ଗଳ୍ପ: ମହତ ଦାନ

ମହେଶ ଏବଂ ତାଙ୍କ ପତ୍ନୀ ଅତ୍ୟନ୍ତ ଗରିବ । ତେଲ ଲୁଣ ସଂସାର ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ଯେତେ ପରିଶ୍ରମ କଲେ ମଧ୍ୟ ଅଭାବ ମେଣ୍ଟୁ ନ ଥିଲା । ମହେଶର ସ୍ତ୍ରୀ ତାଙ୍କର ଭାଗ୍ୟକୁ ଦୋଷ ଦେଉଥିଲେ । ସମୟ ଗଡି ଚାଲିଲା । ଋଣ ବୋଝ ମଧ୍ୟ ବଢ଼ି ବଢ଼ି ଚାଲିଲା । ଦିନକୁ ଦିନ ସାହୁକାରର ତାଡନା ବଢ଼ିବାକୁ ଲାଗିଲା । ଦିନରାତି ମହେଶ ପରିଶ୍ରମ କରି ଉତ୍ପନ୍ନ କରିଥିବା ଖାଦ୍ୟ ଶସ୍ୟକୁ ପ୍ରତିଥର ସୁଧ ହିସାବରେ ସାହୁକାର ନେଇ ଯାଉଥିଲା । ମହେଶକୁ ନୂଆ କିଛି କାର୍ଯ୍ୟ କରିବାକୁ ପଡ଼ୁଥିଲା । ତାଙ୍କ ଧର୍ମ ପତ୍ନୀ ତାଙ୍କୁ ଜଙ୍ଗଲକୁ କାଠ କାଟିବାକୁ ପଠାଉଥିଲେ । ଦିନସାରା କାଠ କାଟି ସନ୍ଧ୍ୟାରେ ବଜାରରେ ବିକ୍ରୀକରି ଘରକୁ ଫେରୁଥିଲେ । ବଞ୍ଚିବା ତାଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇ ଯାଇଥିଲା । ଦିନେ ମହେଶ କାଠ କାଟିବାକୁ ବହୁତ ଦୂରକୁ ଚାଲିଗଲା । ସେତେବେଳକୁ ମଧ୍ୟାହ୍ନ ସମୟ ବିତି ସାରିଥାଏ । କାଠ କାଟି ସାରି ବୋଝ କରି ନିଜ ଘରକୁ ବାହାରିଲେ । ବାଟରେ ତାଙ୍କୁ ବହୁତ ଭୋକ ଲାଗିଲା । ସେ ଜଙ୍ଗଲରେ ଗୋଟିଏ ଛୋଟ କୁଟୀରର ସନ୍ଧାନ ପାଇଲେ। 

   ମହେଶ କୁଟୀର ସାମ୍ନାରେ ଅନେକ ସମୟ ଅପେକ୍ଷା କଲେ । କିଛି ସମୟ ପରେ ଗୃହକାର୍ଯ୍ୟ ସାରି ଗୃହକର୍ତ୍ତା ବାହାରକୁ ଆସିଲେ । ସେ ଜଣେ ବୟସ୍କ ବ୍ରାହ୍ମଣ ବ୍ୟକ୍ତି । ସେ ବାହାରକୁ ଆସି ଭୋକିଲା ଗାଈ ଏବଂ କୁକୁରଙ୍କୁ ଖାଇବାକୁ ଦେବାକୁ ଲାଗିଲେ । ମହେଶ ବୁଝିଗଲା ସେ ଜଣେ ବଦାନ୍ୟ ବ୍ୟକ୍ତି । ସେ ଶୁଦ୍ଧପୂତ ଭାବନା ବହନ କରନ୍ତି । ମହେଶ ସାଥୀରେ ଆଣିଥିବା କାଠକୁ କିଣିବାକୁ ନିବେଦନ କଲା । ମୂଲଚାଲ ହେବା ପରେ ମହେଶ ଦଶ ଟଙ୍କାରୁ କମ ହେଲେ କାଠ ଦେଇ ପାରିବ ନାହିଁ ବୋଲି କହିଲେ । ଶସ୍ତ୍ରିଜି ମାହେଶକୁ ପଞ୍ଚଟଙ୍କାରୁ ଅଧିକ ଦେଇ ପାରିବେନାହିଁ ବୋଲି କହିଲେ । ଏହି ସମୟରେ ମହେଶ ଅତ୍ୟନ୍ତ ଭୋକିଲା ଥିବା କଥା ପ୍ରକାଶ କରିଥିଲା । ଶାସ୍ତ୍ରୀ ତାଙ୍କ ପାଇଁ ଘରେ ପରସା ଯାଇଥିବା ଖାଦ୍ୟ ଆଣି ମହେଶକୁ ପ୍ରଦାନ କରିଥିଲେ । ମହେଶ ଖାଦ୍ୟ ଖାଇସାରି ଶାସ୍ତ୍ରୀଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ସମସ୍ତ କାଠ ମାତ୍ର ପାଞ୍ଚ ଟଙ୍କାରେ ପ୍ରଦାନ କରି ଘରକୁ ଫେରିଥିଲେ । ଘରେ ତାଙ୍କ ଧର୍ମପତ୍ନୀ  ଆସିବା ପରେ ସେ ଦିନର ରୋଜଗାର ଦେବାକୁ କହିଲେ । ସେ ସାଙ୍ଗରେ ଆଣିଥିବା ପାଞ୍ଚ ଟଙ୍କା ପ୍ରଦାନ କରିଥିଲେ । ତାଙ୍କ ଧର୍ମପତ୍ନୀ ତାଙ୍କ ମୁଣ୍ଡ ଉପରେ ଥିବା ଋଣ ଶୁଝିବା ପାଇଁ ଆଉ ଏକ ଉପାୟ ପଞ୍ଚିଲେ । ମହେଶଙ୍କୁ କହିଲେ ଘଞ୍ଚ ଜଙ୍ଗଲକୁ ଗଲେ ସେଠାରେ ରକ୍ତ ଚନ୍ଦନ ମିଳିବ । ବଡି ଭୋରୁ ଜଙ୍ଗଲକୁ ଗଲେ ଶୀଘ୍ର କାଠ କାଟି ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସି ପାରିବେ ।
       
  ମହେଶ ତା ପରଦିନ ନିତ୍ୟକର୍ମ ସାରି ଜଙ୍ଗଲ ଅଭିମୁଖେ ବାହାରି ପଡିଲେ । ମହେଶ ଚାଲି ଚାଲି ଶେଷରେ ଘଞ୍ଚ ଜଙ୍ଗଲରେ ପହଂଚିଗଲେ । ମହେଶ ରକ୍ତ ଚନ୍ଦନ ଠାବ କଲେ । ମହେଶ କାଠ କାଟିବା ସମୟରେ ଗୋଟିଏ ବଡ଼ କାଠ ତଳେ ପଡ଼ିଗଲା । କେହିଜଣେ ଚିତ୍କାର କରି ରାଗରେ କିଛି କହୁଥିବାର  ଶୁଣିବାକୁ ମିଳିଲା । ତଳକୁ ଆସି  ଜଣେ ତପସ୍ୟା ରତ ସାଧୁଙ୍କୁ ଦେଖିଲେ । ସାଧୁଙ୍କ ତପସ୍ୟା ଭଙ୍ଗ କରିଥିବାରୁ ସେ  ତାଙ୍କୁ କୁକୁରରେ ପରିଣତ ହେବାକୁ ଅଭିଶାପ ଦେଉଛନ୍ତି । ସେ ସାଧୁଙ୍କ ପାଦଧରି କ୍ଷମା ପ୍ରାର୍ଥନା କଲା । ସାଧୁ କହିଲେ ଅଭିଶାପକୁ ଲେଉଟାଇ ହେବ ନାହିଁ । ଯେଉଁ ଦିନ ସେ ଦୁଇଜଣ ମହତ ଦାନ ପ୍ରଦତ୍ତ ବ୍ୟକ୍ତିଙ୍କ ପ୍ରାପ୍ତ ଖାଦ୍ୟ ଭକ୍ଷଣ କରିବେ ସେଇଦିନ ସାପମୁକ୍ତ ହୋଇ ପୁନର୍ବାର ମଣିଷ ହୋଇଯିବେ । 
           
    ସାଧୁଙ୍କ ବାକ୍ୟ ସତ୍ୟ ହେଲା । ସେ କୁକୁର ହୋଇଗଲେ । ସବୁଆଡେ ଦୌଡ଼ିବାକୁ ଲାଗିଲେ । ଯେଉଁ ବ୍ୟକ୍ତି ତାଙ୍କୁ ଖାଦ୍ୟ ଦେଇଥାନ୍ତି ସେ ଖାଇ ଦିଅନ୍ତି । ଆଶା ରଖିଥାନ୍ତି କାଳେ ତାଙ୍କ ଦାନ ମହତ ହୋଇଥିବ । ସେ ନିଜ ରୂପ ଫେରି ପାଇବେ । ଅନେକ ଲୋକଙ୍କ ଦାନ ଅଇଁଠା ଖାଇ ମଧ୍ୟ ତାଙ୍କୁ କିଛି ସୁଫଳ ମିଳିଲା ନାହିଁ । ହଠାତ୍ ସେ ଯାଇ ଶାସ୍ତ୍ରୀଙ୍କ ଘର ପାଖରେ ପହଂଚିଗଲେ । ସେ କିଛି ଖାଦ୍ୟ ପକ୍ଷୀ ମାନଙ୍କୁ ଦେଉଥିଲେ । ଘରୁ ତାଙ୍କ ସ୍ତ୍ରୀ ବଡପାଟିରେ କହୁଥିଲେ ସବୁ ଖାଦ୍ୟ ପଶୁ ପକ୍ଷୀଙ୍କୁ ଦେଇଦେଲେ ତୁମେ ଖାଇବ କ’ଣ । ଶାସ୍ତ୍ରୀ ଧନୀ ଲୋକ ନ ଥିଲେ । ତାଙ୍କ ଦୈନିକ ପରିଶ୍ରମ ଫଳରେ ଉପାର୍ଜନ କରିଥିବା ଖାଦ୍ୟକୁ ସେ ଦାନ କରି ଅନେକ ସମୟରେ ଉପବାସ ରହୁଥିଲେ । ତାଙ୍କର ସାଂସାରିକ ଆସକ୍ତି ନ ଥିଲା କିମ୍ବା ଲୋଭ ମଧ୍ୟ ନ ଥିଲା । କୁକୁରଟି ଭୋକିଲା ଥିବାରୁ ଶାସ୍ତ୍ରୀଙ୍କ ଘର ସାମ୍ନାରେ ଚିତ୍କାର କରୁଥିଲା । ଶାସ୍ତ୍ରୀ ତାହା ବୁଝିପାରିଥିଲେ । ଶାସ୍ତ୍ରୀ ତାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା କିଛି ଖାଦ୍ୟ ଆଣି କୁକୁରକୁ ଦେଲେ । କୁକୁର ତାହାକୁ ଖାଇସାରି ଦେଖିଲା ତାର ଶରୀରର ଅଧା ଅଂଶ ଧଳା ହୋଇ ଯାଇଛି । କୁକୁରତି ସାଧୁଙ୍କ କଥାକୁ ଅନୁଭବ କଲା ଦୁଇ ଜଣଙ୍କ ହାତରୁ ମହତ ଦାନ ଖାଇଲେ ଶରୀର  ରୂପାନ୍ତରିତ ହୋଇ ମନୁଷ୍ୟ ରୂପ ପ୍ରାପ୍ତି ହେବ । ସେ ଖୁସିରେ ଦୌଡ଼ିବାକୁ ଲାଗିଲା କାଳେ ଆଉ ଜଣଙ୍କର ମହତ ଦାନ ମିଳିଯିବ । 
   ଗୋଟିଏ ବଜାରରେ ଶୁଣିଲା ପାଖ ପଡୋଶୀ ରାଜା ଭୋକିଲାଙ୍କୁ ଖାଦ୍ୟ, ବସ୍ତ୍ର ନିଃସ୍ୱାର୍ଥପର ଭାବେ ପ୍ରଦାନ କରୁଛନ୍ତି । ମହେଶ ମଧ୍ୟ ଅଧା ଧଳା କୁକୁର ବେଶରେ ସେହି ଜାଗାକୁ ଚାଲିଲା । ଅନେକ ସମୟ ଅପେକ୍ଷା କଲା । ରାଜାଙ୍କ ଦାନ ନେଇ ସମସ୍ତେ ରାଜାଙ୍କୁ ଆଶୀର୍ବାଦ କରି ଚାଲି ଯାଉଥିଲେ । ମହେଶ ଆଶା ରଖିଥିଲେ ରାଜାଙ୍କ ଦାନ ଖାଦ୍ୟ ଖାଇଲେ ପୁନର୍ବାର ମଣିଷ ରୂପ ପ୍ରାପ୍ତ ହେବ। ରାଜା ମଧ୍ୟ ଦାନ ସୂତ୍ରରେ ସେ କୁକୁରକୁ ଗୋଟିଏ ପାତ୍ରରେ ଖାଇବା ଦେଲେ । ସେ ସମସ୍ତ ଖାଦ୍ୟ ଖାଇସାରି ଅପେକ୍ଷା କଲା ତାର ଶରୀରର କିଛି ପରିବର୍ତ୍ତନ ହେବ। ସେମିତି କିଛି ଘଟିଲା ନାହିଁ । ପୁନଶ୍ଚ ସେ ଜଙ୍ଗଲକୁ ଚାଲିଲା । ବାଟରେ ଦେଖିଲା ଜଣେ ବୃଦ୍ଧା ଚାଲିବାକୁ ବଳ ନାହିଁ ପାଣି ଭାର ଭୋଇ ନେଉଛି । କିଛି ବାଟ ଗଲା ପରେ ବିଶ୍ରାମ ନେଉଛି । ତାଙ୍କ ପାଖକୁ ଯେଉଁ ପଶୁ ଜନ୍ତୁ ଆସୁଛନ୍ତି ସେ ସାଙ୍ଗରେ ଆଣିଥିବା କିଛି ଖାଦ୍ୟ ପ୍ରଦାନ କରୁଛନ୍ତି । କୁକୁର ଅନୁଭବ କଲା ଏତେ ବୟସରେ ସେ କର୍ମ କରି ପେଟ ପୋଷୁଛନ୍ତି । ନିଜ ଭାଗର ଖାଦ୍ୟ ମଧ୍ୟ ପଶୁ ପକ୍ଷୀଙ୍କୁ ଦେଇ ନିଜେ ଆନନ୍ଦ ଅନୁଭବ କରୁଛନ୍ତି । କୁକୁରଟି ସେହି ବୃଦ୍ଧ ବ୍ୟକ୍ତିଙ୍କ ପାଦତଳେ ଶୋଇ ପଡ଼ିଲା । ନିଜ ଲାଞ୍ଜ ହଲାଇବାକୁ ଲାଗିଲା । ବୃଦ୍ଧ ଜଣଙ୍କ ବୁଝିଗଲେ କୁକୁରଟି ଭୋକିଲା ଅଛି । ସେ ତାଙ୍କ ପାଖରେ ଶେଷରେ ବାକିଥିବା ଖାଦ୍ୟକୁ କୁକୁରକୁ ପ୍ରଦାନ କଲେ । କୁକୁର ପତ୍ର ଚାଟି ସମସ୍ତ ଖାଦ୍ୟ ଖାଇସାରି ଅନୁଭବ କଲା ତାର ଶରୀର ରୂପାନ୍ତରିତ ହୋଇ ପୁନର୍ବାର ମଣିଷରେ ପରିଣତ ହୋଇଯାଇଛି । 
    ମହେଶ ବର୍ତ୍ତମାନ ସାପମୁକ୍ତ ହୋଇ ସାଧୁଙ୍କୁ ଭେଟିବାକୁ ଚାଲିଗଲା । ସାଧୁ ଜଣଙ୍କ ମହେଶକୁ ଦେଖି ଆଶୀର୍ବାଦ କଲେ । ପଚାରିଲେ ଏତେଦିନ କାହିଁକି ଲାଗିଲା ମଣିଷ ରୂପ ନେବାକୁ । ମହତ ଦାନ ମିଳିବାରେ କାହିଁକି ବିଳମ୍ବ ହେଲା । ମହେଶ ଦାନ ଦେଇଥିବା ରାଜାଙ୍କ କଥା କହି ସାଧୁଙ୍କୁ ପ୍ରଶ୍ନ କରିଥିଲେ । ରାଜା କଣ ମହତ ଦାନୀ ନୁହନ୍ତି ? ସାଧୁ ଜଣଙ୍କ କହିଲେ ରାଜା ଯାହା ଦାନ କଲେ ତାହା କର ସୂତ୍ରରେ ପ୍ରଜା ମାନଙ୍କ ଠାରୁ  ପାଇଛନ୍ତି । ତାହା ପିଇବାକୁ ତାଙ୍କୁ ପରିଶ୍ରମ କରିବାକୁ ପଡ଼ି ନାହିଁ । ନିଜ ସ୍ବାର୍ଥ ପାଇଁ ଏବଂ ନିଜର ବଡିମା ଦେଖାଇବା ପାଇଁ ତାହା ସେ ଦାନ କରିଛନ୍ତି । ତାହା କେବେବି ମହତ ଦାନ ହୋଇ ପାରିବ ନାହିଁ । ଶାସ୍ତ୍ରୀ ଏବଂ ଜଙ୍ଗଲରେ ଚାଲୁଥିବା ବୃଦ୍ଧ ଯେଉଁ ଦାନ କରିଥିଲେ ତାହା ମହତ ଦାନ । ତାଙ୍କର ଭୋକ ମେଣ୍ଟାଇବା ପାଇଁ ଉଦ୍ଧିଷ୍ଟ ଖାଦ୍ୟକୁ ସେ ଦାନ କରୁଥିଲେ । ମହେଶ ସବୁ ଶୁଣି ଘରକୁ ଫେରିଲେ । ସାଧୁ ତାଙ୍କୁ ଆସିବା ସମୟରେ ଆଶୀର୍ବାଦ କରିଥିଲେ ତୁମର ଆଉ ଆର୍ଥିକ ଅନଟନ ରହିବ ନାହିଁ । ସେ ତାଙ୍କ ପରିବାର ସହିତ ସୁଖରେ କାଳତିପାତ କଲେ ।
ଡଃ ସଂଗ୍ରାମ କେଶରୀ ସାମନ୍ତରାୟ
ଓଏଫଏସ (ବରିଷ୍ଠ )
 ମୋ – ୭୮୪୬୯୩୬୧୬୨
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.