ତୃଣମୂଳସ୍ତରରେ ଆଇନ ସଚେତନତା ପହଞ୍ଚାଇବାକୁ ଆହ୍ୱାନ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ, ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ତୃଣମୂଳସ୍ତରରେ ଆଇନର ପ୍ରଭାବୀ କାର୍ଯ୍ୟକାରିତା ନେଇ ‘ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଆଇନ-୨୦୦୫’ ଉପରେ ଜିଲ୍ଲାସ୍ତରୀୟ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଶନିବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋସ୍ନା ମହାନ୍ତି ଅଧ୍ୟକ୍ଷତା କରି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଶିବିରକୁ ଉଦ୍ଘାଟନ କରି ନାରୀ ସଶକ୍ତିକରଣ ଓ ମହିଳା ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ପ୍ରଚଳିତ ବିଭିନ୍ନ ଆଇନ ଓ ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗଦେଇ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା, ହିଂସାର ପ୍ରତିରୋଧ ଏବଂ ସେମାନଙ୍କ ମୌଳିକ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପ୍ରଶିକ୍ଷଣରେ ମିଳୁଥିବା ଜ୍ଞାନକୁ କେବଳ ନିଜ ମଧ୍ୟରେ ସୀମିତ ନରଖି ତୃଣମୂଳସ୍ତରରେ ପହଞ୍ଚାଇବାକୁ ସେ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ଦ୍ୱାରା ଶିବିରର ଉଦ୍ଦେଶ୍ୟ ସାର୍ଥକ ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହିର, ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଳ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବାମଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଶିକ୍ଷଣଦାତ୍ରୀ ଭାବେ ପୋଲିସ ଉପ-ଅଧିକ୍ଷକ ନିର୍ମଳା ଗଚ୍ଛାୟତ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଆଇନଗତ ସାକ୍ଷରତା, କ୍ଷମତା ନିର୍ମାଣ, ଘରୋଇ ହିଂସା ଘଟଣାରେ ପ୍ରତିକ୍ରିୟା ଏବଂ ପୀଡ଼ିତାଙ୍କ ଗୋପନୀୟତା ରକ୍ଷା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଓକିଲ ଅମ୍ବୁଜା ଦାସ ଆଇନ ସଚେତନତା, ଆଇନଶୃଙ୍ଖଳା, ଆଇନ ସେବା, ଆଇନଗତ ପରାମର୍ଶ ଏବଂ ଆଇନର ବିଭିନ୍ନ ସକାରାତ୍ମକ ପ୍ରଭାବ ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଶିବିରରେ ଜିଲ୍ଲାର ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଜିଲ୍ଲା ମହିଳା ସଶକ୍ତିକରଣ ଅଧିକାରୀ, ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ, ପରାମର୍ଶଦାତା ସଂସ୍ଥାର ଅଧିକାରୀ ଓ ସଦସ୍ୟା, ଅଣ-ସଂସ୍ଥାର ଅଧିକାରୀ, ସଖି ଏକକ ସହାୟତା କେନ୍ଦ୍ରର କର୍ମକର୍ତ୍ତା, ଶକ୍ତି ସଦନର ଅଧୀକ୍ଷିକାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ପ୍ରୋଟେକ୍ସନ ଅଧିକାରିଣୀ ଯୁଥିକାରାଣୀ ରାୟ ଧନ୍ୟବାଦ ଅର୍ପଣ କରିବା ସହ ଶିବିରର ଉଦ୍ଯାପନ କରିଥିଲେ।





