ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡାରେ ଶ୍ରୀରାମ ନବମୀ ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶ୍ରୀରାମ ନବମୀ ମହୋତ୍ସବ ସମିତି ଆନୁକୂଲ୍ୟରେ ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଜଗନ୍ନାଥ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗାଁର ସମସ୍ତ ସାହି ପରିକ୍ରମା କରାଯାଇଥିଲା | ଶୋଭାଯାତ୍ରା ପୂର୍ବରୁ ଗୌରଚନ୍ଦ୍ର ସୁଆର ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିଥିଲେ | ପରେ ୧୯୯୨ ମସିହାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ଯାଇଥିବା କାରସେବକ ସଜନୀକାନ୍ତ ଦାସ, ପ୍ରଶାନ୍ତ କୁମାର ପାତ୍ର, ହରିଶଙ୍କର ସାହୁ, କପିଳାସ ଭୋଇ, ସୁନୀଲ ରାଜପଲିଆଙ୍କୁ ସମିତି ତରଫରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା | ପରେ ଏକ ସୁସଜ୍ଜିତ ରଥରେ ଭଗବାନ ଶ୍ରୀରାମଙ୍କ ପ୍ରତିମାଙ୍କୁ ବିରାଜମାନ କରାଇ ଗ୍ରାମରେ ଶୋଭାଯାତ୍ରା କରାଯାଇଥିଲା | ଏହି ଶୋଭାଯାତ୍ରାରେ ଗ୍ରାମର ଶତାଧିକ ଭକ୍ତ ସାମିଲ ହୋଇଥିଲେ | ଜୟ ଶ୍ରୀରାମ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିଲା | ଏହି ଟିକ୍ରାପଡାରେ ଶ୍ରୀରାମ ନବମୀ ଉପଲକ୍ଷେ ପ୍ରଥମ ଥର ପାଇଁ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବାରୁ ସାଧାରଣରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା | ଏଥିରେ ଗ୍ରାମବାସୀ ଶୋଭାଯାତ୍ରା ପରିଚାଳନାରେ ଉପସ୍ଥିତ ରହି ସହଯୋଗ କରିଥିଲେ |