାଳିଆବିନ୍ଧାଠାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ମହାନ୍ତି ବାଲ୍ୟଶିକ୍ଷା ପରେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ କଳାରେ ସ୍ନାତକ, ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟରୁ ଗ୍ରାଫିକ କଳାରେ ଡିପ୍ଲୋମା ଲାଭ କରିଥିଲେ । ଶିଶୁ ସାହିତ୍ୟ, ଗଳ୍ପ, ପ୍ରବନ୍ଧ ଓ କବିତା କ୍ଷେତ୍ରରେ ଲେଖନୀ ଚାଳନା କରି ଓଡ଼ିଶାର କଳା, କୃତି ଓ କୀର୍ତ୍ତି , ଶିଶୁ ସାହିତ୍ୟ ଓ ଶିଶୁ ଚିତ୍ରକଳା, ଆମ ଭଦ୍ରକ, ବେକାର ଜୀବନର କାହାଣୀ, ପ୍ରିୟତମା, ପାଠ ବତାଏ ବାଟ ଓ ଜୀବନୀ ପୁସ୍ତକ ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନରାୟଣ ଆଦି ସାହିତ୍ୟ କୃତି ସୃଷ୍ଟି କରିଥିଲେ । ଜୀବନ ବ୍ୟାପୀ ସାଧନା ପାଇଁ ସେ ଅନେକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସମ୍ମାନିତ ଓ ସମ୍ବଦ୍ଧିତ ହୋଇଛନ୍ତି । ସେଥି ମଧ୍ୟରୁ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର, ଶିଳ୍ପୀ ଗୁରୁ ସମ୍ମାନ, କଳାରତ୍ନ ଉପାଧି ଆଦି ପ୍ରମୁଖ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.