ପୌରାଣିକ ଗାଥା ଓ କିମ୍ବଦନ୍ତୀରେ ପ୍ରତାପୀ ରାଜା ଗୋସିଂହ ଦୈତ୍ୟ: ଏକ ସଂକ୍ଷିପ୍ତ ଆଲୋଚନା 

ସୁନୀଲ କୁମାର ଧଙ୍ଗଡାମାଝୀ 

ଦ୍ଵାପର ଯୁଗର କଥା। ଜମ୍ବୁଦ୍ବିପରେ ଜେନାବଳି ନଗ୍ର ନାମକ ଏକ ସମୃଦ୍ଧଶାଳି ଦେଶ ଥିଲା। ସେଠାରେ ଗୋସିଂହ ଦୈତ୍ୟ ନାମରେ ଜଣେ ମହାପ୍ରତାପି ରାଜା ଶାସନ କରୁଥିଲେ। ତାଙ୍କର ମସ୍ତକ ଗୋମୁଣ୍ଡ ହୋଇଥିବାବେଳେ ମନୁଷ୍ୟର ଶରୀର ଥିଲା। ସେ ମହାଶକ୍ତିଶାଳି ଥିଲେ ଓ ତାଙ୍କ ପାଖରେ ହଜାରେ ହାତୀର ବଳ ଥିଲା। ତାଙ୍କର ରାଜଧାନୀର ନାମ କୁଳାବଳି ପାଟଣା। ସେହି ନଗରୀର ଗୃହସବୁ ସୁବର୍ଣ୍ଣରେ ମଣ୍ଡିତ ହୋଇଥିଲେ। ଧନ ଧାନ୍ୟରେ ରାଜ୍ୟ ପୁରି ଉଠିଥିଲା। ଗୋସିଂହ ଦୈତ୍ୟ ଥିଲେ ଅସୁର ରାଜ ମହିଷାସୁରଙ୍କ ପଣନାତି। ରାଜଧାନୀ କୁଳାବଳି ପାଟଣାର ରାଜ ଉଆସ ଭିତରେ ଏକ ଗୁପ୍ତ ସୁଡ଼ଙ୍ଗ ଥିଲା। ଏହି ସୁଡ଼ଙ୍ଗରେ ସେ ପ୍ରତିଦିନ ନିଜ ରାଣୀଙ୍କ ସହ କନକଗିରି (ଦେବଗିରି)କୁ ଯାଇ ମହାଦେବଙ୍କୁ ଉପାସନା କରୁଥିଲେ। ଶିବ ଦର୍ଶନ ବିନା ଗୋସିଙ୍ଗ ଦୈତ୍ୟ ଜଳ ମଧ୍ୟ ସ୍ପର୍ଶ କରୁନଥିଲେ। ରାଜା ହେବା ପୂର୍ବରୁ ଗୋସିଂହ ଦୈତ୍ୟ ଦେବଗିରିରେ ଘୋର ତପସ୍ୟା କରିଥିଲେ। ଗୋସିଂହ ଦୈତ୍ୟଙ୍କ ତପସ୍ୟାରେ ପ୍ରିତ ହୋଇ ମହାଦେବ ତାଙ୍କୁ ଅଜୟ ହେବାପାଇଁ ବର ପ୍ରଦାନ କରିଥିଲେ। ମହାଦେବଙ୍କ ବରରେ ବଳିୟାନ ହୋଇ ଉଠିଲେ ଗୋସିଂହ। ଏହି ଦୈତ୍ୟର ପ୍ରକୋପରେ ମହି ଥରହର ହେବାକୁ ଲାଗିଲା। ଦେବତାମାନେ ତ୍ରାହି ତ୍ରାହି ଡାକିବାରେ ଲାଗିଲେ। 

