ନର୍ଲାରେ କଳାହାଣ୍ଡି କଳାକାର ସଂଘ ବୈଠକ

କଳାହାଣ୍ଡି,୫/୬ : ପ୍ରାଚୀନ କଳାସଂସ୍କୃତିର ଗନ୍ତାଘର କଳାହାଣ୍ଡି ଏକ ସମୃଦ୍ଧ ସଭ୍ୟତାର ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ । ଏଠାକାର ପାଣି ପବନ, ଡଙ୍ଗର ପାହାଡ, ନଦୀ ଝରଣା ସବୁଠି କଳାର ଛାପ । ପ୍ରାଚୀନ ଆଟବିକ ରାଜ୍ୟ, କାନ୍ତାର, ମହାକାନ୍ତାର ସଭ୍ୟତା ଠାରେ ଆଜି ପର୍ଯ୍ୟନ୍ତ କଳା ସଂସ୍କୃତିର କ୍ଷେତ୍ରେରେ ଏହି ମାଟି ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଆସିଛି । ତେବେ ଆଧୁନିକତାର ଛାପରେ ଧିରେ ଧିଲେ ଲୁପ୍ତ ହେବାକୁ ବସିଛି ଏହି ବିରାଟ ଭୂଖଣ୍ଡର ଅନେକ ଲୋକଗୀତ, ଲୋକନୃତ୍ୟ ଓ ଲୋକସଂସ୍କୃତି । ଏସବୁକୁ ବଞ୍ଚାଇ ରଖିବା ସହ କଳାହାଣ୍ଡିଆ କଳାକାରର ସର୍ବଙ୍ଗିନ ଉନ୍ନତି ପାଇଁ ଗଠିତ ହୋଇଛି କଳାହାଣ୍ଡି କଳାକାର ସଂଘ ।

ଆଜି (ବୁଧବାର) ନର୍ଲା ବ୍ଲକ ଅନ୍ତର୍ଗତ ଚିପୁଲ ଠାରେ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ସଭାପତି ଲୋକନାଥ ରାଜୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି କଳାକାର ସଂଘ ସଭାପତି ହିମାଂସୁ ଶେଖର ନାଏକ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ କଳାକାର ଶିବ ଶଙ୍କର ମହାନନ୍ଦ, ମୃତ୍ୟୁଞ୍ଜୟ ନାଏକ, ଶିବ ଶଙ୍କର ଦୂର୍ଗା ପ୍ରମୂଖ ଯୋଗଦେଇ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ।

କଳାହାଣ୍ଡି କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ଦେବା ଉପରେ ଗୁରୁତ୍ବ

ଆଧୁନିକ ବାଦ୍ୟଯନ୍ତ୍ର ପ୍ରଭାବରେ ପାରଂପାରିକ କଳାକାର ମାନଙ୍କ ଜୀବନ ଜୀବିକା ବୁଡିବାରେ ଲାଗିଛି । ବୃତ୍ତିଗତ କଳାକୁ ନେଇ ବଞ୍ଚିବା ଏବେ କଷ୍ଟକର ବ୍ୟାପାର ହୋଇଥିବାରୁ ଅନେକ କଳାକାର ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ଏହାକୁ ନେଇ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଏଦିଗରେ ସରକାର ଗଭୀର ଭାବେ ଅନୁଦ୍ଧ୍ୟାନ କରି କଳାକାରଙ୍କ ଉନ୍ନତି ପାଇଁ ଏକ ସୁଦୃଢ ଯୋଜନା ପ୍ରଣୟନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ଏହାସହ କଳାହାଣ୍ଡିର କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।

ଏହି ବୈଠକରେ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଅନନ୍ତ ବାରିକ, ଦୀପନ ଦାଶ, କ୍ଷେତ୍ରମଣି ମାଝୀ, ହେମନ୍ତ ନାଏକ, କେଶୁ ମାଝୀ, ଅସ୍ତରାମ ନାଏକ, ସନ୍ତୋଷ କୁମାର ବାଗ, ନିଳକଣ୍ଠ ଧଙ୍ଗଡାମାଝୀ, କୃଷ୍ଣ ଚନ୍ଦ୍ର ବାଗ, ପ୍ରେମଚାନ୍ଦ ମାଝୀ, ଧରଣିଧର ଦଣ୍ଡସେନା, ଯୁଗଳ କିଶୋର ସାହୁ, ଭେଙ୍କଟ ମାଝୀ ପ୍ରମୂଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭା ସଂଚାଳନ କରିଥିଲେ ବେଣୁଧର ଦୀପ ।

 

ସ୍ବତନ୍ତ୍ର ପ୍ରତିନିଧି ସଂଜୟ କୁମାର ଧଙ୍ଗଡାମାଝୀଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.