ଶାରଦୀୟ ପାର୍ବଣ: ନବଶକ୍ତି ପ୍ରାପ୍ତ ହେବାର ମହାର୍ଘ୍ୟ ଅବସର

ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ ।


ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ। ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ ।


ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି – ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।

ପୂଜାବିଧି

ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ, ଯାହା ଦଶହରାର ପ୍ରଥମ ବିଧି । ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରୁହନ୍ତି । ପବିତ୍ର ମହାଳୟା ଅବସରରେ ମା’ ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢ଼ାଯାଏ । ମହାଳୟା ଠାରୁ ପ୍ରକୃତ ଦୁର୍ଗା ପୂଜା ଆରମ୍ଭ ହୁଏ, କାରଣ ଏହି ଦିନ ଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି ।


ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ମା’ଙ୍କୁ ସ୍ଵାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲ ଗଛପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ମା’ଙ୍କ ଚକ୍ଷୁଦାନ ସମ୍ପନ୍ନ ହୁଏ । ଏହା ମା’ ଙ୍କ ବିଶେଷ ପୂଜାବିଧି । ଶାସ୍ତ୍ରମତେ ଏଥିରେ କୌଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ ।


ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ ଗଛକୁ ପୂଜା କରାଯାଏ। ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଅଷ୍ଟମୀରେ ହୁଏ ମା’ ଙ୍କ ମୁଖ୍ୟ ସନ୍ଧିପୂଜା। ଏହି ଦିନ ମା’ ଙ୍କ ପାଖରେ ବଳି ଦିଆଯାଏ।ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା । ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି। ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।


ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ । କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ଵାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୂର ଖେଳ କରିଥାନ୍ତି । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।

ଇତିହାସ

ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। କିନ୍ତୁ ଐତିହାସିକ ଉଦାହରଣରୁ ଜାଣିବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ ।


ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ । ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ ।


୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମା’ଙ୍କ ମୂର୍ତ୍ତି ପୂଜାକଲେ । 

ମୁଖ୍ୟ ଶକ୍ତିପୀଠରେ ଦଶହରା

ଓଡ଼ିଶାର କେତେକ ଶକ୍ତିପୀଠରେ ମା’ଙ୍କ ପୂର୍ବ ସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ । ଅନେକ ଶକ୍ତିପୀଠ ମଧ୍ୟରେ ମା’ ଗଡ଼ଚଣ୍ଡୀଙ୍କ ପୀଠ ଅନ୍ୟତମ। ଐତିହାସିକ ବାରବାଟୀ ଦୁର୍ଗ ବା ଗଡ଼ ମଧ୍ୟରେ ମା’ଙ୍କ ଆସ୍ଥାନ ରହିଥିବାରୁ ଲୋକମୁଖ ସେ ଗଡ଼ଚଣ୍ଡୀ । ରାଜତନ୍ତ୍ରରେ ରାଜ ପରିବାରମାନେ ନିଜ ବଂଶର ଆରାଧ୍ୟ ଦେବଦେବୀଙ୍କ ପୀଠ ସ୍ଥାପନା କରୁଥିଲେ ।


ରାଜା ପ୍ରତାପରୁଦ୍ର ଦେବ ବା ଅନଙ୍ଗଭୀମ ଦେବ କିମ୍ବା ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ଓ ପୀଠ ସ୍ଥାପନ କରାଯାଇଥିବା ବିଶ୍ଵାସ କରାଯାଇଥିବା ବିଶ୍ଵାସ କରାଯାଏ । କିମ୍ବଦନ୍ତୀ କହେ ରାଜା ମୁକୁନ୍ଦଦେବଙ୍କ ସମୟରେ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ପୂଜାକରାଯାଉଥିଲା । କେବଳ ପୂଜାର୍ଚ୍ଚନା ପାଇଁ ନୁହେଁ , ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଜା ଗଡ଼ଚଣ୍ଡୀଙ୍କ ଆରାଧନା କରୁଥିଲେ ।