ଏହି ସମୟରେ ରୈବତ ପର୍ବତରେ କୃଷ୍ଣ ବଳରାମ ଏକ ଯଜ୍ଞର ଆୟୋଜନ କଲେ। ଏଥିପାଇଁ ଚାରି ଦିଗକୁ ଯଦୁବଂଶୀମାନେ ଯାଇ ରାଜାମାନଙ୍କୁ ନିମନ୍ତ୍ରଣ କରି ଆଣିଲେ। ସେମାନଙ୍କ ଭିତରୁ ସାତ୍ୟକି ଦାନବ କିମ୍ବା ମାନବ ରାଜ୍ୟ ବୋଲି ଜାଣିନପାରି ଜେନାବଳୀ ନଗ୍ରରେ ପ୍ରବେଶ କଲେ। ନଗରର ଶୋଭା ଦେଖି ସେ ଆଚମ୍ବିତ ହୋଇଗଲେ। ଯେତେବେଳେ ଅସୁର ରାଜ୍ୟରେ ପ୍ରବେଶ କରି ସାରିଲେଣି ତ ସେତେବେଳେ ରାଜାଙ୍କୁ ନିମନ୍ତ୍ରଣ ନକରି ବାଟ ନାହିଁ। ସାତ୍ବକି ଯଜ୍ଞକୁ ଯିବା ନିମନ୍ତେ ଗୋସିଂହ ଦୈତ୍ୟକୁ ନିମନ୍ତ୍ରଣ କଲେ। 

ଶାରଳା ଦାସଙ୍କ ଭାଷାରେ –

ଚାଳିଶ ସହସ୍ର ରାଜାଗଣ ନିମନ୍ତ୍ରିଲା।

ଭ୍ରମନ୍ତେ ଯେ ଜେନାବଳୀ ନଗରେ ମିଳିଲା।।

ଜେନାବଳୀ ପାଟଣାରେ ହୋଇଲା ପ୍ରବେଶ।

ଭୁବନ ସୁବର୍ଣ୍ଣମୟ ଦେଖି ହେଲା ତୋଷ।।

କୁଳାବଳୀ ପାଟଣା ଯେ ଅପୂର୍ବ ନଗରୀ।

ତହିଁ ମଧ୍ୟରେ କନକ ନାମେ ଅଛି ଗିରି।।

କପିଳ ସିଂହ ନନ୍ଦନ ଅଟେ ମହୀ ସିଂହ।

ଏହା ନନ୍ଦନ ଅଟଇ ମହିଷ ସିଂହ।।

ଏହାର ନନ୍ଦନ ଅଟେ ବଜ୍ରସିଂହ ବୀର।

ବଜ୍ରସିଂହର ନନ୍ଦନ ଗୋ ସିଂହ ଅସୁର।।

ଗୋ ସିଂହ ନାମରେ ଅଟେ ଯେବଣ ଅସୁର।

ମନୁଷ୍ୟ ଶରୀର ତାର ଗୋମୁଣ୍ଡ ସଂଜାତ।।

ପ୍ରତାପୀ ରାଜା ମହିଷ ଅସୁରର ବଂଶ।

ଜେନାବଳୀ ନଗ୍ରେ ରାଜ୍ୟ କରଇ ଅସୁର।।

କନକ ଭୁବନ ତାର ପରିମଳ ଦେଖି।

ଅଶ୍ବେକ ଚଢ଼ି ପ୍ରବେଶ ତହିଁରେ ସାତ୍ୟକି।।

ଅସୁର ଭୁବନ ବୋଲି ନଜାଣିଲା ବୀର।

ସାତ୍ୟକି ପ୍ରବେଶ ହେଲା ଯାଇ ସିଂହଦ୍ଵାର।।

(ଶାରଳା ଦାସଙ୍କ କୃତ ମହାଭାରତର ମଧ୍ୟପର୍ବ)

ସାତ୍ୟକି ଜୀବନ ବଞ୍ଚାଇବାକୁ ଯାଇ ଗୋସିଂହ ଦୈତ୍ୟଙ୍କୁ କୃଷ୍ଣ-ବଳରାମଙ୍କ ସନ୍ଦେଶ ଦେଇ ରୈବତ ପର୍ବତରେ ଆୟୋଜିତ ହେଉଥିବା ଯଜ୍ଞକୁ ଆମନ୍ତ୍ରଣ କଲେ। ଅସୁରବଳ ରେରେକାର କରି ରୈବତ ପର୍ବତ ଅଭିମୁଖେ ଯାତ୍ରା କଲେ। ଏହି ପ୍ରସଙ୍ଗରେ ଶାରଳା ଦାସ ଗୋସିଂହ ଦୈତ୍ୟର ସୈନ୍ୟବଳ ସହ ବାଦ୍ୟନାଦର ବର୍ଣ୍ଣନା କରିଛନ୍ତି। –

