ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗାର ପଞ୍ଚମ ବାର୍ଷିକ ଉତ୍ସବ ସମାରୋହ

ଉଦଘାଟିତ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ନୀଳମାଧବ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗଦାନ କରି ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଆଦର୍ଶ କିପରି ଗଠନ ହୋଇପାରିବ ସେନେଇ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଏବଂ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଜୀବନ ଉପରେ ମତପୋଷଣ କରିଥିଲେ । ସମ୍ମାନୀତ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଜୀବନ ଗଠନରେ ମାଁ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତଦେଇଥଲେ । ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଲକ ଶିକ୍ଷା ଅଧିକାରୀ ବବୃବାହାନ ପ୍ରଧାନ ମଞ୍ଚାସୀନ ରହିଥିଲେ । ସଭା ଆରମ୍ଭ ପୂର୍ବରୁ ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ଦୀପ ପ୍ରଜ୍ବଳନ କଲାପରେ ସଂଗୀତ ଶିକ୍ଷକ ବିରଞ୍ଚି ନାରାୟଣ ବାହିନୀପତିଙ୍କ ସହଯୋଗିତାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପଟ୍ଟନାୟକ ଅତିଥି ମାନଙ୍କୁ ସ୍ବାଗତ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଭିଏମଡିସି ସଦସ୍ୟ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀମାନେ ସହଯୋଗ କରିଥିଲେ । ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟା ବିଶ୍ଵକର୍ମା ଓ ଦ୍ବାଦଶ ଶ୍ରେଣୀ ଛାତ୍ର ସନ୍ଦିପ ସ୍ବାଇଁ ସଭା ସଞ୍ଚାଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.