ସମଲେଶ୍ଵରୀ

ଆଶ୍ଵିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ଷୋଳହ ପୂଜା ଆରମ୍ଭ ହେଇଥାଏ । ଏହିଦିନ ଦୁତିବାହାନ ପୂଜା କରାଯାଇଥାଏ । ଚନ୍ଦନ, ଅଗରୁ, କସ୍ତୁରୀ, ଶ୍ରୀକର୍ପୂର, ଗଙ୍ଗାଜଳରେ ମା’ଙ୍କ ସ୍ନାନ ପରେ ନଅ ପ୍ରକାରର ଭୋଗଲାଗି କରାଯାଇଥାଏ ।


ଏହି କ୍ରମରେ ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ଓ ଗଙ୍ଗାଦର୍ଶନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହି ଦିନ ଭୋର ତିନିଟା ସମୟରେ ମନ୍ଦିର, ଗମ୍ଭୀରାର ଦରଜା ଖୋଲା ଯାଇଥାଏ। ରାତ୍ରି ୨ଟା ରେ ମନ୍ଦିର ବନ୍ଦ କରାଯାଏ । ଏହି ରୂପରେ ଦେବୀ ଅଢେଇଦିନ ପୂଜିତ ହୁଅନ୍ତି। ଧବଳମୁଖୀ ରୂପରେ ଥାଇ ସମଲେଶ୍ଵରୀ ଶୈଳପୁତ୍ରୀ ବେଶ ଧାରଣ କରନ୍ତି ।


ପରେ ଦଶମୀ ପର୍ଯ୍ୟନ୍ତ ମା’ ସମଲେଶ୍ଵରୀ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ମହିଷାମର୍ଦ୍ଦିନୀ ଭାବରେ ପୂଜିତ ହୁଅନ୍ତି। ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ଵରୀ ବେଶରେ ଦେବୀ ଦର୍ଶନ ଦିଅନ୍ତି। ପୂର୍ଣ୍ଣିମା ରାତି ମନ୍ଦିରରେ ନୂତନ ଧ୍ଵଜା ସ୍ଥାପନ କରାଯାଏ।


କାକଟପୁର ମଙ୍ଗଳା

ଆଶ୍ଵିନ ମାସର ମୂଳାଷ୍ଟମୀ ତିଥିଠାରୁ ମା ’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପାରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେଇ ବିଜୟାଦଶମୀ, ଦଶହରା ଦିନ ଶେଷ ହେଇଥାଏ । ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ ।


ଅକ ତମ୍ବାପାତ୍ରରେ ଅଗରୁ, ଚନ୍ଦନ, ହଳଦୀ, ଚୁଆ, କ୍ଷୀର, ମହୁ, ନବାତ ଆଦି ଶୁଦ୍ଧପାଣିରେ ମିଶାଯାଇ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନମାର୍ଜଣା କରାଯାଏ। ସାଧାରଣତଃ ପ୍ରତ୍ୟେକ ଦିନ ମା’ ସ୍ନାନ ସମୟରେ ମନ୍ଦିରର ପହୁଡ଼ ପଡୁଥିବା ବେଳେ ଏହିଦିନ ସ୍ନାନ ସମୟରେ ସାହାଣ ମେଲା ରଖାଯାଉଥିବାରୁ ଭକ୍ତମାନେ ମା’ଙ୍କ ସଂପୂର୍ଣ୍ଣ ଅବୟବ ସହିତ ସ୍ନାନମାର୍ଜଣା ନୀତିର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ ।


ସନ୍ଧ୍ୟାକୁ ସକାଳ ଧୂପ ହୁଏ । ପରେ ସନ୍ଧ୍ୟା ଆଳତି, ସ୍ନାନ ମାର୍ଜଣା ହୁଏ ଏବଂ ମା’ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ । ରାତି ପ୍ରାୟ ୩ ଟାକୁ ରାତ୍ରଧୂପ ଓ ପରେ ବଡ଼ସିଂହାର ନୀତି କରାଯାଇ ପହୁଡ଼ କରାଯାଏ । ମନ୍ଦିର ବେଢାରେ ପ୍ରତ୍ୟେହ ପ୍ରାତଃରେ ଜପ ଓ ମଧ୍ୟାହ୍ନରେ ସପ୍ତସତୀ ଚଣ୍ଡିପାଠ କରାଯାଏ ।


ମୂଳାଷ୍ଟମୀ ଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ପରି ନୀତି ଅନୁଷ୍ଠିତ ହେଇଥାଏ । ଚତୁର୍ଥୀ ତିଥି ସନ୍ଧ୍ୟାରେ ମା’ଙ୍କୁ କଲିବେଶରେ ସଜ୍ଜିତ କରାଯାଏ । ମା’ଙ୍କ ପ୍ରତିମା ପଛପଟେ ସୁନ୍ଦର ଧଡ଼ିଥିବା ଶାଢ଼ୀ ପ୍ରଭା ଭାବେ ସଜ୍ଜିତ କରାଯାଇଥିବାରୁ ଏହି ବେଶକୁ କଲିବେଶ କୁହାଯାଏ । ପଞ୍ଚମୀ ତିଥିରେ ମା’ଙ୍କୁ ତୀରକମାଣ ବା ରଘୁନାଥ ବେଶରେ ସଜ୍ଜିତ କରାଯାଏ ।


କାଠ ତିଆରି ଗୋଡ଼ ଓ ହାତରେ ଧନୁତୀର, କାମାଣ ଆଦି ଅସ୍ତ୍ରଶସ୍ତ୍ର ମା’ଙ୍କୁ ଲାଗି କରାଯାଏ । ପଞ୍ଚମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମଙ୍ଗଳାଙ୍କ ମନ୍ଦିରରେ ପ୍ରମଣି ନୀତି ନାମକ ଏକ ସ୍ଵତନ୍ତ୍ର ନୀତି ପାଳନ ହୋଇଥାଏ। ଉକ୍ତଦିନମାନଙ୍କରେ ବିଳମ୍ବିତ ରାତିରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣିବିମାନରେ ପାର୍ବଣ ମଣ୍ଡପକୁ ନେଇ ବିଜେ କରାଯାଏ । ବିଶ୍ଵାସ ରହିଛି ମହିଷାସୁରକୁ ଠାବ କରିବା ପାଇଁ ମା’ ସବୁଆଡେ ଭ୍ରମଣ କରନ୍ତି ।


ଷଷ୍ଠି ତିଥିରେ ମା’ ଶୋଭା ପାଆନ୍ତି କାତିଖର୍ପର ବେଶରେ । ପୂର୍ବରୁ ମା’ଙ୍କୁ ଲାଗି ହେଇଥିବା ଅସ୍ତ୍ରଶସ୍ତ୍ର ସହିତ ଏହିଦିନ କାତି (ଖଣ୍ଡା), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ପ୍ରଭୃତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥାଏ।

ମହିଷାସୁର ସହିତ ଯୁଦ୍ଧକର କରିବାକୁ ଯିବା ପୂର୍ବରୁ ମା’ ଦୁର୍ଗା ଯେଉଁ ସବୁ କାର୍ଯ୍ୟ କରିଥିବା ଚଣ୍ଡି ପୁରାଣରେ ବର୍ଣ୍ଣିତ ହୋଇ ତଦନୁସାରେ ମା’ ମଙ୍ଗଳାଙ୍କୁ ସଜ୍ଜିତ କରାଯାଏ । ସପ୍ତମୀ ତିଥିରେ ମା’ଙ୍କୁ ସିଂହବାହିନୀ ବେଶରେ ସଜ୍ଜିତ କରାଯାଏ ।


ପାର୍ବଣ ପୂଜାରେ ଅନୁଷ୍ଠିତ ବେଶଗୁଡିକ ମଧ୍ୟରୁ ଏହି ବେଶ ମା’ଙ୍କର ପ୍ରସିଦ୍ଧ ବେଶ । ମହାଷ୍ଟମୀ ତିଥିରେ ମା’ଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଏ । ଏହି ବେଶରେ ମା’ ମଙ୍ଗଳାଙ୍କ ଶାନ୍ତ ସରଳ ଆଖି ଭୟଙ୍କର ଦେଖାଯାଏ । ବିଳମ୍ବିତ ରାତିରେ ସନ୍ଧିପୂଜା ଓ କୁଷ୍ମାଣ୍ଡବଳୀ ନୀତି ଅନୁଷ୍ଠିତ ହୋଇଥାଏ ।


ଅତୀତରେ ଏଠାରେ ମହିଷ (ମଇଁଷି) ବଳି ପଡୁଥିଲା । ଏବେ ଆଉ ସେ ପ୍ରଥା ନାହିଁ । ୧୯୬୯ମସିହାରୁ ମହିଷ ବଳିପ୍ରଥା ବନ୍ଦହେଇ କୁଷ୍ମାଣ୍ଡ (ପାଣିକଖାରୁ) ବଳି ଦିଆଯାଉଛି ।


ନବମୀ ତିଥିରେ ମା’ଙ୍କ ଉଗ୍ର ରୂପକୁ ଶାନ୍ତ କରିବାକୁ ଶାନ୍ତି ପୂଜା ଓ ଶାନ୍ତି ବେଶ ଅନୁଷ୍ଠିତ ହେଇଥାଏ । ମା’ଙ୍କୁ ଏହି ଦିନ ଧଳାଶାଢ଼ୀ ଓ ଧଳା ଫୁଲରେ ସଜ୍ଜିତ କରାଯାଏ । ଶେଷଦିନ ଅର୍ଥାତ ଦଶହରା ଦିନ ମା’ ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଆଲୋକ, ଆତସବାଜିର ପଟୁଆରରେ ମନ୍ଦିରରୁ କିଛି ଦୂର ସମେଶ୍ଵର ଶମ୍ଭୁମନ୍ଦିରକୁ ନିଆଯାଏ ।


ସେଠାରେ ହରଦୁର୍ଗା ଭେଟ ନୀତି ସମ୍ପନ୍ନ ହୁଏ । ଏମିତି ଭାବେ ମୂଳାଷ୍ଟମୀ ତିଥି ଠାରୁ ଆରମ୍ଭ ହୋଇ ଶାରଦୀୟ ପାର୍ବଣ ପୂଜା ଶେଷ ହୋଇଥାଏ ।

ଭଗବତୀ ପୀଠ

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ଙ୍କର ଶାରଦୀୟ ଦୁର୍ଗାତ୍ସବର ପୀଠ ରୀତିନୀତି ଅତୀବ ରହସ୍ୟମୟ । ଭଗବତୀ ସଂସ୍କୃତିରେ ଉଭୟ ବନଦୁର୍ଗା ଏବଂ କନକଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କର ଉପାସନା କରାଯାଏ । ମୂଳାଷ୍ଟମୀ ଠାରୁ ପର୍ବ ଆରମ୍ଭ ହେଇ ଦଶହରାରେ ସମାପ୍ତ ହୁଏ ।


ସପ୍ତମୀ, ଅଷ୍ଟମୀ ଓ ନବମୀ ରେ ତ୍ରିକାଳ ପୂଜା କରାଯାଏ । ଏଥିରେ ପୂର୍ବାହ୍ନରେ ଫଳମୂଳ ଓ ଅପରାହ୍ନରେ ଏବଂ ରାତ୍ରିରେ ସଙ୍ଖୁଡି ପୂଜା କରାଯାଏ । ମହାନବମୀ ଦିନ ଏକ ଦିନାତ୍ମକ ପୂଜା କରାଯାଏ । ଭଗବତୀ ପୀଠର ବିଶେଷତ୍ଵ ଯେ ସେହି ଏକଦିନାତ୍ମକ ମହାନବମୀ ପୂଜାରେ ମଧ୍ୟରାତ୍ରରେ ମହିଷ ବଳି ସହିତ ଇନ୍ଦ୍ର ଓ ଇନ୍ଦ୍ରାଣି ପୂଜା ହୁଏ ।