ଢୋଲ ଟମକ ନିଶାଣ ବାଣ ବିଜିଘୋଷ।

ବୀର ତୂରୀ ଶବଦରେ କମ୍ପଇ ଆକାଶ।।

ଓଟ ଗଧ ଗଜ ଅଶ୍ବ ବ୍ୟାଘ୍ର ଯେ ଶାର୍ଦ୍ଦୁଳ।

ଆରୋହୀ ଅସୁରେ ଯାନ୍ତି ଅପର୍ଯ୍ୟାପ୍ତ ବଳ।।

ଗଦାଶୂଳ ଚକ୍ରକାତି ମୁଦଗର ଭୂଷଣ୍ଡି।

ସୁବର୍ଣ୍ଣ ପ୍ରବାଳ ରତ୍ନେ ରଥଯାକ ମଣ୍ଡି।।

ଲକ୍ଷେକ ସାଗର ରଥ ଦ୍ବିସାଗର ହୟ।

ବେନିଲକ୍ଷ ସାଗର ଯେ ମାତଙ୍ଗ ଗବୟ।।

ଅଶୀଲକ୍ଷ ଅସୁରଙ୍କ ବ୍ୟାଘ୍ର ଯେ ବାହନ।

ଓଟ ପିଠିରେ ଚଢିଲେ ଅୟୁତେକ ସୈନ୍ୟ।।

ଗଧ ବାହାନେ ପଞ୍ଚାଶ ଖର୍ବ ଦୈତ୍ୟ ଚଳି।

ବଳିଆ ବାହାନେ ତେର ଖର୍ବ ମହାବଳୀ।।

ବଳଦ ବାହାନେ ଗଲେ ଅଶୀ ପଦ୍ମ ସେନା

ଗଜବାହାନରେ ଗଲେ ଅଶୀ ପଦ୍ମ ଜେନା।।

ଅନେକ ଦେଶ ନଗ୍ରରେ ତାଣ୍ଡବ କରି ଗୋସିଂହ ଦୈତ୍ୟର ସେନା ରୈବତ ପର୍ବତରେ ପହଞ୍ଚିଲେ। ସେଠାରେ ବଳରାମ ଓ ଯାଦବ ସେନା ସହ ଗୋସିଂହ ଅସୁରର ତୁମୁଳ ସଂଗ୍ରାମ ହେଲା। ଅସୁର ଅଜୟ ରହିବା ଦେଖି ଶ୍ରୀକୃଷ୍ଣ ମାୟା ଭିଆଇଲେ। ଉଗ୍ରସେନ ଗୋସିଙ୍ଗକୁ ପାଛୋଟି ଆଣି ଦିବ୍ୟ ଆସନରେ ବସାଇଲେ।

ପର୍ବତ ଉତ୍ତର କୋଣେ ଛାଡ଼ି ଅସୁରଙ୍କୁ। 

ଅଶୀଜଣ ବୀର ତୁଲେ ନେଲେ ଗୋ ସିଂହକୁ।।

ବସାଇଲେ ନେଇ ଛାୟା ମଣ୍ଡପ ମଧ୍ୟରେ।

ସାଧୁ ତୁ ଜଗମୋହନ ବୋଲନ୍ତି ଅସୁରେ।।

××××××××××××

ଉଗ୍ରସେନ ରାଜା କଲା ଗୋସିଂହକୁ ପୂଜା।

ଗଉରବ ପାଇ ବସେ ସେ ଅସୁର ରାଜା।।

ଯେ ବିଧି ଯୋଗାଡ଼ ଆଣି ତାହାକୁ ଦିଅନ୍ତି। 

ଛପନ କୋଟି ଯାଦବେ ଅନ୍ନ ପରଷନ୍ତି।।

ସୁପାକ୍ବ ଅନ୍ନ ଅମୃତ ଯୋଗାଡ଼ ଏମାନ। 

ସନ୍ତୋଷ ମନେ କରନ୍ତି ଅସୁରେ ଭୋଜନ।।

ଅମୃତରସ ଭୋଜନ ଅସୁର ନୃପତି। 

ଅସୁରଙ୍କ ତୁଲେ ହେଲା ଯାଦବଙ୍କ ପ୍ରୀତି।।

ବଳରାମ ବୋଇଲେ ଏ ପୃଥିବୀକୁ ଭାର। 

ଯଜ୍ଞ ସରିଲେ ମାରିବା ଘେନି ଦାମୋଦର।।

ଅସୁରଙ୍କୁ ଯାଦବମାନେ ମାନ୍ୟ କରିବା ଦେଖି ଦେବରାଜ ଇନ୍ଦ୍ର ମହାଭୟ ପାଇ କୁଟ କପଟ ପାଞ୍ଚିଲେ। ସେ ଚିତ୍ରସେନ ହାତରେ ପାରିଜାତ ପୁଷ୍ପର ମାଳ ଦେଇ ଶ୍ରୀକୃଷ୍ଣଙ୍କ ଗଳାରେ ପିନ୍ଧାଇବା ସହ ଗୋସିଂହ ଦୈତ୍ୟକୁ ବଧ କରିବାକୁ ଅନୁରୋଧ କରିବାକୁ କହିଲେ। ଚିତ୍ରସେନକୁ ଶ୍ରୀକୃଷ୍ଣ କହୁଛନ୍ତି –

ଗୋବିନ୍ଦ ବୋଇଲେ ତୁନି ହୋଇଥାରେ ବାବୁ। 

ପ୍ରତାପୀ ଅସୁର ତାକୁ କେମନ୍ତେ ମାରିବୁ।।

ଲକ୍ଷେ ରାଜାର ହୁଅଇ ଯେତେକ ସଇନି। 

ଏକା ଗୋସିଙ୍ଗ ଆସିଛି ସେତେ ସୈନ୍ୟ ଘେନି।।

ଏହାପରେ ଶ୍ରୀକୃଷ୍ଣ ଗୋସିଂହ ଦୈତ୍ୟକୁ ବହୁତ ସମ୍ମାନ କଲେ। ତା’ର ମନ୍ତ୍ରୀ, ସେନାପତି ଆଦିଙ୍କୁ ବହୁତ ଧନରତ୍ନ ଦେଇ କୃଷ୍ଣ ବଳରାମ ନିରସ୍ତ୍ର ହୋଇ ଯାଇ ଯଜ୍ଞରେ ଉପବେସନ କଲେ। ଏପଟେ ଗୋସିଂହର ମନ୍ତ୍ରୀ ଜପାସୁର ଏସବୁ ଦେବ ମାୟା ବୋଲି ଜାଣିବାକୁ ପାଇଲା। ଯଜ୍ଞ ସରିଲେ ଗୋସିଂହ ବଧ ସୁନିଶ୍ଚିତ ଜାଣି ସେ ରାଜାଙ୍କୁ ମନ୍ତ୍ରଣା ଦେବାକୁ ଲାଗିଲା। ମନ୍ତ୍ରୀର କଥା ଅନୁସାରେ ଗୋସିଙ୍ଗ ଯଜ୍ଞର ଏକାଦଶ ଦିବସରେ ଉତ୍ପାତ ଆରମ୍ଭ କରିଦେଲା। ସେ ଯଜ୍ଞଶାଳାରେ ପହଞ୍ଚି କୃଷ୍ଣ ବଳରାମଙ୍କୁ ଯଜ୍ଞକୁଣ୍ଡରେ ପକାଇ ଦେଇ ଶ୍ରୀକୃଷ୍ଣଙ୍କ ଅଷ୍ଟପାଟବଂଶୀ ମଧ୍ୟରୁ ସତ୍ୟଭାମାଙ୍କୁ ରଥରେ ବସାଇ ଆପଣା ରାଜ୍ୟ ଅଭିମୁଖେ ବାହାରିଲା। ମନ୍ତ୍ରୀ ଜପାସୁର ସତ୍ୟଭାମାଙ୍କୁ ଛାଡ଼ି ଧନରତ୍ନ ନେଇ ନିଜ ରାଜ୍ୟକୁ ଯିବାପାଇଁ ରାଜା ଗୋସିଙ୍ଗକୁ ଅନୁରୋଧ କଲା କିନ୍ତୁ ଅସୁର ଗୋସିଙ୍ଗ ମନ୍ତ୍ରୀ ଜପାସୁରର କଥାକୁ କର୍ଣ୍ଣପାତ କଲାନାହିଁ। ସଭ୍ୟଭାମାଙ୍କୁ ରଥରେ ବସାଇ ଅସୁର ଜେନାବଳୀନଗ୍ରକୁ ଯିବା ବାଟରେ ଅର୍ଜୁନ ବଣରେ ଥିଲେ। ରାତ୍ର ସମୟ, ସେ ସତ୍ୟଭାମାଙ୍କ ଆକୁଳ କ୍ରନ୍ଦନ ଶୁଣି ମନଭେଦୀ ବାଣରେ ଅସୁର ଗୋସିଂହର ପଥରୋଧ କଲେ। ଏହାପରେ ଅର୍ଜୁନ ଓ ଗୋସିଂହ ମଧ୍ୟରେ ତୁମୁଳ ସଂଗ୍ରାମ ହେଲା। ଅନେକ ସମୟର ଯୁଦ୍ଧ ପରେ ଅର୍ଜୁନ ଗୋସିଂହ ଦୈତ୍ୟ ଓ ତାଙ୍କ ମନ୍ତ୍ରୀ ଜପାସୁରକୁ ବଧ କଲେ। ଶାରଳା ଦାସ ତାଙ୍କ ବିରଚିତ ମହାଭାରତ ମଧ୍ୟପର୍ବରେ କହିଛନ୍ତି-

