ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଧଡେଲ ବିଟ୍ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଲାଗିରହିଛି। ଦିନକୁ ଦିନ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ରାହୁଲ ଝିମରେଇ ଜଙ୍ଗଲରୁ ଏକ ଦନ୍ତା ହାତୀ ମୂଷାନାଳ ସେକ୍ସନର ଲାଞ୍ଜି ପଞ୍ଚାୟତ ଲଡାଙ୍ଗ ଗାଁରେ ପଶି ସୁଧୀର ହରିଜନଙ୍କ ଘର ଭାଙ୍ଗି ଛାରଖାର କରିଦେଇଛି। ହାତୀର ଗର୍ଜନ ଶୁଣି ସୁଧୀରଙ୍କ ପରିବାର ଜୀବନ ବିକଳରେ ଘର ଛାଡ଼ି ପଡ଼ୋଶୀ ଘରକୁ ପଳାଇଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହାତୀଟି ଘରେ ଗଚ୍ଛିତ ଧାନ, ଚାଉଳ, ମାଣ୍ଡିଆ, ବିରି ଓ ଆସବାବପତ୍ରକୁ ମାଡ଼ି ଚକଟି ନଷ୍ଟ କରିବା ସହ ଚାଷ ଜମିର ଧାନ ଫସଲକୁ ଉଜାଡ଼ି ଦେଇଛି। ଫଳରେ ପରିବାର ସର୍ବସ୍ୱାନ୍ତ ହୋଇଯାଇଛି। ବର୍ତ୍ତମାନ ହାତୀଟି ଧଡେଲ ଜଙ୍ଗଲରେ ଡେରା ପକାଇଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରି ଶୀଘ୍ର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜନଜୀବନ ସୁରକ୍ଷା ପାଇଁ ହାତୀକୁ ତୁରନ୍ତ ଘଉଡ଼ାଇବା ଓ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।





