ରାହୁଲଙ୍କ ବଙ୍ଗଳା ଏବେ ଖାଁ ଖାଁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ୧୨ ତୋଗଲକ ଲେନରେ ଆଉ ଦେଖିବାକୁ ମିଳିବନି କଂଗ୍ରେସ ନେତା କର୍ମୀଙ୍କ ଗହଳିଚହଳି। ଆଉ ଲାଗିବନି ଭିଡ଼। କାହିଁକି ନା କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେ ସରକାରୀ ବଙ୍ଗଳା ଛାଡିଛନ୍ତି। ଯାହାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା। ଜାତୀୟ ଦଳ ଗୁଡିକରେ ହାଇକମାଣ୍ଡ ବ୍ୟବସ୍ଥା ରହିଛି। କଂଗ୍ରେସରେ ମଧ୍ୟ ସେଭଳି ବ୍ୟବସ୍ଥା ଦେଖାଯାଏ। ସେହି ଆଧାରରେ ଯେ କୌଣସି ରାଜ୍ୟର କଂଗ୍ରେସ ନେତା, କାର୍ଯ୍ୟକର୍ତା କିମ୍ବା କର୍ମୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ କିମ୍ବା ଏଆଇସିସି କାର୍ଯ୍ୟାଳୟ ଯାଆନ୍ତି। ବିଶେଷ କରି ରାହୁଲ ଗାନ୍ଧୀ ଯେବେଠୁ ଦଳୀୟ କଥା ବୁଝୁଲେଣି ସେବେଠୁ ୧୨ ତୋଗଲକ ଲେନ ବଙ୍ଗଳାରେ ଭିଡ଼ ଜମୁଥିଲା। ଏପରିକି କଂଗ୍ରେସର ଜାତୀୟ ସଭାପତି ଦାୟିତ୍ୱ ନେବା ପରେ ସେଠାରେ ଗହଳି ଅଧିକ ହେଉଥିଲା। ଯେକୌଣସି କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଗଲେ ୧୨ ତୋଗଲକ ଲେନରେ ଘେରାଟିଏ ମାରିବା ନିଶ୍ଚିତ ବୋଲି କୁହାଯାଏ। ଦିଲ୍ଲୀ ଗସ୍ତରେ ଯାଇଥିବା ନେତାଙ୍କୁ ଫୋନ କଲେ ମଧ୍ୟ ସେ ସେହି ଠିକଣାରେ ଥିବା କୁହାଯାଏ। ଆଜି କିନ୍ତୁ କଂଗ୍ରେସ ନେତାଙ୍କୁ ଆଉ ସେ ଠିକଣାରେ ଦେଖିବାକୁ ମିଳିବନି। ଆଉ ଗହଳି ଲାଗିବନି। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ଓ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ରାହୁଲ ସରକାରୀ ବଙ୍ଗଳା ଛାଡିଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ରାହୁଲଙ୍କ ବଙ୍ଗଳା ଛାଡିବା ପାଇଁ ନୋଟିସ ଜାରି ହୋଇଥିବା ବେଳେ ସେ ବଙ୍ଗଳା ଛାଡିଛନ୍ତି। କଂଗ୍ରେସର ଆଉ ଏକ ପ୍ରମୁଖ ଠିକଣା ୧୦ ଜନପଥକୁ ଅର୍ଥାତ ନିଜ ମା ସୋନିଆ ଗାନ୍ଧୀଙ୍କ ବଙ୍ଗଳାକୁ ଯାଇଛନ୍ତି ରାହୁଲ। ୨୦୦୫ ମସିହାରୁ ରାହୁଲ ସେହି ବଙ୍ଗଳାରେ ରହି ଆସୁଥିଲେ। ସେପଟେ ରାହୁଲଙ୍କ ଘର ଛାଡିବାକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ଏହାକୁ ଉଦେଶ୍ୟମୂଳକ ବୋଲି ଅଭିଯୋଗ କରିଛି। ସେପଟେ ସାଂସଦ ପଦ ଯିବା ପରେ ସରକାରୀ ବଙ୍ଗଳା ଛାଡିବାର ନିୟମ ରହିଛି। ତେଣୁ ସେହି ଆଧାରରେ ଲୋକସଭା ସଚିବାଳୟ ରାହୁଲଙ୍କୁ ନୋଟିସ କରିଥିଲେ। ସୁରଟ କୋର୍ଟଙ୍କ ଦ୍ୱାରା ରାହୁଲଙ୍କୁ ଦଣ୍ଡାଦେଶ ହୋଇଥିବା ବେଳେ ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଥିଲା। ଦଣ୍ଡାଦେଶ ପ୍ରସଙ୍ଗରେ ରାହୁଲ ସୁରଟ ସେସନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସେସନ୍ସ କୋର୍ଟରେ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ ହୋଇଥିଲା। ତେଣୁ ଆବେଦନ ଖାରଜ ହେବା ଓ ପରେ ପରେ ବଙ୍ଗଳା ଛାଡିବା ପରେ ରାହୁଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.