ବଇଷ୍ଣବୀ ଚକ୍ର ମହାମାୟାଙ୍କର ଥିଲା। 

ସେ ଚକ୍ର ଘେନିଣ ପାର୍ଥ ଗୋସିଂହ ମାରିଲା।।

ଏତ ଥିଲା ପୁରାଣ ପୃଷ୍ଠାରୁ ଗୋସିଂହର ଚରିତ୍ର। ତେବେ ଲୋକକଥା ଅନୁସାରେ ଗୋସିଂହ ଦୈତ୍ୟ ଓ ତାଙ୍କ ମନ୍ତ୍ରୀ ଜପାସୁରକୁ ଅର୍ଜୁନ ବଧ କଲେ। ଏହାପରେ ଗୋସିଂହଙ୍କ ସେନାପତି ଚନ୍ଦ୍ରବଂଶୀ ବୀର ଗଖାସୁର ଅର୍ଜୁନଙ୍କୁ ବଧ କରିବାର ପ୍ରତିଜ୍ଞା କରି ରଣ ହୁଂକାର ଦେଲେ। ଗଖାସୁର ଓ  ଅର୍ଜୁନଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ହେଲା। ଶେଷରେ ଅର୍ଜୁନ ପରାସ୍ତ ହେଲେ। ଅର୍ଜୁନଙ୍କୁ ବନ୍ଦିକରି ଗଖାସୁର କନକଗିରି ପାଦଦେଶକୁ ନେଇ ଆସିଲା। ସତ୍ୟଭାମାଙ୍କ ସମେତ ଗୋସିଂହ ଦୈତ୍ୟଙ୍କ ରାଣୀ, ଜପାସୁରଙ୍କ ସ୍ତ୍ରୀ ଓ ଅନ୍ୟ ମହିଳାମାନେ ଏବଂ ପ୍ରଜାବୃନ୍ଦ ତଟସ୍ଥ ହୋଇ ଏହି ଦୃଶ୍ୟ ଦେଖୁଥାନ୍ତି। ସେନାପତି ଗଖାସୁର ବନ୍ଦି ଅର୍ଜୁନଙ୍କୁ ଟାଣି ଟାଣି ନେଇ ଏକ ବୃକ୍ଷ (ଗେଣ୍ଡୁଲ ଗଛ)ରେ ବାନ୍ଧି ଦେଲେ। ଗୋସିଂହ ଦୈତ୍ୟଙ୍କ ବିଧବା ରାଣୀ ଅର୍ଜୁନଙ୍କୁ ବନ୍ଧନ ମୁକ୍ତ କରିବା ସହ ସତ୍ୟଭାମାଙ୍କୁ ଫେରାଇ ଦେବାପାଇଁ ଗଖାସୁରକୁ ଅନୁରୋଧ କଲେ, କିନ୍ତୁ ଗଖାସୁର କିଛି ଶୁଣିଲେ ନାହିଁ। ସେ ଅର୍ଜୁନଙ୍କୁ ଦେବୀଙ୍କ ପାଖରେ ବଳି ଦେବାର ଯୋଜନା କଲେ। ଏହି ସମୟରେ ମହାଦେବ ଆବିର୍ଭାବ ହୋଇ ଗଖାସୁରକୁ ଏଥିରୁ ବିରତ ରହିବାକୁ କହିଲେ। ମହାଦେବଙ୍କ ହସ୍ତକ୍ଷେପ ପରେ ଅର୍ଜୁନଙ୍କୁ ବନ୍ଧନମୁକ୍ତ କଲେ ଗଖାସୁର।

