ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଭ୍ୟତା ଯେତେ ଯେତେ ଉନ୍ନତି କରୁଛି ସଭ୍ୟ ସମାଜ ପ୍ରାକୃତିକ ଖାଦ୍ୟ ପେୟ ପ୍ରତି ସେତେ ଆକୃଷ୍ଟ ହେବାରେ ଲାଗିଛି। ହର୍ବାଲ ଜିନିଷ ପ୍ରତି ଏବେ ମାନବ ସମାଜ ବେସ୍ ସଚେତନ। ପ୍ରକୃତି ଦତ୍ତ ଖାଦ୍ୟ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଗରୀବରୁ ଧନୀ ସମସ୍ତଙ୍କ ନିକଟରେ କରଡି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରି ପାରିଛି। କେବଳ କଳାହାଣ୍ଡି ଜିଲ୍ଲା ବୋଲି ନୁହଁ ପଶ୍ଚିମ ଓଡିଶାର କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ଫୁଲବାଣୀ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ କରଡି ତରକାରୀର ସ୍ୱତନ୍ତ୍ରତା ରହିଛି। ଜୁନ୍ ମାସ ମଧ୍ୟ ଭାଗରୁ ବର୍ଷା ଆରମ୍ଭ ହୋଇଯିବା ପରେ ବାଉଁଶ ବୁଦାରେ ବାଉଁଶ ପିଲ ଦେବା ଆରମ୍ଭ କରିଥାଏ। ଏହି ବାଉଁଶ ପିଲକୁ ଭାଙ୍ଗି ଆଣି ତାକୁ ଚୁନା ଚୁନା ଭାବରେ କାଟି ତାକୁ ତରକାରୀ ଭାବରେ ଖିଆଯାଇଥାଏ। ପିଲ ବାଉଁଶ ବା ବାଉଁଶ ଗଜାକୁ ଚୁନା ଚୁନା କାଟି ଦେଲାପରେ ତାକୁ ହିଁ କରଡି ବୋଲି କୁହାଯାଇଥାଏ। ବାଉଁଶ ପିଲକୁ ଚୁନା ଚୁନା କାଟି କିମ୍ବା ଚକି ଚକି ଭାବରେ କାଟି ସେଥିରେ ସୁସ୍ୱାଦୁ କରଡି ତରକାରୀ ପ୍ରସ୍ତୁତ କରାଯାଇଥାଏ। କଳାହାଣ୍ଡି ଜିଲ୍ଲା ସମେତ ପଶ୍ଚିମ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଏହି ସିଜନ ରେ ଗରୀବରୁ ଧନୀ ସମସ୍ତ ବର୍ଗର ପରିବାର ଗୁଡିକ ମଧ୍ୟରେ କରଡି ତରକାରୀର ବେଶ୍ ଚାହିଦା ରହିଛି। କଳାହାଣ୍ଡି ଜିଲ୍ଲା ନର୍ଲା, ମ.ରାମପୁର, ଥୁଆମୂଳ ରାମପୁର, ଭବାନୀପାଟଣା, କେସିଙ୍ଗା, କୋକସରା, ଲାଞ୍ଜିଗଡ, ଧର୍ମଗଡ, ଜୁନାଗଡ ପ୍ରଭୃତି ଅଞ୍ଚଳରେ ଏହି କରଡ଼ିର ସ୍ଥାନେ ସ୍ଥାନେ ସ୍ୱତନ୍ତ୍ର ବଜାର ବସିଥିବା ଦେଖିବାକୁ ମିଳିଥାଏ। ଭବାନୀପାଟଣାରୁ ନର୍ଲା ଆସିବା ବେଳେ ରାଜରାସ୍ତାର କଡେ କଡେ ଦେପୁର ଠାରୁ ଛତିକୁଡା ମଧ୍ୟରେ, ଜୁନାଗଡ ରୁ ଭବାନିପାଟଣା ଓ ଥୁଆମୁଳ ରାମପୁର ରୁ ଭବାନିପାଟଣା ରାସ୍ତା ଦୁଇ କଡେ ଏହି କରଡି ବଜାର ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ବସି ଆସୁଛି। ଏହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଭିଆପି ଗାଡି ଗୁଡିକ ଏହି ରାସ୍ତା କଡର ଡୁଙ୍ଗୁରିଗୁଡା, ସିନାଙ୍ଗଭଟା ପ୍ରଭୃତି ସ୍ଥାନରେ ଅଟକି କରଡି, ଛତୁ, କାଙ୍କଡ ଓ ସପୁରୀ କିଣୁଥିବା ଦୃଶ୍ୟ ବେଶ ମନୋରମ ଅଟେ। ମାଳ ମାଳ ଭିଆପି ଗାଡି ଧାଡିବାନ୍ଧି ଅଟକି ରହିଥାନ୍ତି କେବଳ କରଡି ଓ ହଣ୍ଡୁଆ କିଣିବା ପାଇଁ। ଜୁନ୍ ମାସ ଶେଷରୁ ସେପ୍ଟେମ୍ବର ମାସ ମଧ୍ୟରେ କରଡି ଉପଲବ୍ଧ ହୋଇଥାଏ। ଏହାପରେ କରଡ଼ିକୁ କପଡାରେ ବାନ୍ଧି ତା ଉପରେ ବଡ ଶିଳାଖଣ୍ଡ ଚାପଦେଇ ପାଣି ନିଗାଡି ଦିଆଯାଇଥାଏ। ତିନି ଚାରିଦିନ ଏପରି ଭାବରେ ପଚାଇ ରଖି ତାକୁ ସୁଖାଇ ଗୁଣ୍ଡକରି ସେଥିରୁ ପ୍ରସ୍ତୁତ କରାଯାଇଥାଏ ହଣ୍ଡୁଆ। ଏହି ହଣ୍ଡୁଆ ଭାଜି ପଖାଳ ଭାତ ସହିତ ଖାଇବାରେ ସ୍ୱତନ୍ତ୍ର ମଜା ରହିଥିବା କୁହାଯାଇଛି। ସମ୍ବଲପୁର, ବଲାଙ୍ଗୀର, ବରଗଡ ଓ ସୋନପୁର ଜିଲ୍ଲାରେ କରିଡ ଉତ୍ପାଦନ ହେଉନଥିଲେ ମଧ୍ୟ ଏହି ଜିଲ୍ଲାବାସୀଙ୍କ କରିଡ ପ୍ରତି ସ୍ୱତନ୍ତ୍ର ଋଚି କୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲାରୁ ବିଶେଷ କରି ନର୍ଲା, କେସିଙ୍ଗା ଓ ଲାଞ୍ଜିଗଡରୁ କରଡି ଏବଂ ହଣ୍ଡୁଆ ରପ୍ତାନୀ ହୋଇଥାଏ। ସେଠାରେ ଚଢାଦରରେ କରଡି ଓ ହଣ୍ଡୁଆ ବିକ୍ରୟ କରି ବେଶ୍ ଭଲ ଦୁଇପଇସା ପାଇଥାନ୍ତି କରଡି ବ୍ୟବସାୟୀ ମାନେ। ଆଗରୁ ବସ୍ ଓ ଟ୍ରେନ୍ ଯୋଗେ କରଡି ଓ ହଣ୍ଡୁଆ ରପ୍ତାନୀ ପ୍ରତି ବିଶେଷ କଟକଣା ରହିଥିଲା। କେନ୍ଦ୍ର ସରକାର ବାଉଁଶକୁ ଟ୍ୟାକ୍ସ୍ ଫ୍ରି କରିଦେବା ପରେ ଏବେ ଆଉ ବନ ବିଭାଗ ତରଫରୁ କରଡି ଓ ହଣ୍ଡୁଆ ରପ୍ତାନୀ ପ୍ରତି ସେତେଟା କଟକଣା ରହୁନି। ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ ରେ କରଡି ଓ ହଣ୍ଡୁଆ ତରକାରୀ କରିକି ଖାଇବା ସହ କରଡିକୁ ସ୍ୱତନ୍ତ୍ର ଢଙ୍ଗରେ ଗଚ୍ଛିତ ରଖି ବର୍ଷ ତମାମ ତରକାରୀ ଭାବରେ ବ୍ୟବହାର କରି ଖାଇଥାନ୍ତି ଲୋକେ। ତରକାରୀ ବ୍ୟତୀତ କରଡିରେ ଖୁବ୍ ସୁଆଦିଆ ଓ ସୁମିଷ୍ଟ କରଡି ଆମ୍ବିଲ ପ୍ରସ୍ତୁତ କରାଯାଇଥାଏ। ଏହାବାଦ୍ ଏହି ସବୁ ଜିଲ୍ଲାର ଲୋକେ କରଡିରେ ସୁମିଷ୍ଟ ଆଚାର ପ୍ରସ୍ତୁତ କରି ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ହେଲେ କରଡି ତରକାରୀ ଓ କରଡି ତଥା ହଣ୍ଡୁଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରତି ଧିରେ ଧିରେ ଲୋକଙ୍କ ଚାହିଦା ବଢିବା ହେତୁ ଏବେ ନିକଟସ୍ଥ ଜଙ୍ଗଲ ଗୁଡିକରେ ବାଉଁଶ ଉତ୍ପାଦନ କମିବା ଯୋଗୁଁ ବାଉଁଶ କାରୀଗର ମାନଙ୍କୁ ଚିନ୍ତା ଘାରିବାରେ ଲାଗିଛି। ବାଉଁଶ ବଢିବା ଆଗରୁ କରଡି ବ୍ୟବସାୟୀ ମାନେ ବାଉଁଶ ପିଲକୁ କାଟିନେଇ କରଡି ଓ ହଣ୍ଡୁଆ ପ୍ରସ୍ତୁତ କରୁଥିବାରୁ ବାଉଁଶ କ୍ରମଶଃ ଲୋପ ପାଇବାକୁ ବସିଲାଣି। ବିଶେଷଜ୍ଞ ମାନଙ୍କ ମତାନୁଯାୟୀ ଏଭଳି ଯଦି ଲଗାତାର ଆଉକିଛି ବର୍ଷ ଏହି ପରିମାଣରେ କରଡି ଓ ହଣ୍ଡୁଆର ବ୍ୟବହାର ଚାଲେ ତାହେଲେ ବାଉଁଶ ଯେ ସମ୍ପୂର୍ଣ୍ଣ ଲୋପ ପାଇଯିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଏଣୁ ସରକାର ବାଉଁଶ ର ସୁରକ୍ଷା ପାଇଁ ଏବଂ ବାଉଁଶ କାରିଗର ମାନଙ୍କ ଜୀବନ ଜୀବିକା ପାଇଁ ବେଳହୁଁ ସଜାଗ ହେବା ବାଞ୍ଛନୀୟ ବୋଲି ମତ ପ୍ରକାଶ ପାଉଛି।





