ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏହି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ ହେଉଛନ୍ତି ମେରି କୋମ, ଯୋଗେଶ୍ୱର ଦତ୍ତ, ଡୋଲା ବାନାର୍ଜୀ, ଅଲକାନନ୍ଦ ଅଶୋକ, ସାହଦେବ ଯାଦବ ଏବଂ ଦୁଇ ଓକିଲ। ଏହାପରେ ତିନି ଦିନ ଧରି ଆନ୍ଦୋଳରେ ବସିଥିବା ଭାରତୀୟ କୁସ୍ତିଯୋଦ୍ଧାମାନେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବୈଠକ କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି। ସରକାର ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଆମେ ଆନ୍ଦୋଳନ ପ୍ରତ୍ୟାହାର କରୁଛୁ ବୋଲି ରେସଲର ବଜରଙ୍ଗ ପୁନିଆ ଶନିବାର ଗଣମାଧ୍ୟମକୁ କହିଛନ୍ତି। ଏହାପୂର୍ବରୁ କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ନିକଟକୁ ଯାଇଥିଲେ। ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ୍, ସରିତା ମୋର ଓ ସୁମିତ୍ ମଲିକ ପ୍ରମୁଖ ଆଇଓଏ ସଭାପତି ପି.ଟି ଉଷାଙ୍କୁ ଏକ ଲିଖିତ ଅଭିଯୋଗ ପଠାଇଛନ୍ତି। ଏହି ଅଭିଯୋଗରେ କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫ୍ଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ କରିଛନ୍ତି। ଏହା ସହିତ କୁସ୍ତିଯୋଦ୍ଧା ସଂଘର ସଭାପତିଙ୍କୁ ବହିଷ୍କାର କରିବା ଏବଂ ଯୌନ ଶୋଷଣର ଅଭିଯୋଗର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ ଦାବି କରିଥିଲେ। ଖେଳାଳିମାନେ ସେମାନଙ୍କ ଅଭିଯୋଗ ପତ୍ରରେ କହିଛନ୍ତି ଯେ ବ୍ରିଜ ଭୂଷଣ ଶରଣ ସିଂ ଖେଳାଳିଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ରେସଲରମାନଙ୍କୁ ପ୍ରାୟୋଜକ ଟଙ୍କା ମଧ୍ୟ ଦିଆଯାଇନଥାଏ ଏବଂ ପ୍ରଶିକ୍ଷକମାନେ ଯୋଗ୍ୟତା ଆଧାରରେ ଖେଳାଳି ଚୟନ କରନ୍ତି ନାହିଁ। କୁସ୍ତିଯୋଦ୍ଧାମାନେ ପି.ଟି ଉଷାଙ୍କୁ ଦାବି କରିଥିଲେ ଯେ ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ନଦେବା ଯାଏ ଏବଂ ଯଥାଶୀଘ୍ର ଏକ କମିଟି ଗଠନ କରାଯାଉ। ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଏପରିକି ସେ କହିଛନ୍ତି ଯେ ଇସ୍ତଫା ପ୍ରଶ୍ନ ଉଠୁନାହିଁ।