ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜନକଲ୍ୟାଣ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଭର୍ଚୁଆଲ ମାଧ୍ୟମରେ କରିଛନ୍ତି। ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ସିମୁଳିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ଵର ମ୍ୟୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସଞ୍ଜୟ ନାୟକ (ଜିଲ୍ଲା ପରିଷଦ) ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସ୍ମିତା ନାୟକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତପନ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥିଗଣ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶର ଧାରା, ଓଡ଼ିଶା ସାରା’ କ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଇଡକୋ ପଡିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିବା ଅବସରରେ ବରେଣ୍ୟ ଅତିଥି ଗଣ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ, ଜନ ହିତକାରୀ ଯୋଜନାର ସୁଫଳ ଉପରେ ଆଲୋକପାତ କରିଥିଲେ। ସମଗ୍ର ରାଜ୍ୟରେ ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଗୁରୁତ୍ଵ ଦେବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ପ୍ରତି ହିତାଧିକାରୀଙ୍କୁ ୧୦କିଲୋ ସଂପୂର୍ଣ୍ଣ ମାଗଣା ପାଇ ପାରିବେ।

ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ଖାଦ୍ୟ ସୁରକ୍ଷାର ସୁନିଶ୍ଚତତା । ଏଥିରେ ୫ ଲକ୍ଷ ୬୬ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ସୁଫଳ ପାଇବେ। ଏହି ଅବସରରେ ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ଜାତୀୟ ଖାଦ୍ଯ ସୁରକ୍ଷା ଯୋଜନା ଓ ରାଜ୍ୟ ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଖାଉଟୀ କାର୍ଡ ବଣ୍ଟନ ସହ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ଫୋନ ମଧ୍ୟ ବିତରଣ କରିଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ (ଜିଲ୍ଲା ପରିଷଦ) ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ନାୟକ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।





