ବିଦେଶୀ ୟୁନିଭର୍ସିଟିର ଭାରତୀୟ ଶାଖାଗୁଡ଼ିକରେ ହୋଇପାରିବନି ଅନ୍‌ଲାଇନ୍ କ୍ଲାସ୍


ନୂଆଦିଲ୍ଲୀ: ବିନା ଅନୁମତିରେ ବିଦେଶୀ ୟୁନିଭର୍ସିଟିଗୁଡ଼ିକ ଭାରତରେ ଶାଖା ଖୋଲିପାରିବେ ନାହିଁ କି ଅନ୍‌ଲାଇନ୍‌ କ୍ଲାସ୍‌ କରିପାରିବେ ନାହଁ। ଏଥିପାଇଁ ତାଙ୍କୁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କ ଅନୁମୋଦନ ନେବାକୁ ହେବ। ତେବେ ଅନୁମୋଦନ ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ୟୁଜିସି ଚେୟାରପର୍ସନ ଏମ୍ ଜଗଦିଶ କୁମାର।

ତେବେ ଯେଉଁ ବିଦେଶୀ ୟୁନିଭର୍ସିଟିଗୁଡ଼ିକର ଭାରତରେ ଶାଖା ରହିଛି ସେମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ହିଁ କ୍ଲାସ୍ କରିବେ ଅନ୍‌ଲାଇନ୍ କ୍ଲାସ୍ କରିବାକୁ ଅନୁମତି ଦିଆଯିବ ନାହିଁ। ଡିଷ୍ଟାନ୍ସ କୋର୍ସ ବି ସେମାନେ କରିପାରିବେ ନାହିଁ ବୋଲି ଜଗଦିଶ କୁମାର କହିଛନ୍ତି।

ତେବେ ଏହି ୟୁନିଭର୍ସିଟିଗୁଡ଼ିକ ପୂର୍ଣ୍ଣ ସ୍ୱାଧୀନତା ସହ ସେମାନଙ୍କ ନାମଲେଖା କାର୍ଯ୍ୟ କରିପାରିବେ ଓ ଏଥିପାଇଁ ଫି ଆଦାୟ କରିପାରିବେ ବୋଲି ୟୁଜିସି ମୁଖ୍ୟ ଶ୍ରୀ କୁମାର କହିଛନ୍ତି। ବିଦେଶୀ ୟୁନିଭର୍ସିଟି ଗୁଡ଼ିକ ଭାରତରେ ଶାଖା ଖୋଲି ତାର ପରିଚାଳନା କରୁଛନ୍ତି। ଏଥିପାଇଁ ଗୁରୁବାର ବିଦେଶୀ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛି ୟୁଜିସି।

କେବଳ ସେତିକି ନୁହେଁ ବେଦେଶୀ ୟୁନିଭର୍ସିଟିଗୁଡ଼ିକ ଭାରତରେ ଯେଉଁ ସଂସ୍ଥା ଖୋଲିଛନ୍ତି ସେଥିରେ ପାଠପଢା ମୂଳ ୟୁନିଭର୍ସିଟିର ପାଠପଢ଼ା ଭଳି ହେବା ଦରକାର। ଏଥିରେ ଯେମିତି କୌଣସି ଭେଦଭାବ ନ ହୁଏ ସେ ୟୁଜିସି ମୁଖ୍ୟ ସତର୍କ କରାଇଛନ୍ତି।

ତେବେ ପାଣ୍ଠି ଯୋଗାଣ ନେଇ ୟୁଜିସି ମୁଖ୍ୟ କହିଛନ୍ତି ଯେ ସୀମାପାର ପାଣ୍ଠି ଯୋଗାଣ ବିଦେଶୀ ବିନିମୟ ପରିଚାଳନା ନିୟମ(ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ନିୟମରେ ହେବ। ତେବେ ଏସବୁ ବିଷୟରେ ହିତାଧିକାରୀଙ୍କ ସହ ଆଲୋଚନା କରି ମାସ ଶେଷରେ ଗାଇଡ୍‌ଲାଇନ୍‌ ଜାରି କରାଯିବ। ତା ସହ ବିଦେଶୀ ୟୁନିଭର୍ସିଟିକୁ ମିଳିଥିବା ଅନୁମୋଦନ ସମୟ ଅନୁସାରେ ବଦଳୁଥିବା ସର୍ତ୍ତ ସହ ୯ ବର୍ଷରେ ପୁଣି ନୂଆକରି ହେବ ବୋଲି ଶ୍ରୀ କୁମାର କହିଛନ୍ତି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.