ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି l ଏହି ଅବସରରେ ବାଲିଗୁଡାର ଆରାଧ୍ୟ୍ୟଦେବୀ ମା’ପାଟଖଣ୍ଡା ଓ ବରାଳଦେବୀଙ୍କ ମୁଖ୍ୟ ପର୍ବହେଉଛି କାନ୍ଦୁଲଭଜା ଯାତ୍ରା l ପଶ୍ଚିମ ଓଡିଶାର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ l
ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ l ନୂଆ କାନ୍ଦୁଲ ଶିମ୍ବ, ମହୁଲ ଫୁଲ, ପଳାସ ଫୁଲ, ମୁଆଁ ଇତ୍ୟାଦିକୁ ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଲାଗି କଲାପରେ ପରିବାର ସମସ୍ତେ ସାମୁହିକ ପ୍ରସାଦ ସେବନ କରନ୍ତି l ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ବୋଦା କୁକୁଡ଼ା ବଳୀଦେବା ପ୍ରଥା ମଧ୍ୟ ରହିଛି l ଏହି ଯାତ୍ରା ବାଲିଗୁଡା ଉପଖଣ୍ଡର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡି ଭଳି ବିଭିନ୍ନ ଗାଁ ରେ ପାଳିତ ହେଉଅଛି l
ମାଆ ପାଟ୍ଟଖଣ୍ଡାଙ୍କୁ ପୂର୍ବେ ଆଦିବାସୀ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରିଆସୁଥିବା ବେଳେ କାଳକ୍ରମେ କ୍ଷତ୍ରିୟ, ପାଇକ, ଖଣ୍ଡାୟତ, ବଂଶଧର ମାଆଙ୍କୁ ପୂଜାର୍ଚନା କରି ଆସୁଛନ୍ତି l ପରମ୍ପରା ଅନୁଯାୟୀ ମାଆ ପାଟ୍ଟଖଣ୍ଡାଙ୍କ ପ୍ରତୀକ ଟାମୁକ ଓ ଖଣ୍ଡା ରଜାପାତ୍ରଙ୍କ ଘରୁ ବାହାରିବା ପରେ ସମସ୍ତ ଶ୍ରଦ୍ଧାଳୁ ନିର୍ଜଳା ଉପବାସ ରହି ନୂଆବସ୍ତ୍ର ପରିଧାନ କରି ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ନୂଆଖାଇ ଥିଲେ l ଏହି କୃଷି ଭିତ୍ତିକ କାନ୍ଦୁଲ ଭଜା ପର୍ବ କେଉଁ ଆବାହନ କାଳରୁ ଅଦ୍ୟାବଧି ରହି ଜାକ ଜକମରେ ପାଳିତ ହୋଇ ଆସୁଛି l