କୋରାପୁଟ ଜେଲରେ ଭାଇ-ଭଉଣୀର ଭାବପୂର୍ଣ୍ଣ ମିଳନ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଜେଲର ଚାରିକାନ୍ଥ ଭିତରେ ବି ହାରିଲାନି ଭାଇ-ଭଉଣୀର ସ୍ନେହ। ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜେଲ ପରିସରରେ ଦେଖିବାକୁ ମିଳିଥିଲା ଭାବବିହ୍ୱଳ କରିଦେବା ଭଳି ଦୃଶ୍ୟ। ଜେଲରେ ଥିବା ଭାଇମାନଙ୍କୁ ଭେଟିବା ପାଇଁ ସକାଳୁ ଭଉଣୀମାନେ ପହଞ୍ଚିଥିଲେ। ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କର ମଙ୍ଗଳ କାମନା କରିଥିଲେ। ଜୀବନର ପରିସ୍ଥିତି ଭାଇ-ଭଉଣୀଙ୍କୁ ଅଲଗା କରିଦେଇଥିଲେ ମଧ୍ୟ, ରାଖୀର ଏହି ପବିତ୍ର ଡୋରି ସମ୍ପର୍କର ଉଷ୍ମତାକୁ କମାଇ ପାରିନଥିଲା। ଭାଇଙ୍କ ହାତରେ ରାଖୀ ବାନ୍ଧିବା ବେଳେ ଭଉଣୀଙ୍କ ଆଖିରେ ଖୁସି ସହ ଭାବନା ମଧ୍ୟ ସ୍ପଷ୍ଟ ଦେଖାଯାଇଥିଲା। କିଛି ସମୟର ଏହି ମିଳନ ଜେଲ ପରିସରରେ ଭାଇ-ଭଉଣୀର ନିଆରା ସ୍ନେହର ସାକ୍ଷୀ ପାଲଟିଥିଲା। ରାଖୀ କେବଳ ଏକ ସୂତା ନୁହେଁ, ଏହା ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ବିଶ୍ୱାସ, ଭଲପାଇବା ଓ ଆଶାର ପ୍ରତୀକ। କୋରାପୁଟ ଜେଲର ଏହି ଦୃଶ୍ୟ ପୁଣିଥରେ ସେହି ସତ୍ୟକୁ ମନେ ପକାଇଦେଇଥିଲା—କାନ୍ଥ ଦୂରତା ସୃଷ୍ଟି କରିପାରେ, କିନ୍ତୁ ସ୍ନେହର ସମ୍ପର୍କକୁ ଭାଙ୍ଗିପାରେ ନାହିଁ।





