ସାଥିର ମୃତ୍ୟୁରେ ଭାଙ୍ଗି ପଡ଼ିଛି ଶୁଆଟି, ଏବେବି ବଞ୍ଚିଛି ବିଶ୍ବାସ ସେ ଉଠିବ..ଆଉ କଥା କହିବ


କଣ ପାଇଁ ଶୋଇ ରହିଛୁ ? ଉଠ କଥା କହ.. ମୋତେ ଟିକିଏ ଚାହୁଁନୁ… ଏତେ ଚୁପ କାହିଁକି ହେଇଯାଇଛୁ । ତୁ କିଛି କହୁନୁ କାହିଁକି.. ଏମିତି କିଛି ଅକୁହା କଥା ଆମେ କହୁନୁ ଏ ଦୃଶ୍ୟ କହୁଛି । ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଆପଣ ବି ଦେଖିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଶୁଆଟିର ପାଟି ସିନା ଫିଟୁନି ହେଲେ ସେ ତାର ବନ୍ଧୁକୁ ଉଠାଇବା ପାଇଁ ପ୍ରାଣପଣେ ଚେଷ୍ଟା କରି ଚାଲିଛି  ।

ନିଜ ସାଥୀର ମୃତ୍ୟୁ ପରେ ଅସ୍ଥିର ହୋଇପଡିଛି ଶୁଆଟି । ତା ସାଥୀ ପାଖରେ ବସି ତାକୁ ଥଣ୍ଟରେ ସାଉଁଳି ପକାଉଛି । ସତେ ଯେମିତି କହୁଛି ଥରେ ଉଠିଯା, କେମିତି ତତେ ଏକା ଛାଡି ରହିବି । କିନ୍ତୁ ସେ ବୋଧେ ଜାଣିନି ତା ସାଥୀ ଏ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି । ଯେତେ ଚେଷ୍ଟା କଲେ ବି ସେ ଆଉ ଉଠିବନି। ତାର ଶେଷ ବିଦାୟ ପାଇଁ ପ୍ରସ୍ତୁତି ଚାଲିଛି । ସେ କେବଳ ଗୋଟିଏ କଥା ଭାବୁଛି ସବୁ ଅଭିମାନ ଭୁଲି ବନ୍ଧୁ ପୁଣି କଥା କହୁ ଆଉ ତା ଥଣ୍ଟରେ ଟିକିଏ ସ୍ନେହଭରା ସ୍ପର୍ଶ କରୁ  ।

ତେବେ ଏଭଳି ଭାବପ୍ରବଣ ଭିଡିଓ ସୋଶିଆାଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓଟିରେ କିଭଳି ଶୁଆଟି ଅତ୍ୟନ୍ତ ଭାବପ୍ରବଣ ହୋଇଯାଉଛି ତାହା ଏଠାରେ ଦେଖିବାକୁ ମିଳିଛି । ଶୁଆଟି ନିଜ ସାଥୀର ମୃତ୍ୟୁରେ ଦୁଃଖରେ ଭାଙ୍ଗିପଡିଛି । ଯାହା ଦେଖି ଆପଣ କହିବେ କେବଳ ମଣିଷ ନୁହଁନ୍ତି ପଶୁ ପକ୍ଷୀ ମାନେ ବି ସମ୍ପର୍କର ମୂଲ୍ୟ ଠିକ୍ ଭାବେ ବୁଝିପାରିଥାନ୍ତି ଏବଂ ସେମାନେ ମଧ୍ୟ ଯନ୍ତ୍ରଣା କଣ ଅନୁଭବ କରିପାରନ୍ତି ।

ତେବେ ଏହି ଭିଡିଓଟି ଆଇପିଏସ ସୁଶାନ୍ତ ନନ୍ଦ ନିଜ ଟ୍ବିଟର ହ୍ୟାଣ୍ଡଲରେ ଶେୟାର କରିଛନ୍ତି । ଆଉ ଶୁଆଟିକୁ ଶେଷ ବିଦାୟ ଜଣାଇଛନ୍ତି  । କିନ୍ତୁ ଏହି ୨୦ ସେକେଣ୍ଡର ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି ।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.