ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେଇଛନ୍ତି। ଶନିବାର ଫିରିଙ୍ଗିଆ-ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକ ଅବରୋଧ କରିଛନ୍ତି। ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଳିକ, ତହସିଲଦାର ଏମ୍‌ ଅନୁରାଧାଙ୍କୁ ଲୋକେ ଲୋକେ ଗୋଡାଇ ଗୋଡାଇ ପିଟିଛନ୍ତି।

ଏହାପରେ ଥାନା ଭିତରେ ପଶି ପୋଡା ଜଳା କରିବା ସହ ଜବତ ଗାଡିକୁ ଲୁଟି ନେଇଛନ୍ତି। ଏହାପରେ ଉତ୍ୟକ୍ତ ଜନତା ଥାନା ଭିତରକୁ ପ୍ରବଳ ଟେକା ପଥର ମାଡ କରିଛନ୍ତି। ଘଟଣାସ୍ଥଳରେ ଫୋର୍ସ ଅଧିକ ନ ଥିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି। ସୂଚନାଯୋଗ୍ୟ, ଫିରିଙ୍ଗିଆ ଥାନା ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ କରି ଏବଂ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବିରେ ଲୋକେ ରାସ୍ତାରୋକ କରିଥିଲେ।

ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଆସି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିଥିଲା। ସଦର ଏସଡିପିଓ ମଲ୍ଲିକ ଏବଂ ତହସିଲଦାର କିଛି ଫୋର୍ସଙ୍କ ସହ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଉତ୍ୟକ୍ତ ଲୋକେ ଠେଲା ପେଲା ଆରମ୍ଭ କରି ଦେଇଥିଲେ। ଏହାପରେ ଉଭୟଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ।

ପରେ ସେମାନେ କିଛି ଫୋର୍ସଙ୍କ ସହ ଆସି ଥାନାରେ ପହଞ୍ଚିଥିଲେ। ହେଲେ ଲୋକେ ସେଠାକୁ ମଧ୍ୟ ଗୋଡେଇ ଆସି ଥାନା ଭିତରକୁ ପଶିଥିଲେ। ସେଠାରେ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହାପରେ ପରିସ୍ଥିତି ଅଣାୟତ ହୋଇପଡିଥିଲା। ଖବର ଅନୁସାରେ ଏସଡିପିଓ ଏବଂ ତହସିଲଦାର ଘଟଣାରେ ଆହତ ହୋଇଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.