ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): କଳାହାଣ୍ଡି ଲେଖକ କଳା ପରିଷଦ, ଭବାନୀପାଟଣା ଓ ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ମିଳିତ ଆନୁକୁଲ୍ୟରେ ‘ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ’ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ନିମାଇଁ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଶିକ୍ଷାବିତ ଓ ସୁସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ହରେକୃଷ୍ଣ ମେହେର ମୁଖ୍ୟ ବକ୍ତା, ଡ. ଦାଶରଥି ଆଚାର୍ଯ୍ୟ, କଳାହାଣ୍ଡି ଲେଖକ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଓ ସମ୍ପାଦକ ଭବନାଥ ରାୟଗୁରୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭବାନୀପାଟଣା ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ମେହେର ସଙ୍ଗୀତ ପରିବେଷଣ କରାଯାଇଥିଲେ । ମୁଖ୍ୟ ବକ୍ତା ଡ. ମେହେର ଗଙ୍ଗାଧରଙ୍କ ସାହିତ୍ୟରେ ସାମାଜିକ ଚିତ୍ର ଓ ଆଜିର ଦିନରେ ତାହାର ଉପାଦେୟତା ବିଷୟରେ ସମ୍ୟକ ଆଲୋଚନା କରିଥିଲେ ଏବଂ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୁଣ୍ଡ ଗଙ୍ଗାଧର ସାହିତ୍ୟରେ ପ୍ରକୃତିପ୍ରାଣତା ବିଷୟରେ ବିଷଦ ଆଲୋଚନା କରିଥିଲେ । ସଭା ଶେଷରେ ପୂର୍ବରୁ ଅନୁଷ୍ଠିତ ଗଙ୍ଗାଧର ମେହେର କୈନ୍ଦ୍ରିକ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ବିଭାଗ ମୁଖ୍ୟ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଦୟ ପଧାନ ଧନ୍ୟବାଦ ଦେଇଥିଲେ । ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା, ଅନୁଷ୍ଠାନର ଅନ୍ୟ ଅଧ୍ୟାପିକା/ଅଧ୍ୟାପକ, ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ତଥା କଳାହାଣ୍ଡି ଲେଖକ କଳା ପରିଷଦର ବରିଷ୍ଠ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ଓଡ଼ିଆ ଅଧ୍ୟାପକ ଦୀନବନ୍ଧୁ ବାଗ, ଅଧ୍ୟାପିକା ଅଞ୍ଜଳି ମାଝୀ, ବିଥିକା ମଞ୍ଜରୀ ଠାକୁର ସହଯୋଗ କରିଥିଲେ ।





