ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଆଲୁମିନି କଳାକ୍ଷେତ୍ର ପକ୍ଷରୁ ଶିଳ୍ପୀ ମନୀସା ଦାସଙ୍କର ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଉକ୍ତ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଅତିଥି ଭାବରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ, ଅଧ୍ୟାପକ ଅଜିତ କୁମାର ଜେନା, ଡକ୍ଟର ପର୍ଶୁରାମ ପଣ୍ଡା, ଆଲୁମିନିର କର୍ମକର୍ତ୍ତା ପ୍ରଦୀପ୍ତ କିଶୋର ଦାସ ଯୋଗଦାନ କରି ଦିବଂଗତ ଶିଳ୍ପୀ ମନିସାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଦାସ କହିଲେ ଯେ, ମନିସା କଳା ମହାବିଦ୍ୟାଳୟରେ ପଢ଼ିବା ସମୟରେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପ୍ରତି ସମ୍ମାନ ଓ ଚିତ୍ରକଳା ପ୍ରତି ନିଜର ଗଭୀର ରୁଚି ରଖିଥିଲେ। ଅଧ୍ୟାପକ ଅଜିତ କୁମାର ଜେନା ମନିସାଙ୍କ ଛାତ୍ରୀ ଜୀବନରେ ଚିତ୍ର ଶିକ୍ଷା ପ୍ରତି ଯେଉଁ ଦୁର୍ବଳତା ରହିଥିଲା ତାହା ପରବର୍ତ୍ତୀ ସମୟରେ କିପରି ତାଙ୍କୁ ସ୍ନାତକୋତ୍ତର ମୁଦ୍ରଣ ବିଭାଗରେ ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ପାଇବାର ସୌଭାଗ୍ୟ ଆଣି ଦେଇଥିଲା ତାହା ବର୍ଣ୍ଣନା କରିଥିଲେ। ଶ୍ରୀ ପ୍ରଦୀପ୍ତ କିଶୋର ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବିଦ୍ୟାଳୟରେ ପଢ଼ୁଥିବା ସମୟରୁ ଚିତ୍ରକଳା ଶିକ୍ଷା ଗ୍ରହଣ କରିବା ସହିତ ଚିତ୍ରକଳାର ବିଭିନ୍ନ ବିଭାଗ ପ୍ରତି ଜାଣିବାର ଆଗ୍ରହ ତାଙ୍କ ଠାରେ ପରିଲକ୍ଷିତ ହୋଇଥିଲା। ତାଙ୍କ ବିୟୋଗ ଏକ ଆକସ୍ମିକ ଘଟଣା ସତ କିନ୍ତୁ ତାଙ୍କର ଅମର ଆତ୍ମା ଆମ ନିକଟରେ ସଦା ସ୍ମରଣୀୟ ବୋଲି ସେ କହିଥିଲେ। ମନିସାଙ୍କ ବନ୍ଧୁ ଦୈତାରୀ ବେହେରା ଓ ସୁଶୋଭା ପାତ୍ର ପଢ଼ୁଥିବା ସମୟରେ ଛାତ୍ରଛ୍ରାତ୍ରୀଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ବନ୍ଧୁମାନଙ୍କ ସହିତ ନିବିଡ଼ ସମ୍ପର୍କ ସ୍ଥାପନର କଳା ବିଷୟରେ କହିଥିଲେ। ସେ ଏଠାରୁ ପାଶ୍ କଲାପରେ ପୁନାରେ ଏକ କଳା ବିଦ୍ୟାଳୟ ସ୍ଥାପନ କରି ଛାତ୍ରଛାତ୍ରୀ ମାନଙ୍କୁ କଳା ଶିକ୍ଷା ପ୍ରଦାନ କରିବା ସହ କ୍ୟାନସର ଭଳି ଏକ ରୋଗରେ ପୀଡ଼ିତ ହୋଇ ଅଳ୍ପ ବୟସରୁ ଆମମାନଙ୍କ ଠାରୁ ବିଦାୟ ନେଇଥିଲେ ବି ଆମ ସ୍ମୃତିରେ ସେ ଜୀବିତ ରହିବେ ବୋଲି କହିଥିଲେ। ଶେଷରେ ଶିଳ୍ପୀ କିଶୋର ଚନ୍ଦ୍ର ନାୟକ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।





