ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା, କିଏ କେତେ ପାଇବେ ଜାଣନ୍ତୁ !

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା, କିଏ କେତେ ପାଇବେ ଜାଣନ୍ତୁ !

ଓଡ଼ିଆ ବାର୍ତ୍ତା/ କୋଲକାତା: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କ ଦରମା ନେଇ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇବା ନେଇ ଘୋଷଣା କରିଛନ୍ତି। ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ଏକାଥରକେ ମୋଟା ଆକାରରେ ବଢ଼ାଇଛନ୍ତି। ଆଜି ସେ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ମାସିକ ୪୦ ହଜାର ଟଙ୍କା ଲେଖାଏ ବୃଦ୍ଧି କରାଯାଇଥିବା ଘୋଷଣା କହିଛନ୍ତି। ସମସ୍ତଙ୍କ ଦରମାକୁ ସେ ସମାନ ମାତ୍ରାରେ ବଢ଼ାଇଛନ୍ତି। ବିଧାୟକମାନେ ମାସକୁ ୫୦ ହଜାର ଟଙ୍କା ଲେଖାଁଏ ପାଇବେ। ପୂର୍ବରୁ ସେମାନଙ୍କୁ ୧୦ ହଜାର ଟଙ୍କା ଦରମା ବାବଦରେ ମିଳୁଥିଲା। ସେହିପରି ରାଷ୍ଟ୍ରମନ୍ତ୍ରୀମାନଙ୍କ ଦରମା ୧୦,୯୦୦ ଟଙ୍କାରୁ ବଢ଼ି ୫୦,୯୦୦ ଟଙ୍କା ଓ କ୍ୟାବିନେଟ ମନ୍ତ୍ରୀମାନେ ମାସିକ ୧୧ ହଜାର ଟଙ୍କା ବଦଳରେ ୫୧ ହଜାର ଟଙ୍କା ଲେଖାଁଏ ପାଇବେ। ମାସିକ ଦରମା ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଏବଂ ବିଧାୟକମାନେ ପାଇବାକୁ ଥିବା ଅତିରିକ୍ତ ଭତ୍ତା ସମାନ ରହିବ। ବିଧାୟକମାନେ ଦରମା ଓ ଭତ୍ତାକୁ ମିଶାଇ ମାସକୁ ୧.୨୧ ଲକ୍ଷ ଟଙ୍କା ପାଇବେ। ପୂର୍ବରୁ ସେମାନେ ୮୧ ହଜାର ଟଙ୍କା ଲେଖାଁଏ ପାଉଥିଲେ। ସେହିପରି ମନ୍ତ୍ରୀମାନେ ମାସକୁ ୧.୧୦ ଲକ୍ଷ ବଦଳରେ ପ୍ରାୟ ୧.୫୦ ଲକ୍ଷ ଟଙ୍କା ପାଇବେ। ଗୁରୁବାର ରାଜ୍ୟସଭାରେ ବର୍ଦ୍ଧିତ ଦରମା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ତୁଳନାରେ ପଶ୍ଚିମବଙ୍ଗରେ ବିଧାୟକଙ୍କ ଦରମା ବହୁତ କମ୍ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମନ୍ତ୍ରୀ ତଥା ବିଧାୟକଙ୍କ ଦରମା ବୃଦ୍ଧି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଆହୁରି ଅସୁବିଧାରେ ପକାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। କାରଣ ଦୀର୍ଘ ଦିନ ଧରି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ସମାନ ଭତ୍ତା ଏବଂ ବକେୟା ବୃଦ୍ଧି କରିବା ନେଇ ଦାବି କରିଆସୁଛନ୍ତି ରାଜ୍ୟ ସରକାରୀ କର୍ମଚାରୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.