ଭଗବତୀଙ୍କର ପୃଷ୍ଠଦେଶରେ ଥିବା ମନ୍ଦିର ବାହ୍ୟ ପାର୍ଶ୍ଵରେ ଦେବୀ ବଜ୍ରବରାହୀ ବା ଐନ୍ଦ୍ରି ଭଗବତୀ ପୀଠର ମତ୍ସ୍ୟମାଧବୀ ଉପାସନା ବିଧି ଅନ୍ୟତ୍ର ଦୃଷ୍ଟିଗୋଚର ହୁଏନାହିଁ ।ମହାଅଷ୍ଟମୀ ପୂଜାରେ ଭଗବତୀଙ୍କର ପ୍ରଥମ ଯଜମାନ ପାରିକୁଦ ରାଜା ଦେବୀଙ୍କର ଆମିଷ ଭୋଗ ନିମନ୍ତେ ତିନୋଟି ଛାଗ ପ୍ରଦାନ କରନ୍ତି ଏବଂ ପ୍ରସାଦ ରୂପ୍ରେ ଗ୍ରହଣ କରନ୍ତି । ମହାଷ୍ଟମୀରେ ମଧ୍ୟରାତ୍ରିରେ ମହିଷ ଆମିଷ ଭୋଗ ରୂପେ ଏବଂ ନବମୀ ଦଶମୀ ସନ୍ଧି ବ୍ରାହ୍ମମୁହୂର୍ତ୍ତ ପୂଜାରେ ମାଛ, ମାଂସ, ବେଲପତ୍ର , ମହାପ୍ରସାଦ, ତୁଳସୀ, ରୁଧିର ଏକତ୍ର ପୂଜା ହୁଏ । ଏହାକୁ ଇନ୍ଦ୍ରପୂଜା କୁହାଯାଏ ।


ପ୍ରଥମେ ପଦ୍ମମୁଦ୍ରାରେ ଆସନ ପାତ୍ରରେ ପାଞ୍ଚଟି ଫୁଲ ରଖାଯାଏ । ତା’ପରେ ସ୍ଵାଗତ ମୁଦ୍ରାରେ ଛଅଗୋଟି ଫୁଲ ରଖାଯାଏ । ତା’ ପରେ ପାଦ୍ୟମୁଦ୍ରା ଏବଂ ଅର୍ଘ୍ୟମୁଦ୍ରାରେ ତାମ୍ରପାତ୍ରରେ ଜବଧାନ, କୁଶ,ତିଳ ଏବଂ ଶ୍ଵେତ ସୋରିଷ ରଖାଯାଏ । ଆଚମନ ମୁଦ୍ରାରେ ଜାଇଫଳ, ଲବଙ୍ଗ, ଗନ୍ଧକାଙ୍ଗୁଳା ଜଳକୁ ଆଚମନ ପାତ୍ରରେ ରଖାଯାଏ । ମଧୁପର୍କ ମୁଦ୍ରାରେ ଘୃତ, ମଧୁ ଏବଂ ଚିନି କାଂସ ପାତ୍ରରେ ରଖାଯାଏ । ସ୍ନାନ ମୁଦ୍ରାରେ ଚନ୍ଦନ ଓ ପଦ୍ମକେଶର ମିଶ୍ରିତ ଜଳ ରଖାଯାଏ । ବସନ ମୁଦ୍ରାରେ ବସନ ରଖାଯାଏ । ତା’ ପରେ ଆବରଣ ମୁଦ୍ରାରେ ଚମ୍ପାଫୁଲ, ଗନ୍ଧମୁଦ୍ରାରେ ଚନ୍ଦନ, ସୁମନ ମୁଦ୍ରାରେ ବେଲପତ୍ର, ପଦ୍ମଫୁଲ,ମନ୍ଦାର ଏବଂ ପୁଷ୍ପାଞ୍ଜଳୀ ଦିଆଯାଏ ।

