ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ପାଇଁ ଦୃଷ୍ଟିବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ପାଇବେ ରାଷ୍ଟ୍ରପତି ପୁରସ୍କାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବା ଏମପାୱରମେଣ୍ଟ୍ ଅଫ୍ ଇନକ୍ଲୁସିଭ୍ ଏଜୁକେସନ ପାଇଁ ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବେ ରାୟଗଡା ସଦର ଗୌତମ ନଗର ଅଞ୍ଚଳର ଦୃଷ୍ଟିବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ଦାଶ। ଏନେଇ ଆଜି ରାଇସିନାହିଲ୍ସ୍ ରୁ ନିମନ୍ତ୍ରଣ ଆସିଛି। ଆସନ୍ତା ସ୍ବାଧୀନତା ଦିବସରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ନୂଆଦିଲ୍ଲୀ ଠାରେ ସମ୍ବର୍ଧିତ ହେବେ। ପ୍ରଫେସର କାମାକ୍ଷା ପ୍ରସାଦ ୭ବର୍ଷ ବୟସରେ ନିଜର ଦୁଇ ଆଖି ହରାଇଥିଲେ। ଶ୍ରୀ ଦାଶ ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିବା ବେଳେ ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଭୁବନେଶ୍ବରରେ ଉଚ୍ଚ ଶିକ୍ଷା ଲାଭ କରି ଓଡିଶା ସରକାରଙ୍କ ସମାବେଶୀ ଶିକ୍ଷାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଦୃଷ୍ଟିବାଧିତ ପିଲା ମାନଙ୍କୁ କିପରି ସମାଜର ମୁଖ୍ଯ ସ୍ରୋତରେ ସାମିଲ କରାଯିବ ସେନେଇ ଅନେକ ପଦକ୍ଷେପ ନେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ ଉପାନ୍ତ ଅଂଚଳର ଦୃଷ୍ଟିବାଧିତ ଆଦିବାସୀ ପିଲାଙ୍କ ପାଇଁ ସେ ଦୃଷ୍ଟାନ୍ତମୂଳକ କାମ ମାନ କରିଛନ୍ତି। ସେହିପରି ଦୃଷ୍ଟିହୀନ ହୋଇ ଭଗବତ ଗୀତାର ଅନେକ ଶ୍ଳୋକ ମୁଖସ୍ତ କରିଥିବା ବେଳେ ସାହିତ୍ୟ ପ୍ରତି ମଧ୍ଯ ରୁଚି ରଖିଛନ୍ତି। ଆତ୍ମ ଦର୍ପଣ, ଆଜିର ଆହ୍ବାନ, ପରିଧି ଓ ସତ୍ଯ ଖୋଜିବା ଚାଲ ପରି ପ୍ରାୟ ୧୨ଟି ସାହିତ୍ୟ ରଚନା କରି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି। ସୁରଭି ଗୌରବ ଓ ସୁରଭି ରତ୍ନ ସହ ଅନେକ ସରକାରୀ ଅନୁଷ୍ଟାନ ଦ୍ବାରା ସମ୍ବର୍ଧିତ ହୋଇଛନ୍ତି ପ୍ରଫେସର କାମାକ୍ଷା ପ୍ରସାଦ ଦାଶ। ତେଣୁ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ନିମନ୍ତ୍ରଣ ଆସିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.