ରାସାୟନିକ ଦୁର୍ଘଟଣା ମୁକାବିଲା ପାଇଁ ବାଲେଶ୍ୱରରେ ଜିଲ୍ଲା ଆପାତକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାସାୟନିକ ଦୁର୍ଘଟଣା ଭଳି ଆପାତକାଳୀନ ପରିସ୍ଥିତିର ପ୍ରଭାବଶାଳୀ ମୁକାବିଲା ଏବଂ ଜିଲ୍ଲାର ଆପାତକାଳୀନ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ନେଇ ବାଲେଶ୍ୱର କଲେକ୍ଟରେଟ୍‌ର ସମ୍ମିଳନୀ କକ୍ଷରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଡେପୁଟି କଲେକ୍ଟର (ଆପାତକାଳୀନ), ଆରଟିଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ, ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଓସ୍‌ଡମା ଏବଂ ଅଗ୍ନିଶମ ସେବା ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲା ଆପାତକାଳୀନ ବୈଠକର ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ମୋଟ ୪୩ ଜଣ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଆପାତକାଳୀନ ବୈଠକର ସଦସ୍ୟ-ସଚିବ ତଥା ବାଲେଶ୍ୱର ଜୋନ୍‌ର କାରଖାନା ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ବୈଠକର ସମନ୍ୱୟ କରିଥିଲେ। ସେ ଜିଲ୍ଲାରେ ଅନ୍-ସାଇଟ୍ ଓ ଅଫ୍-ସାଇଟ୍ ଆପାତକାଳୀନ ଯୋଜନାର ଅନୁମୋଦନ ଓ କାର୍ଯ୍ୟକାରିତା, ଅନ୍-ସାଇଟ୍ ଏବଂ ଅଫ୍-ସାଇଟ୍ ମକ୍ ଡ୍ରିଲ୍ ଆୟୋଜନ, କାର୍ଯ୍ୟଯୋଜନା ଏବଂ ରାସାୟନିକ ଦୁର୍ଘଟଣାକୁ ପ୍ରଭାବଶାଳୀ ଭାବେ ମୁକାବିଲା ପାଇଁ ଆପାତକାଳୀନ ପ୍ରସ୍ତୁତିର ସ୍ଥିତି ସମ୍ପର୍କରେ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ମେସର୍ସ ଆଇଓସିଏଲ୍, ଚାନ୍ଦିପୁର, ଇଣ୍ଡେନ୍ ବଟଲିଂ ପ୍ଲାଣ୍ଟ ଏବଂ ମେସର୍ସ ଗାଡେର୍ ମେରାଇନ ଏକ୍ସପୋର୍ଟ ପ୍ରା.ଲି.ର ପ୍ରତିନିଧିମାନେ ରାସାୟନିକ ଦୁର୍ଘଟଣା ପ୍ରତିରୋଧ, ପ୍ରଶମନମୂଳକ ପଦକ୍ଷେପ, ଆପାତକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଓ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ନିଜ ନିଜ ଉପସ୍ଥାପନା ରଖିଥିଲେ।

ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା, ଆପାତକାଳୀନ ପ୍ରସ୍ତୁତି ସମ୍ପର୍କିତ ଆବଶ୍ୟକତାଗୁଡ଼ିକର ସମୟୋପଯୋଗୀ ଅନୁପାଳନ ସୁନିଶ୍ଚିତ କରିବା ଏବଂ ପ୍ରଭାବଶାଳୀ ଅଫ୍-ସାଇଟ୍ ମକ୍ ଡ୍ରିଲ୍ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ମକ୍ ଡ୍ରିଲ୍ ସମୟରେ ଚିହ୍ନଟ ହେଉଥିବା ତ୍ରୁଟି ଓ ଅଭାବକୁ ଆଧାର କରି ତୁରନ୍ତ ଉପଯୁକ୍ତ ସଂଶୋଧନାତ୍ମକ ଓ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଭବିଷ୍ୟତରେ ଯେକୌଣସି ରାସାୟନିକ ଦୁର୍ଘଟଣାର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଭାବେ ପ୍ରସ୍ତୁତ ରଖିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶେଷରେ ବୈଠକର ଅଧ୍ୟକ୍ଷ ତଥା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇବା ପରେ ବୈଠକର ସମାପ୍ତି ଘୋଷଣା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.