ଅନ୍ତୋଦୟ ଆବାସ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ଗରୀବ ସୈରେନ୍ଦ୍ରିଙ୍କ ପରିବାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନା ପ୍ରଚଳିତ ଥିଲେ ମଧ୍ୟ ଗରିବ ପରିବାର ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି l ଆର୍ଥିକ ସହିତ ଅନ୍ୟାନ୍ୟ ସୁବିଧା ଥିବା ପରିବାର ପାଉଥିବା ବେଳେ ନିତାନ୍ତ ଗରୀବ ଭୂମିହୀନ ପରିବାର ଏହି ଯୋଜନାରୁ ବଞ୍ଚିତ ଅଛନ୍ତି l ଏମିତି ଏକ ଦୁଖୀ ପରିବାର ର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଠୁରା ପଞ୍ଚାୟତ ତୁନଗାଁ ର ସୈରେନ୍ଦ୍ରି ପରାଭୋଇଙ୍କ ପରିବାରରେ l ବାସଗୃହ ଅଭାବରୁ ଦୀର୍ଘ ବର୍ଷ ହେବ ଏକ ଭଙ୍ଗା ଦଦରା ଘରେ ବସବାସ କରୁଥିବା ଦେଖା ଦେଇଛି। ପରିବାର ଲୋକେ ଆବାସ ଗୃହ ଟିଏ ପାଇଁ ପଞ୍ଚାୟତ ପ୍ରଶାସନକୁ ଅନେକ ଥର ନିବେଦନ କରିଛନ୍ତି। ହେଲେ ପଞ୍ଚାୟତ ପ୍ରଶାସନ ଏଦିଗରେ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଆବାସ ଗୃହ ପାଇଁ ଅନେକ ଦିନ ହେବ ଅନଲାଇନ୍ କରି ଗୃହ ଅପେକ୍ଷାରେ ପରିବାର ଲୋକେ ରହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଗୃହ ତାଲିକା ଆସି ନାହିଁ। ଅନ୍ତୋଦୟ ଯୋଜନାରେ ଏଠି ସମ୍ବଳ ଥିବା ପରିବାର କୁ ପ୍ରଦାନ କରିଥିବା ବେଳେ ଏହି ପରିବାର କୁ ଏଯାଏଁ ଜରୁରୀକାଳୀନ ଅନ୍ତୋଦୟ ଯୋଜନାରେ ମଧ୍ୟ ସାମିଲ କରାଯାଇନଥିବା ପରିବାର ଲୋକେ କୁହନ୍ତି l ପଞ୍ଚାୟତ ପକ୍ଷରୁ ଅନେକ ଲୋକଙ୍କୁ ପ୍ରତି ବର୍ଷ ଗୃହ ଯୋଗାଇ ଦିଆଯାଉଛି।ତେବେ ସୈରେନ୍ଦ୍ରୀ ଏକ ନିତାନ୍ତ ଗରୀବ ଶ୍ରେଣୀର ଲୋକ। ସ୍ୱାମୀ ସ୍ତ୍ରୀ ଅନ୍ୟ ଘରେ କୁଲି ମଜୁରୀ କଲେ ତାଙ୍କ ଚୂଲି ଜଳିଥାଏ।ବାସଗୃହ ଅଭାବରୁ ଅନେକ ଦିନ ହେଲା ତାଙ୍କର ଦୁଇ ପୁଅଝିଅ ଏବଂ ସ୍ୱାମୀଙ୍କ ସହିତ ଏକ ପଲିଥିନ୍ ଢ଼ଙ୍କା ମାଟି କୁଡ଼ିଆରେ ରହି ଆସୁଛନ୍ତି।ଯାହାକି ବର୍ଷା ଦିନେ ପରିବାର ଲୋକେ ଅନେକ ଅଭାବ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ତ୍ତମାନ ତାଙ୍କ ରହୁଥିବା ଏହି ଝାଟି ମାଟି ଘର ମଧ୍ୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି।ଆଗକୁ ବର୍ଷାଋତୁରେ ଯେ କୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ଯିବାର ଆଶଙ୍କା ରହିଛି। ତଥାପି ଗୃହ ଅଭାବରୁ ପରିବାର ଲୋକେ ବାଧ୍ୟ ହୋଇଏହି ଭଙ୍ଗା ଦଦରା ଘରେ ରହୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।ଅପରପକ୍ଷେ କନ୍ଦାବୁଠୁରା ପଞ୍ଚାୟତରେ ନିରୀହ ଗରିବ ଶ୍ରେଣୀର ଲୋକ ମାନଙ୍କୁ ଆବାସ ଯୋଜନାରେ ସାମିଲ ନକରି ସୁବିଧାବାଦି ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଆବାସ ଗୃହ ଯୋଗାଇ ଦିଆଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଗ୍ରାମର ଅନେକ ଗରିବ ଶ୍ରେଣୀର ଲୋକ ମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇ ଅନେକ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ପାଇଛି। ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ସୈରେନ୍ଦ୍ରିଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଗୃହ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.