ଓଡ଼ିଆ ବାର୍ତ୍ତା/ କଟକ: ଗଲି କ୍ରିକେଟ୍ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ୍ ଟୁର୍ଣ୍ଣମେଣ୍ଟ । ତଳେ ପଡିଛି ସିନ୍ଥେଟିକ୍ ମ୍ୟାଟ୍, ସୁରକ୍ଷା ପାଇଁ ଲାଗିଛି ନେଟ୍ । ବାଣ ସାଙ୍ଗକୁ ରଙ୍ଗୀନ ଆଲୋକ ସହ ମ୍ୟୁଜିକର ତାଳେ ତାଳେ ଏଣ୍ଟ୍ରି ମାରୁଛନ୍ତି ଖେଳାଳି । ଖେଳ ପଡ଼ିଆ ନୁହେଁ ଘରର ଛାତ ଉପରେ ଖେଳା ଯାଉଛି ମ୍ୟାଚ୍ । କଟକ ମାତାମଠରେ ଥିବା ଏକ ୪ ମହଲା ଛାତ ଉପରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିବା ବେଳେ ଛାତର ପରିସୀମାକୁ ନେଇ କରାଯାଇଛି ଛକା ଆଉ ଚଉକା ପାଇଁ ନିୟମ । ୫ଟି ଟିମକୁ ନେଇ ଏହି ନିଆରା ମ୍ୟାଚ୍ ଖେଳା ଯାଇଛି । ୩ଟି ଟିମକୁ ନେଇ ପ୍ରଥମ ସଂସ୍କରଣ ସଫଳ ପରେ ଦ୍ୱିତୀୟ ସିଜିନରେ ୫ଟି ଟିମ୍ ଖେଳୁଛନ୍ତି । ହାଲୋଜିନ୍ ଲାଇଟରେ ଖେଳାଯାଉଛି ଫଟାଫଟ୍ କ୍ରିକେଟ । ମନୋରଞ୍ଜନ ସହିତ ଶାରୀରିକ ବ୍ୟାୟମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛି ମୋମେଣ୍ଟମ ଜିମ୍ । ଆଉ ଏହାକୁ ବେଶ ଉପଭୋଗ କରୁଛନ୍ତି କଟକ ବାସିନ୍ଦା ।