ନିଶାଦ୍ରବ୍ୟ ନିର୍ବାଚନକୁ କରିପାରେ ପ୍ରଭାବିତ

ଭୁବନେଶ୍ବର,୯/୪ : ରାଜ୍ୟ ସଚିବାଳୟରେ  ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ସମନ୍ଧରେ ଏକ ଉଚ୍ଚ ସ୍ତରୀୟ ବୈଠକ ମୂଖ୍ୟ ଶାସନ ଶଚିବ ଆଦିତ୍ୟ ପ୍ରସାଦ ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅବକାରୀ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ,  ଉନ୍ନୟନ କମିସନର ଅସୀତ ତ୍ରିପାଠୀ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବେଆଇନ ନିଶାଦ୍ରବ୍ୟ ଏହା ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ପୁଲିସ୍‌, ଅବକାରୀ ବିଭାଗ ଓ ଡ୍ରଗ୍ କଣ୍ଟ୍ରୋଲର ବିଭାଗର ଅଧିକାରୀମାନେ କଡ଼ା ନଜର ରଖିବା ସହିତ ରୋକିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି ।

ଉନ୍ନୟନ କମିସନର ଅସୀତ ତ୍ରିପାଠୀ ଉଭୟ ପୁଲିସ୍‌ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିବା ସହିତ ଦୈନିକ ସମନ୍ବିତ ରିପୋର୍ଟ ଦେବା ପାଇଁ ନିର୍ଦେଶ ‌ଦେଇଥିଲେ।

ଅବକାରୀ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଲେ ଯେ ନିର୍ବାଚନକୁ ଆଖିରେ ରଖି ଗତ ଫେବ୍ରୁଆରି ମାସଠାରୁ ବେଆଇନ ନିଶା କାରବାର ଉପରେ ଚଢ଼ଉ, ଜବତ ଓ ଗିରଫଦାରି ଜାରି ରହିଛି। ସେ ଉପସ୍ଥାପିତ କରିଥିବା ତଥ୍ୟାନୁଯାୟୀ ବର୍ତମାନ ସୁଦ୍ଧା ଉଭୟ ଅବକାରୀ ଓ ପୁଲିସ୍‌ ବିଭାଗ ମୋଟ ୮୯୬୯ଟି ମକଦ୍ଦମା ରୁଜୁ କରିବା ସହିତ ୨୧୪୦ଜଣଙ୍କୁ କୋର୍ଟଚାଲାଣ କରିଛନ୍ତି। ୧.୩୨ ଲକ୍ଷ ଲିଟର ବେଆଇନ ଦେଶୀ ମଦ ଓ ୨୭୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ୧୧୬୨୭ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ହୋଇଛି।

ପଡ଼ୋଶୀ ରାଜ୍ୟମାନଙ୍କରୁ ଆସୁଥିବା ବେଆଇନ ନିଶାଦ୍ରବ୍ୟ ରୋକିବା ପାଇଁ ସଂଯୋଗ ସ୍ଥାପନ କରିବା, ବହୁମୁଖୀ ସ୍କ୍ବାଡ୍‌ ଜରିଆରେ କ୍ଷେତ୍ରସ୍ତରୀୟ ପ୍ରବର୍ତନ କାର୍ଯ୍ୟକୁ ଅଧିକ କଡ଼ାକଡ଼ି କରିବା, ଅବକାରୀ ଓ ପୁଲିସ୍‌ ବିଭାଗ ମଧ୍ୟରେ ଗୁଇନ୍ଦା ତଥ୍ୟ ନେଣଦେଣ, ମଦ ତିଆରି କାରଖାନାଗୁଡ଼ିକରେ ଉତ୍ପାଦନ ନିୟନ୍ତ୍ରଣ, ଭୋଟଗ୍ରହଣ ଦିନର ୪୮ ଘଣ୍ଟା ପୂର୍ବରୁ ଆନ୍ତଃରାଜ୍ୟ ସୀମା ସିଲ୍‌, ରାଜ୍ୟ ଭିତରେ ଥିବା ବେଆଇନ ମଦ ଦୋକାନ ବନ୍ଦ କରିବା, ଓଡ଼ିଶା ଅବକାରୀ ଆଇନର ଧାରା୫(୯)ର କ୍ଷମତା ପୁଲିସ୍‌କୁ ଅର୍ପଣ କରିବା, ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଆଦି ସଂପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇଥିଲା।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.