ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁବରଣ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଉଥିଲା | ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ | ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଭୁବନେଶ୍ୱର ସ୍ଥିତ ଏମସ୍ କୁ ଚିକିତ୍ସା ପାଇଁ ନିଆଯାଇଥିଲା | ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା | ଆଜି ଭୋର ସମୟରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି | ଏଠାରେ ସୂଚନାଯୋଗ୍ୟ ରାମମୂର୍ତ୍ତି ଗମାଙ୍ଗ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଗଡ଼ ଭାଙ୍ଗି ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳ ଟିକଟରୁ ଗୁଣପୁର ନିର୍ବାଚନ ମଣ୍ଡଳରୁ ବିଧାୟକ ହୋଇଥିଲେ I କିନ୍ତୁ ୨୦୦୦ ମସିହା ନିର୍ବାଚନରେ ରାମମୂର୍ତ୍ତି ବିଜେପିରେ ଯୋଗଦାନ କରି ବିଜେଡି-ବିଜେପି ମେଣ୍ଟ ସମୟରେ ବିଜେପିରୁ ପ୍ରାର୍ଥୀ ହୋଇ ବିଧାୟକ ଥିଲେ | ରାୟଗଡା ଜିଲ୍ଲା ରାଜନୈତିକ ଇତିହାସରେ ରାମମୂର୍ତ୍ତି ଗମାଙ୍ଗ ପ୍ରଥମ ଓ ଶେଷ ବିଧାୟକ ଯିଏକି ବିଜେପି ପ୍ରାର୍ଥୀ ହୋଇ ଗୁଣପୁରରୁ ନିର୍ବାଚିତ ହୋଇଥିଲେ I ତାଙ୍କୁ ଛାଡିଦେଲେ ଆଉ କେହି ମଧ୍ୟ ବିଜେପିରୁ ନିର୍ବାଚନ ଜିତିପାରି ନାହାନ୍ତି I ରାମମୂର୍ତ୍ତି ବ୍ୟାଙ୍କ ଚାକିରୀ ଛାଡି ବିଜୁ ପଟ୍ଟନାୟକଙ୍କ ବିଚାରଧାରାରେ ସାମିଲ ହୋଇ ରାଜନୀତିକୁ ଆସିଥିଲେ I ସେ ବିଧାୟକ ଥିବା ସମୟରେ ଗୁଣପୁର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଥିଲା ଯାହାକୁ ବିଜୁ ପଟ୍ଟନାୟକ ଉଦଘାଟନ କରିଥିଲେ I ତାଙ୍କ ସମୟରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନୟନ କାର୍ଯ୍ୟ ସମାପନ ହୋଇଥିଲା I