ଗଖାସୁରଙ୍କ ବୀରତ୍ୱ ଦେଖି ତାଙ୍କୁ ଜେନାବଳୀ ନଗ୍ରର ରାଜା ଭାବେ ଘୋଷଣା କଲେ ପାଣ୍ଡବ ଅର୍ଜୁନ। ଅର୍ଜୁନଙ୍କୁ ଗଖାସୁର ବାନ୍ଧିଥିବା ଗେଣ୍ଡୁଲ ଗଛ ଆଜି ମଧ୍ୟ ଦେବଗିରିରେ ରହିଛି, କିମ୍ବଦନ୍ତୀର ମୁକସାକ୍ଷୀ ହୋଇ। ଏହି ଗେଣ୍ଡୁଲ ଗଛର ରଙ୍ଗ ଧଳା, ଯାହା ବିଶ୍ବରେ ବିରଳ। ବୁଢ଼ୀପଦର ସ୍ଥିତ ଦେବଗିରିର ଅପରପାର୍ଶ୍ବରେ ଏକ ପ୍ରାଚୀନ ପଲ୍ଲୀ ରହିଛି ଯାହାର ନାମ ‘ଅର୍ଜୁନ ଗାଁ’। ଦେବଗିରି ପାହାଡ଼ ଅର୍ଜୁନ ଗାଁର ଜମି ଉପରେ ରହିଛି ଏବଂ ଏଥିରେ ମଠର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଭଗବତ ସ୍ବାମୀଙ୍କ ୩୫ ଏକର ଭୂସମ୍ପତ୍ତି ମଧ୍ୟ ରହିଛି। ତେବେ ଅର୍ଜୁନ ଦୈତ୍ୟ ରାଜ୍ୟରୁ ସତ୍ୟଭାମାଙ୍କୁ ଉଦ୍ଧାରକରି ନେଇ କୃଷ୍ଣଙ୍କୁ ସମର୍ପଣ କଲେ। 

