ସୂତାକଳକୁ ଋଣ ମୁକ୍ତ କରି ପୁନଃରୁଦ୍ଧାର କରିବା ଦାବି: ଆମରଣ ଅନଶନ ପାଇଁ ନିଷ୍ପତ୍ତି ନେଲେ ଇଂ ହିମାଂଶୁ ମଲ୍ଲିକ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ ତିର୍ତ୍ତୋଲ ସ୍ଥିତ ଶ୍ରୀ ସାରଳା ସମବାୟ ସୂତାକଳକୁ ଋଣ ମୁକ୍ତ କରି ପୁନଃରୁଦ୍ଧାର କରିବା ନଚେତ୍ ସେଠାରେ କିଛି ବିକଳ୍ପ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି । ଯଦି ଆଗାମୀ ୧୫ ଦିନ ମଧ୍ଯରେ ଏହା ଉପରେ ସରକାର କିଛି ପଦକ୍ଷେପ ନ ନିଅନ୍ତି ତେବେ ସେ ଆମରଣ ଅନଶନ କରିବା ପାଇଁ ନିଷ୍ପତ୍ତି ନେବେ ବୋଲି ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି । ଗତ କିଛି ଦିନ ତଳେ ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ, ମଞ୍ଚେଶ୍ୱର ଇଣ୍ତଷ୍ଟ୍ରିଆଲ ବ୍ରାଞ୍ଚ ସୂତାକଳର ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବକେୟା ଦର୍ଶାଇ ସୂତାକଳର ୧୬ ଏକର ଜମି ଓ ଅନ୍ଯାନ୍ଯ ଯନ୍ତ୍ରାଂଶକୁ ସିଲ୍ କରିଥିଲା । ଏହା ପରେ କଂଗ୍ରେସ ସୂତାକଳକୁ ଋଣ ମୁକ୍ତ କରି ପୁନଃରୁଦ୍ଧାର କରିବା ପାଇଁ ବିଭିନ୍ନ ପ୍ରକାର ଆନ୍ଦୋଳନ କରି ଆସୁଛି । ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରିଥିଲା ପରେ ସୂତାକଳ ସମ୍ମୁଖରେ ଗଣ ପ୍ରତିବାଦ କରି ମୁଖ୍ଯମନ୍ତ୍ରୀ, ବିଧାୟକ, ସାସଂଦ ଓ ମୁଖ୍ଯ ସଚେତକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଶେଷରେ ୩୦ ଜୁଲାଇ ରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ତିର୍ତ୍ତୋଲ ସୂତାକଳ ସମ୍ମୁଖରୁ ଭୂବନେଶ୍ୱର ମୁଖ୍ଯମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟଳୟ ପର୍ଯ୍ୟନ୍ତ ପାଖାପାଖି ୧୧୦ କି. ମି. ରାସ୍ତା ହିମାଂଶୁ ମଲ୍କିକ ଓ ତାଙ୍କ ସହଯୋଗୀ ମାନେ ପଦଯାତ୍ରା କରିଥିଲେ । ସେଠାରେ ଦଶ ହଜାର ତିର୍ତ୍ତୋଲ ଜନତାଙ୍କ ସ୍ବାକ୍ଷର ସମ୍ବଳିତ ଦାବି ପତ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଏହାକୁ ପ୍ରାୟ ଅଢେଇମାସ ବିତି ଯାଇଥିଲେ ମଧ୍ଯ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଇଂ. ମଲ୍ଲିକ ଓ ତାଙ୍କ ସହଯୋଗୀ ମାନଙ୍କୁ ନିରାଶ କରିଛି ବୋଲି ସେ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି । ଏହା ସହିତ ତିର୍ତ୍ତୋଲ ମାଟିର ସ୍ୱାଭିମାନର ଏ ଲଢେଇରେ, ଆମ ମାଟି ମା’ର ହଜି ଯାଇଥିବା ପରିଚୟ ଓ ଏଠାକାର ସାଧାରଣ ଜନତା ଏବଂ ଯୁବକ ଯୁବତୀଙ୍କ ଭବିଷ୍ୟତ ପାଇଁ ଆମେ ଆମର ବର୍ତ୍ତମାନକୁ ଜୁଇର ନିଆଁରେ ଜାଳିବାକୁ ପ୍ରସ୍ତୁତ ଅଛୁ ବୋଲି ସେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.