ପ୍ରଭୁ! ତବ କୃପା ହିଁ କେବଳମ୍…

ମଗଧ ଦେଶରେ ସୁଦାସ ନାମକ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ଗରିବ ଥିବାରୁ ସେ ଏକ ଚାଳ ଛପର ଘରେ ନିଜ ପରିବାର ସହ ରହୁଥିଲେ। ତାଙ୍କ ଘର ପଛପଟେ ଏକ ବିରାଟ ପୋଖରୀ ଥିଲା। ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ସୁଦାସ ସେହି ପୋଖରୀରେ ସ୍ନାନ କରୁଥିଲେ। ଦିନେ ସୁଦାସ ଭୋର୍‌ରୁ ଉଠି ସ୍ନାନ ପାଇଁ ଗଲାବେଳେ ପୋଖରୀ ତୁଠରେ ପହଞ୍ଚି ଏକ ବିଚିତ୍ର ଦୃଶ୍ୟ ଦେଖିଲେ। ପୋଖରୀରେ ଏକ ସୁନ୍ଦର ପଦ୍ମଫୁଲ ଫୁଟିଛି। ଫୁଲଟିକୁ ଦେଖି ସୁଦାସ ମନେ ମନେ ଆଶ୍ଚର୍ଯ୍ୟ ହେଲେ। ଆଜି ପର୍ଯ୍ୟନ୍ତ ପୋଖରୀରେ ପଦ୍ମ ଫୁଟିବା ସେ କେବେ ଦେଖି ନ ଥିଲେ। ତା’ଛଡ଼ା ପୋଖରୀରେ ପଦ୍ମ ଫୁଟିବା ପରି ସେପରି କିଛି ପରିବେଶ ମଧ୍ୟ ନ ଥିଲା। ପୂର୍ବଦିନ ବି ସେ ଏହି ପୋଖରୀରେ ସ୍ନାନ କରିଥିଲେ। ପଦ୍ମ ଫୁଲର କଢ଼ି ବା ସେମିତି କିଛି ଚିହ୍ନବର୍ଣ୍ଣ ନ ଥିଲା। ରାତିକ ଭିତରେ ଏପରି ଚମତ୍କାର ଘଟିଲା କେମିତି? ଘରକୁ ଫେରି ସେ ତୁରନ୍ତ ପତ୍ନୀଙ୍କୁ ଏକଥା କହିଲେ। ସୁଦାସଙ୍କ ପତ୍ନୀ ମଧ୍ୟ ସୁଦାସଙ୍କ ଅପେକ୍ଷା ଆହୁରି ଧର୍ମଶୀଳା ଥିଲେ। ପଦ୍ମଫୁଲକୁ ଦେଖି ତାଙ୍କର ମନେହେଲା ପରମ କାରୁଣିକ ବୁଦ୍ଧ ନିଶ୍ଚେ ଆଖପାଖରେ କେଉଁଠି ଥାଇପାରନ୍ତି। ଅଦିନରେ ପଦ୍ମ ଫୁଟିବା ବୁଦ୍ଧଙ୍କ ଉପସ୍ଥିତିର ସୂଚନା ବୋଲି ତାଙ୍କୁ ଲାଗିଲା। ଏ ଫୁଲ କେବଳ ବୁଦ୍ଧଙ୍କ ପାଇଁ ସମର୍ପିତ ହେବ ବୋଲି ସେ ସ୍ୱାମୀଙ୍କୁ କହିଲେ। ସତକୁ ସତ ଗୌତମ ବୁଦ୍ଧ ସେଦିନ ଅଦୂରରେ ଥିବା ଏକ ଗ୍ରାମ୍ୟ ଉପବନରେ ପୂର୍ବଦିନରୁ ଆସି ଅବସ୍ଥାନ କରୁଥିଲେ। ଏ ଖବର ପାଇବା ପରେ ସୁଦାସ ଅତି ଆଦରରେ ପଦ୍ମଫୁଲଟିକୁ ତୋଳି ତାକୁ ଏକ ଗାମୁଛାରେ ଗୁଡ଼ାଇ ମୁଣ୍ଡ ଉପରେ ରଖି ବୁଦ୍ଧଙ୍କ ଦର୍ଶନ ଉଦ୍ଦେଶ୍ୟରେ ବାହାରିଲେ। ବାଟରେ ଯାଉଥିବା ବେଳେ ଜଣେ ଧନାଢ଼୍ୟ ବ୍ୟବସାୟୀ ପଦ୍ମଫୁଲ ବାବଦରେ ଜାଣି ତାକୁ କିଣିବା ପାଇଁ ଇଚ୍ଛାପ୍ରକଟ କଲେ। କାରଣ ସେ ବି ବୁଦ୍ଧଙ୍କ ଦର୍ଶନ ଉଦ୍ଦେଶ୍ୟରେ ଯାଉଥିଲେ। ସେ ପଦ୍ମଫୁଲଟିକୁ ଗୋଟିଏ ସୁବର୍ଣ୍ଣ ମୁଦ୍ରା ଦେଇ କିଣିବାକୁ ଚାହିଲେ। ଗରିବ ସୁଦାସ ସୁବର୍ଣ୍ଣ ଲୋଭରେ ପଦ୍ମ ଫୁଲଟିକୁ ବ୍ୟବସାୟୀଙ୍କ ହାତକୁ ବଢ଼ାଇଦେବାକୁ ଯାଉଥିଲେ, ଠିକ୍‌ ସେହି ସମୟରେ ମଗଧର ରାଜା ପ୍ରସେନ୍‌ଜିତ୍‌ ଆସି ସେଠାରେ ପହଞ୍ଚିଗଲେ। ବ୍ୟବସାୟୀଙ୍କ ପରି ସେ ମଧ୍ୟ ବୁଦ୍ଧଙ୍କ ପାଖକୁ ଯାଉଥିଲେ। ଫୁଲକୁ ଦେଖି ବୁଦ୍ଧଙ୍କୁ ସମର୍ପଣ କରିବା ଲାଗି ତାଙ୍କର ବି ଇଚ୍ଛା ହେଲା। ସବୁ ଶୁଣି ସେ ଫୁଲଟିର ମୂଲ୍ୟ ଦଶଟି ସୁବର୍ଣ୍ଣ ମୁଦ୍ରାକୁ ବଢ଼ାଇ ଦେଲେ। ଜୀବନରେ କେବେ ସୁବର୍ଣ୍ଣ ମୁଦ୍ରା ଦେଖି ନ ଥିବା ସୁଦାସ ଦଶ ସୁବର୍ଣ୍ଣ ମୁଦ୍ରା କଥା ଶୁଣି ସ୍ତମ୍ଭୀଭୂତ ହୋଇଗଲେ। ସୁଦାସଙ୍କ ଏପରି ଠାଣି ଦେଖି ରାଜା ମନେ ମନେ ଭାବିନେଲେ ଯେ, ପଦ୍ମଫୁଲର ଦାମ ଦଶ ସୁବର୍ଣ୍ଣ ମୁଦ୍ରା ବୋଧହୁଏ କମ୍‌ ହୋଇଯାଉଛି। ତେଣୁ କାଳ ବିଳମ୍ବ ନ କରି ପଦ୍ମଫୁଲର ମୂଲ୍ୟ  ଦଶରୁ ଶହେ ସୁବର୍ଣ୍ଣ ମୁଦ୍ରାକୁ ବଢ଼ାଇଦେଲେ। 

ଏବେ କିନ୍ତୁ ସୁଦାସଙ୍କ ଚେତନାଟି ବ୍ୟବସାୟ ବୁଦ୍ଧିରେ ପରିଚାଳିତ ନ ହୋଇ ଭଗବତ୍‌ ଭାବରେ ନିମଜ୍ଜିତ ହେବାକୁ ଆରମ୍ଭ କଲା। ସେ ମନେ ମନେ ଭାବିଲେ- ସତରେ,ଏ ପଦ୍ମଫୁଲଟି କେତେ ମୂଲ୍ୟବାନ! ସାଧୁସନ୍ଥଙ୍କୁ ସମର୍ପଣ କରିବାର  ଅଛି ତ ଏମିତି ଦୁର୍ମୂଲ୍ୟ ଚିଜ ପ୍ରଦାନ କରାଯିବା ଦରକାର। ବୁଦ୍ଧଙ୍କ ପ୍ରତି ସମର୍ପିତ ଭାବନାରେ ସୁଦାସଙ୍କ ମନ ଜଡ଼ସଡ଼ ହୋଇଗଲା। ସେ ସଂକଳ୍ପ କଲେ, ମୁଁ ଗରିବ ହେଲେ ବି ସ୍ବର୍ଣ୍ଣମୁଦ୍ରା ଲୋଭରେ ଏହାକୁ ବିକି ପାରିବି ନାହିଁ। ଏହା ନିଶ୍ଚୟ ଭଗବାନ ବୁଦ୍ଧଙ୍କ ଶ୍ରୀଚରଣରେ ଅର୍ପଣ କରିବି। ଫୁଲଟିକୁ କାହାକୁ ବିକ୍ରି ନ କରି ସୁଦାସ  ବୁଦ୍ଧଙ୍କ ପାଖରେ ପହଞ୍ଚି ତାଙ୍କ ଚରଣରେ ସମର୍ପଣ କଲେ। ସେଦିନ ବୁଦ୍ଧ ସଭିଙ୍କ ଆଗରେ ସୁଦାସଙ୍କ ମୁଣ୍ଡରେ ହାତ ବୁଲାଇ ଆଣି କହିଲେ- ଏହାକୁ କୁହାଯାଏ ତ୍ୟାଗ ଆଉ ଭକ୍ତି। ଫୁଲଟିକୁ ବିକିଥିଲେ ଆଗାମୀ ସାତ ପୁରୁଷ ପର୍ଯ୍ୟନ୍ତ ସୁଦାସଙ୍କ ଦାରିଦ୍ର୍ୟ ହଟି ଯାଇଥାନ୍ତା, କିନ୍ତୁ ସେ ଫୁଲକୁ ନ ବିକି ମୋ ପାଇଁ ନେଇ ଆସିଛନ୍ତି। ଧନ୍ୟ ତାଙ୍କର ଭକ୍ତି! ଏତିକି ଶୁଣି ସୁଦାସ ଲୋତକାପ୍ଲୁତ ନୟନରେ ବୁଦ୍ଧଙ୍କ ପାଦ ତଳେ ଲୋଟି ପଡ଼ିଲେ। ତାଙ୍କ ମୁହଁରୁ ଆପେ ଆପେ ନିଃସୃତ ହେଲା- ପ୍ରଭୁ! ତବ କୃପା ହିଁ କେବଳମ୍…।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.