ସିଆରପି ଓ ଏମବିକେଙ୍କୁ ଦରମା ଏବଂ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଦାବି: ବିଡ଼ିଓଙ୍କୁ ଭେଟିଲେ ଧର୍ମଗଡ଼ ବିଜେଡି କାର୍ଯ୍ୟକର୍ତ୍ତା 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଆଦି ଠିକ୍ ସମୟରେ ନମିଳିବା ସହ କାର୍ଯ୍ୟରତ ସିଆରପି (ସିଏମ) ଓ ଏମବିକେ ମାନଙ୍କ ଦୀର୍ଘ ୧୫ ମାସ ଧରି ଦରମା ନ ପାଇବା ସମସ୍ୟାକୁ ନେଇ ବିଡ଼ିଓଙ୍କୁ ସାକ୍ଷାତ କରିଛନ୍ତି ଧର୍ମଗଡ଼ ବିଜେଡ଼ି କାର୍ଯ୍ୟକର୍ତ୍ତା ।ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜଳଙ୍କ ନେତୃତ୍ୱରେ ଏସବୁ ସମସ୍ୟା ନେଇ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଗତ ୧୫ ମାସ ବିତିଯାଇଥିଲେ ମଧ୍ୟ ଧର୍ମଗଡ଼ ବ୍ଲକର ସିଆରପି-ସିଏମ ଓ ଏମବିକେ ମାନେ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି । ଅପରପକ୍ଷରେ, ଧର୍ମଗଡ଼ର ପଡ଼ୋଶୀ ବ୍ଲକ ଯେପରି କି କୋକସରା, ଗୋଲାମୁଣ୍ଡା, କଳମପୁର ଓ ଜୟପାଟଣାର କର୍ମଚାରୀମାନେ ଗତ ୬ ମାସ ତଳେ ନିଜର ଦରମା ପାଇସାରିଛନ୍ତି । ଏଭଳି ସ୍ଥିତିରେ କେବଳ ଧର୍ମଗଡ଼ ବ୍ଲକରେ କାହିଁକି ଦରମା ଦିଆଯାଇ ନାହିଁ, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମସ୍ୟାକୁ ନେଇ ଧର୍ମଗଡ଼ ବିଜେଡି ତରଫରୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଗାମୀ ୭ ଦିନ ଭିତରେ ଦରମା ଓ ଭତ୍ତା ପ୍ରଦାନ ନ କଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବିଜେଡି କର୍ମୀମାନେ ଚେତାବନୀ ଦେଇଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ବିଜେଡି ପୂର୍ବତନ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା  କଲ୍ୟାଣୀ ନାଏକ, ବ୍ଲକ ସଭାନେତ୍ରୀ ମମତାରାଣୀ ଗୋପାଳ, ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ସନ୍ତୋଷ ପାଢ଼ୀ, କ୍ଷେତ୍ରମୋହନ ସତନାମୀ, ଯୁବ ନେତା ସୁନୀଲ ଭଏସାଲ, ଗୁଣ ଶବର ପ୍ରମୁଖ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.