ସାରଳା ମହାଭାରତରେ ଗୋସିଂହ ଦୈତ୍ୟ ବଧ ଆଖ୍ୟାନ ରହିଛି। ଏହାସହ ଗୋସିଂହ ଦୈତ୍ୟଙ୍କୁ ନେଇ ଅନେକ କିମ୍ବଦନ୍ତୀ ଓ ଲୋକକଥା ପ୍ରଚଳିତ ହୋଇଛି। ଲୋକକଥା ଅନୁସାରେ ଅସୁରଗଡରେ ଜଣେ ପ୍ରଜାପାଳକ ରାଜା ଶାସନ କରୁଥିଲେ। ତାଙ୍କ ନାମ ଗୋସିଂହ। ରାଜା ଗୋସିଂହ ନାଗ ଗୋତ୍ରୀୟ ବେସ୍କା କନ୍ଧ ଥିବାବେଳେ ମନ୍ତ୍ରୀ ଜପାସୁର ବାଗ ବଂଶୀୟ ଡମ୍ବ ଓ ସେନାପତି ଗଖାସୁର କରୁଆଁ ବଂଶୀୟ ଗଉଡ ଥିଲେ। ଐତିହାସିକ ଅନୁଶିଳନ ପରିପ୍ରେକ୍ଷୀରେ କିମ୍ବଦନ୍ତୀ ଓ ଲୋକ କାହାଣୀକୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରାଯାଇ ପାରିବନାହିଁ। ଲୋକ ବିଶ୍ବାସ ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ଦୂର୍ଗ ଗୋସିଂହ ଦୈତ୍ୟର ରାଜଧାନୀ ଥିଲା ଓ ଏହାର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଦେବଗିରିର ଗୁମ୍ଫା ମଧ୍ୟରେ ସେ ଶିବ ଉପାସନା କରୁଥିଲେ। ବୁଢୀପଦର ଗ୍ରାମ ସ୍ଥିତ ଦେବଗିରିର ପ୍ରାଚୀନ ନାମ କନକଗିରି ବା ସୁବର୍ଣ୍ଣ ପର୍ବତ। ଏହି ପର୍ବତର ବର୍ଣ୍ଣନା ସାରଳା ମହାଭାରତ ସମେତ ସଂସ୍କୃତ ମହାଭାରତର ଭିଷ୍ମ ପର୍ବରେ ରହିଛି। ପ୍ରାଚୀନ କାଳରେ ଦେବଗିରି ଗୁମ୍ଫା ମଧ୍ୟରେ ଋଷିମୁନିମାନେ ବାସକରି ଭଗବତ ଉପାସନା କରୁଥିଲେ। କଳାହାଣ୍ଡିର ପୂରାତନ ନାମ ଜେନାବଳୀ ନଗ୍ର ଯାହାର ରାଜଧାନୀ କୁଳାବଳି ପାଟଣା (ଅସୁରଗଡ) ଥିଲା। ଅସୁରଗଡ ଭାରତର ପ୍ରତ୍ନତତ୍ତ୍ଵ ମାନଚିତ୍ରରେ ସ୍ଥାନୀତ ହୋଇଛି। ଏହାର ସମୟସୀମା ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୫ମ ଶତାବ୍ଦୀ ବୋଲି ଐତିହାସିକମାନେ ମତ ପ୍ରକାଶ କରିଛନ୍ତି। ସେହିପରି ବୁଢ଼ୀପଦର ଠାରେ ଥିବା ଦେବଗିରି ସଭ୍ୟତାର ସମୟସୀମା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟିୟ ପଞ୍ଚମ ଶତାବ୍ଦୀ ମଧ୍ୟରେ ଆକଳନ କରାଯାଇଛି।

କାଳର କରାଳ ଗ୍ରାସରେ ଦେବଗିରି ସଭ୍ୟତା ନିଶ୍ଚିହ୍ନ ହେବାପରେ କଳାହାଣ୍ଡିର ନାଗବଂଶୀ ରାଜାମାନଙ୍କ ଦ୍ୱାରା ୧୮୦୦ ମସିହାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ ଦେବଗିରି ମଠ ଓ ଦଧିବାମନଜୀଉ ମନ୍ଦିର ପ୍ରତିଷ୍ଠା ହୋଇ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ମିଳନ ସ୍ଥଳୀରେ ପରିଣତ ହୋଇଥିଲା। ଦେବଗିରି ମଠର ଗୁମ୍ଫା ମଧ୍ୟରେ ଗୋସିଂହ ଦୈତ୍ୟ ପୂଜା କରୁଥିବା ଶିବଲିଙ୍ଗ କ୍ଷୟ ଅବସ୍ଥାରେ ଥିବାବେଳେ ଉପାସନା ସ୍ଥଳୀ ଆଜି ମଧ୍ୟ ଅକ୍ଷତ ଅବସ୍ଥାରେ ରହିଛି। ଲୋକବିଶ୍ବାସକୁ ଆଧାର କରି ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢୀପଦର ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଆୟୋଜିତ କରି ଆସୁଛି ‘ଗୋସିଂହ ଦୈତ୍ୟ ଦରବାର’। ଯାହା ସ୍ଥାନୀୟ ମିଥ୍ କୁ ନେଇ ପରିକଳ୍ପିତ ରାଜ୍ୟର ପ୍ରଥମ ଦରବାର। 

ମୁଖ୍ୟ ସଂପାଦକ, ଓଡ଼ିଆ ବାର୍ତ୍ତା

Email: odiabarta.in@gmail.com

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.