ବିମଳା ଶକ୍ତିପୀଠ

ମା’ ବିମଳାଙ୍କ ଅବସ୍ଥିତି ଯୋଗୁଁ ଶ୍ରୀକ୍ଷେତ୍ର ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି । ବର୍ଷକର ବାର ମାସ ମଧ୍ୟରେ ପଡୁଥିବା ବିଭିନ୍ନ ଉତ୍ସବ ମଧ୍ୟରେ ଦେବୀ ବିମଳାଙ୍କ ଆଶ୍ଵିନ ମାସର ସାର୍ବଜନିନ ଦୁର୍ଗା ପୂଜାର ଷୋଳହଦିନ ବ୍ୟାପି ପୂଜାବିଧି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ତଥା ସ୍ଵତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥାଏ । ବିମଳାଙ୍କର ସହସ୍ରାକୁମ୍ଭାଭିଷେକର ପୂଜାବିଧିର ସ୍ଵତନ୍ତ୍ର ନୀତି ନିୟମ ଅନୁସାରେ ଶୁଭାରମ୍ଭ ହୁଏ ଷୋଳହ ପୂଜାର ବିଧିବିଧାନ ।


ଆଶ୍ଵିନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଠାକୁରାଣୀଙ୍କର ସହସ୍ରାକୁମ୍ଭାଭିଷେକର ସ୍ଵତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇ ଷୋଳ ଦିବସୀୟ ଦୁର୍ଗାପୂଜାର ଦୈନଦିନ ପୂଜାବିଧି ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିରରେ ଏହି ଦିବସ ଅବସରରେ ସକାଳଧୂପ ଉଠିବା ପରେ ଭଣ୍ଡାର ଘରୁ ଦୁର୍ଗା ଆଜ୍ଞାମାଳ ପ୍ରାପ୍ତ ହୋଇ ପତି ମହାପାତ୍ର ସେବାୟତଙ୍କ ଦ୍ଵାରା ସୋମନାଥ ମଣ୍ଡପ ଖଟ ଉପରେ ବିଜେ ହୁଅନ୍ତି ।


ସେଠାରେ ପଣ୍ଡା, ପତି ଓ ମୁଦିରସ୍ତ ଆଦି ସେବାୟତମାନେ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଦେବୀଙ୍କୁ କୋଠା ଭୋଗ ପାଣିଆ ଦେଇଥିବା ଏକ ହଜାର ଗରା ପାଣିରେ ସ୍ନାନ କରାଇବା ପରେ ଠାକୁରାଣୀଙ୍କ ଶ୍ରୀଅଙ୍ଗ ପୋଛାଯାଇ ନୂଆଲୁଗା ଲାଗି ସହିତ ବେଶବିଧି ସମ୍ପନ୍ନ ହୁଏ ଏବଂ ପାଣି ପକାଯାଇ ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କରିବା ସହିତ ପଣ୍ଡା ସେବାୟତ ଷୋଡ଼ଷ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯାଏ । ପରେ ବନ୍ଦାପନା ବିଧି ଶେଷ କରାଯାଇ ଦୁର୍ଗାଦେବୀଙ୍କୁ ଭଣ୍ଡାର ଦ୍ଵାରଠାରେ ବିଜେକରାଯାଏ।


ସେଠାରେ ଶ୍ରୀବାଳ ପୁରୁଷୋତ୍ତମ ଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହିତ କୋଠସୁଆଁସିଆ ଦେଇଥିବା ଭଦ୍ରାସନରେ ଦୁର୍ଗାଦେବୀଙ୍କ ସହିତ ଏକତ୍ର ରୁନ୍ଧାଯାଇ ଜୟବିଜୟ ଦ୍ଵାର ଦେଇ ଝୁଲଣମଣ୍ଡପ ନିକଟରେ ଥିବା ପାଲିଙ୍କିରେ ଉଭୟ ଦୈବ-ଦେବୀଙ୍କୁ ବିଜେ କରାଯାଏ । ଏହି ସମୟ ମଧ୍ୟରେ ମା’ ବିମଳାଙ୍କର ସହସ୍ର କୁମ୍ଭବରଣ ପୂଜାବିଧି ସଂପୂର୍ଣ୍ଣ ହୋଇ ବ୍ରହ୍ମାବରଣ ପାଇଁ ବରୁଣ ପୂଜା, ଆଚାର୍ଯ୍ୟ ବରଣ, ସ୍ଵସ୍ତିବଚନ, ଚଣ୍ଡିବରଣ ସଂକଳ୍ପ ପରେ ପାଣି ପଡ଼ି ଓ ପାହାଡା ପଡ଼ି ଭୋଗବଢାଯାଇ ମା’ ବିମଳାଙ୍କୁ ଷୋଡ଼ଷ ଉପଚାରରେ ଭୋଗ କରାଯାଏ ।


