ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡ଼ା ସହରର ଲାଇଫଲାଇନ କୁହାଯାଉଥିବା ୩୨୬ନମ୍ୱର ଜାତୀୟ ରାଜପଥରେ ଥିବା ରେଳ ଓଭର ବ୍ରିଜ (ଆରଓବି)ର ଗତ ତିନି ମାସ ତଳେ ପୁନଃରୁଦ୍ଧାର କାମରେ ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଜି ଫ୍ଳାଏ ଓଭରରେ ଗୋଟିଏ ଗାତ ଦେଖିବାକୁ ମିଳିଛି । କିଛି ମାସ ତଳେ ସରିଥିବା ଫ୍ଲାଏ ଓଭରରେ ଗାତ ଦେଖାଯାଇଥିବାରୁ ଏହାର ମାନକୁ ନେଇ ଏବେ ଉଠିଛି ପ୍ରଶ୍ନ । ମାତ୍ର ୩ ମାସ ତଳେ କୋଟି କୋଟି ଖର୍ଚ୍ଚରେ ରେଳ ଓଭରବ୍ରିଜର ପୁନଃରୁଦ୍ଧାର କାମ ଶେଷ ହୋଇଥିଲା । ଲୋକମାନେ ଏହି କାମ ପରେ ଦୀର୍ଘଦିନ ଯାଏଁ ସୁବିଧାଜନକ ଯାତାୟାତର ଆଶା କରୁଥିଲେ । କଂଗ୍ରେସର ବରିଷ୍ଠ ନେତା ଦୁର୍ଗା ପ୍ରସାଦ ପଣ୍ଡା ଫ୍ଳାଏ ଓଭର କାମ, ଉପରେ ଚକାଚକ କରାଯାଇଥିବା ବେଳେ ପ୍ରକୃତ ପକ୍ଷରେ ଏହା ନିମ୍ନ ମାନର କହିବା ସହ ଫ୍ଲାଏ ଓଭର ତଳେ ଚୁନ ମାରିବା ଛଡା କୌଣସି କାର୍ଯ୍ୟ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଜାତୀୟ ରାଜପଥ କର୍ତୃପକ୍ଷ ତୁରନ୍ତ ଏହାର ମରାମତି କରିବା ପାଇଁ ସଂପୃକ୍ତ ସଂସ୍ଥାକୁ କୁହାଯାଇଥିବା ସୂଚନା ଦେଇଛନ୍ତି । ଗତକାଲି ରାତିରେ ଜଣେ ଟ୍ରକ ଡ୍ରାଇଭର ଟାୟାର ପଙ୍କଚର ହେବା ପରେ ବଦଳାଇବା ପାଇଁ ମାଷ୍ଟିକ୍ ଉପରେ ଜ୍ୟାକ୍ ଲଗାଇଥିଲେ। ଏହି ପ୍ରକ୍ରିୟାରେ ସେମାନେ ପୂର୍ବରୁ ଥିବା ମାଷ୍ଟିକ୍ ସ୍ତରକୁ କ୍ଷତି ପହଞ୍ଚାଇ ଦେଇ ଚାଲି ଯାଇଛନ୍ତି ବୋଲି ରାୟଗଡା ଏନଏଚ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶ୍ରୀ ସ୍ମିତାଞ୍ଜଳି ସାହୁ ସୂଚନା ଦେଇଛନ୍ତି । ଓଭରବ୍ରିଜ ଉପରେ ଅଧିକ ଭାର ପଡ଼ିବାରୁ ସେଠାରେ ନବନିର୍ମିତ ମାସ୍ଟିକ ସ୍ତର ଗୋଟିଏ ସ୍ଥାନରୁ ଉଠିବା ଆରମ୍ଭ କରିଛି ଏବଂ ଏକ ବଡ଼ ଗର୍ତ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଫ୍ଲାଏ ଓଭର ଉପରେ ଭାରୀଯାନ ଚଳାଚଳ ବାରଣ ସତ୍ବେ ରାତିରେ ଅବାଧରେ ଭାରୀଯାନ ଚଳାଚଳ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଜାତୀୟ ରାଜପଥ ଅଧିକାରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆଜି ଦିଶା ବୈଠକରେ ବିଧାୟକଙ୍କ ପ୍ରତିନିଧି ରୂପେ ଯୋଗ ଦେଇ ଫ୍ଲାଏ ଓଭରରେ ନିମ୍ନମାନର କାର୍ଯ୍ୟ ହୋଇଥିବା ବୈଠକରେ ଆଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।





