ଆବାସ ଗୃହ ଫାଇନାଲ ବିଲ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା
ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ମହେନ୍ଦ୍ର ବାଗ): ନୂଆପଡା ଜିଲ୍ଲା ଖଡ଼ିଆଳ ଏନଏସିର ଆବାସ ଯୋଜନା ଦାୟିତ୍ବ କନିଷ୍ଠ ଯନ୍ତ୍ରୀ ଦେବଚରଣ ରାଉତ ଭିଜଲାନ୍ସ ଜାଲରେ ଧରା ପଡିଛନ୍ତି । ସେ ଜଣେ ଆବାସ ଯୋଜନା ହିତାଧିକାରୀଙ୍କ ଠାରୁ ଫାଇନାଳ ବିଲ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜେଲାନ୍ସ ହାତରେ ଧରା ପଡିଛନ୍ତି । ବିଗତ ଦିନରେ ଖଡ଼ିଆଳ ୱାର୍ଡ ନମ୍ବର ୧୨ ସୁରଜ ରାଉତଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ସମ୍ପୁର୍ଣ୍ଣ କରିଥିଲେ ବି ଫାଇନାଲ ବିଲ ମିଳିନଥିଲା । ବିଭାଗୀୟ ଅଧିକାରୀ ମାନେ ଜାଣିଶୁଣି ହିତାଧିକାରୀଙ୍କୁ ହଇରାଣ ହରକତ କରିଥିଲେ । ଏନେଇ ଏନଏସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ଗତ କିଛି ଦିନ ତଳେ ଫାଇନାଲ ବିଲ କରିବା ପାଇଁ ହିତାଧିକାରୀଙ୍କ ପୁଅ ପ୍ରେମାନନ୍ଦ ରାଉତଙ୍କୁ କନିଷ୍ଠ ଯନ୍ତ୍ରୀ ଦେବଚରଣ ଲାଞ୍ଚ ମାଗିଥିଲେ । ଏହାକୁ ନେଇ ପ୍ରେମାନନ୍ଦ ଓଡ଼ିଶା ଭିଜିଲାନ୍ସ ଜୟପୁର ଶାଖାର ଦ୍ବାରସ୍ଥ ହୋଇଥିଲେ । ଆଜି ମଧ୍ୟାହ୍ନରେ ଖଡ଼ିଆଳ ପୁଟୁପଡା ପେଟ୍ରୋଲ ପମ୍ପ ଠାରେ ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ମାଡି ବସିଥିଲା । ଏନଏସି କନିଷ୍ଠ ଯନ୍ତ୍ରୀ ଦେବଚରଣ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପରେ ଭିଜିଲାନ୍ସ ଟିମ ଭିଜିଲାନ୍ସ ଟିମ ଖଡ଼ିଆଳ ଏନଏସି କାର୍ଯ୍ୟାଳୟ ଓ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନ ଚଢ଼ାଉ କରିଥିଲେ । ଅପରାହ୍ନରେ ତାଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣାକୁ ନେଇଛନ୍ତି । ପରେ ତାଙ୍କୁ ଭବାନୀପାଟଣା ସ୍ଵତନ୍ତ୍ର କୋର୍ଟକୁ ଚାଲାଣ କରାଯିବ ବୋଲି ଜଣା ପଡିଛି । ଏହି ଚଢ଼ାଉରେ ଜୟପୁର ଭିଜଲାନ୍ସ ଡ଼ିଏସପି ଜୟଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଟିମ ସାମିଲ ହୋଇଥିଲେ ।