ଏହା ପରେ ବିମଳା ମନ୍ଦିରରେ ବିଜେହୋଇଥିବା ଠାକୁରଠାକୁରାଣୀ ମନ୍ଦିର ଖଟ ଉପରେ ବିଜେ କରନ୍ତି । ପୂର୍ବରୁ ଭିତରଚ୍ଛ ମହାପାତ୍ର ସେବାୟତ ରୁପା ପିଙ୍ଗଳା ରେ କର୍ପୂରଜଳ ଲାଗିକରାଇବେ ଠାକୁରଠାକୁରାଣୀଙ୍କୁ । ସେଠାରେ ପାଣିପଡ଼ି ଶୀତଳ ଭୋଗ ମଣୋହି କରାଯିବା ସମେତ ବନ୍ଦାପନା ନୀତି ସମାପନ ହେବ । ମହାପ୍ରଭୁ ଙ୍କ ଭିତରେ ରାତ୍ର ଚନ୍ଦନଲାଗି ଶେଷ ହେବା ପରେ ବିମାନବଡୁମାନେ ଦିଅଁମାନଙ୍କୁ ବାହୁଡା ବିଜେ କରାନ୍ତି । ଶ୍ରୀ ପୁରୁଷୋତ୍ତମ ଦେବ ଏବଂ ଦୁର୍ଗା ଦେବୀଙ୍କର ରୁନ୍ଧା ମୂର୍ତ୍ତି ୧୬ ଦିନ ଧରି ରହୁଥିବା ବିଧାନ ଥିବା ବେଳେ ଦଶହରା ବିସର୍ଜନ ଦିନ ରୁନ୍ଧା ଫିଟିଥାଏ।

କଟକର ଦଶହରା

କଟକର ଏହା ଏକ ପ୍ରଧାନ ପର୍ବ । କଟକ ଦଶହରା ଚାନ୍ଦି ମେଢ଼ ଲାଗି ବିଶ୍ଵ ବିଖ୍ୟାତ, ପୂଜାସମୟ ରେ ମେଢ଼ ଗୁଡ଼ିକୁ ଓ ମା’ଙ୍କ ମୂର୍ତ୍ତି କୁ ରୂପାନିର୍ମିତ ଅଳଙ୍କାର ଦ୍ୱାରା ସଜ୍ଜିତ କରାଯାଇଥଏ, ଆଉ କେତେକ ସ୍ଥାନରେ ଜରିରେ ନିର୍ମିତ ମେଢ଼ ମଧ୍ୟ କରାଯାଇଥାଏ । ଦଶ ଦିନ ଧରି ଏହି ପୂଜା ଚାଲି ଥାଏ । ମା’ଙ୍କ ମୂର୍ତ୍ତି ଗଢା ପାଇଁ ଲବ୍ଧ ପ୍ରତିଷ୍ଠ କାରିଗରମାନେ ନିୟୋଜିତ ହେଇଥାନ୍ତି ।


କାଠଗଡା ସାହି, ବିଡାନାସିର କୁମ୍ଭାରମାନେ ପୁରୁଷାନୁକ୍ରମେ ମୂର୍ତ୍ତି ଗଢି ଆସୁଛନ୍ତି । ମୂର୍ତ୍ତି ଗଢିବା ପାଇଁ ସେମାନଙ୍କୁ ୮ ରୁ ୧୦ଦିନ ସମୟ ଲାଗେ । ବିଭିନ୍ନ ପୂଜା କମିଟି କାରିଗରମାନଙ୍କୁ ଭିନ୍ନ ଭିନ୍ନ ପାରିଶ୍ରମିକ ଦେଇଥାନ୍ତି । ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, ଚାଉଳିଆଗଞ୍ଜ, ଝାଞ୍ଜିରିମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗାବଜାର, ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ପୂର୍ବସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ ।

ଉପସ୍ଥାପନା:
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.